ଚଡକ ନିଆଁରେ ଜଳିଗଲା ଘର, ସାହାଯ୍ୟ ଅପେକ୍ଷାରେ ସର୍ବସ୍ବାନ୍ତ ୭୫ ବର୍ଷିୟା ବୃଦ୍ଧା

ଅନୁଗୁଳ :  ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗଣ୍ତମଳା ଗ୍ରାମର ଉପର ସାହି ରେ ରହୁଥିବା ୭୫ ବର୍ଷିୟ ବୃଦ୍ଧା ଶୁକ ବେହେରାଙ୍କ ଘରେ ଗତକାଲି ରାତି ୧୦.୪୫ ମିନିଟ୍ ରେ ବିଜୁଳି ଓ ଘଡଘଡି ମାରିବାରୁ ନିଆଁ ଲାଗି ଚାରି ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଦୁର୍ଘଟଣାରେ କୌଣସି ଜନଜୀବନ କ୍ଷତି ହୋଇ ନଥିବା ବେଳେ ସମ୍ପୂର୍ଣ୍ଣ ଘର ଓ ସମସ୍ତ ଆସବାବପତ୍ର ଟିଭି , ଫ୍ରୀଜ୍ , ଫ୍ୟାନ୍ ଆଦି ନଷ୍ଟ ହେବା ସହିତ ସମସ୍ତ ସରକାରୀ ଓ ବେସରକାରୀ ଦଲିଲ୍ ଗୁଡିକ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ସମୟରେ ଘରେ ରହୁଥିବା ବୃଦ୍ଧା , ତାଙ୍କର ବିଧବା ବୋହୁ ଓ ନାତି ନିଜ ଜୀବନ ବଞ୍ଚାଇବାକୁ ଯାଇ ପଡୋଶୀଙ୍କ ଦ୍ୱାରସ୍ତ ହୋଇଥିଲେ । ଖବର ପାଇ ୪୫ କିଲୋମିଟର ଦୂର କଣିହାଁ ରୁ ଦମକଳ ବାହିନୀ ଆସି ନିଆଁ କୁ ଆୟତ୍ତ କଲା ବେଳକୁ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇସାରିଥିଲା । ବର୍ତ୍ତମାନ ଖାଇବାକୁ ଗଣ୍ତିଏ କି ବିନ୍ଧିବାକୁ ଖଣ୍ତିଏ ମଧ୍ୟ ପାଖରେ ତାଙ୍କର ନାହିଁ ।

ଏପଟେ କରୋନା ଭୂତାଣୁ ସଂକ୍ରମଣ ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ବୃଦ୍ଧା ତାଙ୍କ ବୋହୂ ଓ ନାତି କୁ ନେଇ କେଉଁ ଆଡେ ଯାଇ ପାରୁଛନ୍ତି ନା କିଛି କରି ପାରୁଛନ୍ତି । ସରକାର ପଞ୍ଚାୟତର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିବା ବେଳେ ପଞ୍ଚାୟତର ସରପଞ୍ଚ କି ବିଧାୟକଙ୍କର ଏ ପର୍ଯ୍ୟନ୍ତ ଦେଖାନାହିଁ । ଅରକ୍ଷିତକୁ ଦଇବ ସାହା ଭଳି , ବେସାହାରା ତିନିଜଣ ଯାକ ସରକାରୀ ସହାୟତା କୁ ଜଗି ରହିଛନ୍ତି । କ’ଣ କେବଳ ଭୋଟ୍ ସମୟରେ ଗରିବ ମାନଙ୍କ ପାଇଁ ସରକାର ଓ ସରକାରୀ ସହାୟତା ? ଜନସାଧାରଣରେ ଏହା ଏକ ପ୍ରଶ୍ନବାଚୀ ହୋଇପଡିଛି । ଦେଖାଯାଉ ପ୍ରଶାସନ ର ଚେତା କେବେ ଫେରୁଛି , ବୃଦ୍ଧାଙ୍କୁ ଏ ଜନ୍ମରେ ନା ଆର ଜନ୍ମରେ ପ୍ରଶାସନ ତରଫରୁ ସାହାଯ୍ୟ ମିଳୁଛି ।

Comments are closed.