ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ: ଅନୁଭବ ଜଣେ ‘ପ୍ରଫେସନାଲ ଡ଼୍ରଙ୍କର୍ଡ଼’

କଟକ: ସାଂସଦ ଅନୁଭବ ମହାନ୍ତିଠାରୁ ଭରଣପୋଷଣ ଦାବି କରି ଅଦାଲତ ଯାଇଥିବା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ଭୟଙ୍କର ଅଭିଯୋଗ । ନେତାରୁ ଅଭିନେତା ପାଲଟିଥିବା ତାଙ୍କର ସ୍ବାମୀ ଅନୁଭବ ମହାନ୍ତି ଜଣେ ‘ପ୍ରଫେସନାଲ ଡ଼୍ରଙ୍କର୍ଡ଼‘ ଏବଂ ସେ ମଦ ପିଇବା ପରେ ‘ଫରଗେଟିଂ ହିଜ୍ ନର୍ମାଲ ଲାଇଫ’( ହିତାହିତ ଜ୍ଞାନ ଭୂଲି ଯାଆନ୍ତି) ବୋଲି ଅଭିଯୋଗ କରିଛନ୍ତି ବର୍ଷା। କେବଳ ସେତିକି ନୁହେଁ ଅନୁଭବ ଜଣେ ହୃଦୟହୀନ ମଣିଷ ଓ ତାଙ୍କର ବହୁ ନାରୀଙ୍କ ସହ ସମ୍ପର୍କ ଅଛି ବୋଲି ମଧ୍ୟ ଅଭିଯୋଗରେ ବର୍ଷା ଉଲ୍ଲେଖ କରିଛନ୍ତି । ଅନୁଭବ ଓ ତାଙ୍କ ପରିବାରର ଲୋକମାନେ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଇଛନ୍ତି, ବିବାହ ପରେ ସେ ଅଭିନୟ କରିଥିବା ସିନେମାର ପ୍ରାପ୍ୟ ତାଙ୍କୁ ଅନୁଭବ ଦେଇ ନାହାନ୍ତି ଏବଂ ତାଙ୍କ ମା’ (ବର୍ଷାଙ୍କ ମା’ ଓ ଭଉଣୀଙ୍କୁ) ଅଶାଳୀନ ଭାଷାରେ ଗାଳି କରିଛନ୍ତି ବୋଲି ଅଦାଲତରେ ଦାଖଲ କରିଥିବା ଆବେଦନରେ ବର୍ଷା ଉଲ୍ଲେଖ କରିଛନ୍ତି ।  କଟକ ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷା ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ ଦାଖଲ କରିଥିବା ଦୀର୍ଘ ୮ ପୃଷ୍ଠାର ଆବେଦନରେ ଅନୁଭବଙ୍କ ସମ୍ପର୍କରେ ଅନେକ ଅଭିଯୋଗ ଆଣିଛନ୍ତି ବର୍ଷା । ଶେଷରେ ସେ ଅନୁଭବଙ୍କଠାରୁ କ୍ଷତିପୂରଣ ଓ ଭରଣପୋଷଣ ଦାବି କରିଛନ୍ତି । ଆସନ୍ତା ୭ ତାରିଖ (ସୋମବାର) ଏହି ମାମଲାର ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି ।

ବର୍ଷାଙ୍କ ଅଭିଯୋଗ ଅନୁସାରେ ୨୦୧୪ ଫେବ୍ରୁଆରୀ ୮ ତାରିଖରେ ତାଙ୍କର ବିବାହ ବୈଦିକ ରୀତିରେ ହୋଇଥିଲା । ବିବାହ ପାଇଁ ସେ ଅରାଜି ଥିଲେ ଓ ତାଙ୍କ ପରିବାର ମଧ୍ୟ ଏହି ବିବାହ ସପକ୍ଷରେ ନ ଥିଲେ । ମାତ୍ର ଅନୁଭବ ତାଙ୍କୁ ବିବାହ ନ କରି ପାରିଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ ଓ ହାତକୁ ଛୁରୀରେ କାଟି ଦେଇଥିଲେ । ଶେଷରେ ବାଧ୍ୟ ହୋଇ ତାଙ୍କ ପରିବାର ବିବାହ ପାଇଁ ରାଜି ହୋଇଥିଲେ । ବିବାହ ସମୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ବର୍ଷାଙ୍କ ପରିବାର ପକ୍ଷରୁ ଅନୁଭବଙ୍କ ପରିବାରକୁ ଦିଆଯାଇଥିଲା । ପ୍ରାୟ ୨ ହଜାର ବରଯାତ୍ରୀଙ୍କୁ ଗୋଟିଏ ଲେଖାଏଁ ରୁପା ମୁଦ୍ରା ମଧ୍ୟ ଉପହାର ଦିଆଯାଇଥିଲା । ବିବାହ  ପରେ ଉଭୟ ଏକାଧିକ ଫିଲ୍ମରେ ଅଭିନୟ କରିଥିଲେ ହେଁ ବର୍ଷାଙ୍କୁ ଟଙ୍କାଟିଏ ପାରିଶ୍ରମିକ ମିଳି ନ ଥିଲା । ଓଲଟି ତାଙ୍କ ଉପରେ ଅନୁଭବ ଅତ୍ୟାଚାର କରିଥିଲେ ବୋଲି  ବର୍ଷା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବର୍ଷା ‘ଫ୍ୟୁଚର ଜେନେରେସନ’ ପାଇଁ ଆଗ୍ରହୀ ଥିଲେ । ମାତ୍ର ଅନୁଭବ ବିଳମ୍ବିତ ରାତିରେ ଘରକୁ ଫେରି ଅସାମାଜିକଙ୍କ ପରି ବ୍ୟବହାର କରିଥାଆନ୍ତି ଓ ସେ କାନ୍ଦିକାନ୍ଦି ଶୋଇବାକୁ ବାଧ୍ୟ ହୁଅନ୍ତି ବୋଲି ବର୍ଷା ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ଅନେକ ସମୟରେ ତାଙ୍କୁ ଗୋଇଠା ମାଡ଼ ଖାଇବାକୁ ପଡ଼ିଛି ଓ ଘରୁ ବାହାର କରି ଦିଆଯାଇଥିବା ପରି ଘଟଣା ମଧ୍ୟ ଘଟିଛି । ବର୍ଷାଙ୍କ ମା’ ଓ ଭଉଣୀ ଏଥିନେଇ ଅନୁଭବଙ୍କୁ ଅନେକ ବାର ବୁଝାଇଛନ୍ତି, କିନ୍ତୁ କିଛି ଫରକ ପଡ଼ିନାହିଁ  ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି ।

ଅନୁଭବ ଜଣେ ‘ପ୍ରଫେସନାଲ ଡ଼୍ରଙ୍କର୍ଡ଼’ ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ବର୍ଷା । ନିଶାସକ୍ତ ଅବସ୍ଥାରେ ସେ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ପିଟିଥାଆନ୍ତି । ପରିବାର ସମ୍ମାନକୁ ଦୃଷ୍ଟିରେ ରଖି ସେ ଚୁପ୍ ରହି ଆସୁଥିଲେ । ମାତ୍ର ଅନୁଭବ ଓ ତାଙ୍କ ପରିବାରର ଲୋକମାନେ ବର୍ଷାଙ୍କୁ ଅତ୍ୟନ୍ତ ନୀଚ ବ୍ୟବହାର କରୁଥିଲେ ଓ ତାଙ୍କ ପରିବାରକୁ ମଧ୍ୟ ନୀଚ ଦେଖାଇବାକୁ ପ୍ରୟାସ କରୁଥିଲେ ।

ରାଜ୍ୟସଭାକୁ ୨୦୧୪ରେ ନିର୍ବାଚିତ ହେବା ପରେ ଅନୁଭବଙ୍କ ବ୍ୟବହାର କିଛି ବଦଳି ନ ଥିଲା କିମ୍ବା ୨୦୧୯ରେ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ମଧ୍ୟ ସେ ବଦଳି ନ ଥିଲେ । ଗତ ମାର୍ଚ ୩ ତାରିଖରେ ଅନୁଭବ ନିଜ ପରିବାର ସହ ଦିଲ୍ଲୀ ଚାଲି ଯାଇଥିଲେ ଏବଂ ଏ ସମ୍ପର୍କ​‌ରେ ବର୍ଷାଙ୍କୁ ସୂଚନା ମଧ୍ୟ ଦେଇ ନ ଥିଲେ । ମେ ୨୫ ତାରିଖରେ ଅନୁଭବ ପରିବାର ସହ ଓଡ଼ିଶା ଫେରିଥିଲେ । ମାତ୍ର ମାର୍ଚ ୩ରୁ ମେ ୨୫ ପର୍ଯ୍ୟନ୍ତ ବର୍ଷା ଏକାକୀ ଅନୁଭବଙ୍କ କଟକ ଘରେ ଏକାକୀ ଥିଲେ ମଧ୍ୟ ଅନୁଭବ ତାଙ୍କ କଥା କିଛି ବୁଝାବୁଝି କରୁ ନ ଥିବା ଆବେଦନପତ୍ରରେ ଉଲ୍ଲେଖ କରିଛନ୍ତି ବର୍ଷା ।  ସେହିପରି ମେ ୨୫ ତାରିଖରେ ଅନୁଭବ ଘରକୁ ଫେରିବା ପରେ ତାଙ୍କୁ ଗାଳିଗୁଲଜ କରିଥିଲେ, ମାତ୍ର ତାଙ୍କ ପରିବାରର ​‌ଲୋକମାନେ ଚୁପ୍ ରହିଥିଲେ । ଗତ ଜୁନ ୭ ତାରିଖ ରାତିରେ ଅନୁଭବ ଓ ତାଙ୍କ ବାପା ବର୍ଷାଙ୍କୁ ଖୁବ୍ ଗାଳି ଦେଇଥିଲେ ଏବଂ ବର୍ଷାଙ୍କ ପରିବାର ପ୍ରତି ମଧ୍ୟ ଅଶାଳୀନ ଗାଳି କରାଯାଇଥିଲା । ତଥାପି ସେ ଚୁପ୍ ଥିଲେ ବୋଲି ବର୍ଷା ଦାଖଲ କରିଥିବା ପିଟିସନରେ ଲେଖିଛନ୍ତି ।

ଜୁନ୍ ୧୧ ତାରିଖରେ ଅନୁଭବ ତାଙ୍କୁ ‘ସହମତି ଭିତ୍ତିକ ଛାଡ଼ପତ୍ର’ ଦେବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ବର୍ଷା । ବିବାହ ପରେ ଅନୁଭବ ତାଙ୍କୁ  ହାତ ଖର୍ଚ ପାଇଁ କେ​‌ବେ କିଛି ଟଙ୍କା ଦେଇ ନାହାନ୍ତି । ତେଣୁ ଅସହ୍ୟ ଅତ୍ୟାଚାର ଯୋଗୁଁ ସେ ଅଦାଲତର ଦ୍ବାରସ୍ଥ ହୋଇଥିବା ବର୍ଷା  ତେବେ ଏ ଅତ୍ୟାଚାର ଅସହ୍ୟ ହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଦର୍ଶାଇଛନ୍ତି। ତେଣୁ ତାଙ୍କୁ ଅନୁଭବଙ୍କ ଘରେ ରହିବାକୁ ଦିଆଯାଉ, ଅନ୍ୟଥା ତାଙ୍କୁ ଘରଭଡ଼ା ବାବଦରେ ମାସିକ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା । କ୍ଷତିପୂରଣ ବାବଦରେ ୧୩ କୋଟି ଟଙ୍କା, ଚିକିତ୍ସା ଓ ଅନ୍ୟାନ୍ୟ ଖର୍ଚ ପାଇଁ ୨ କୋଟି ଟଙ୍କା ଦେବାକୁ ସେ ଅଦାଲତରେ ପ୍ରାର୍ଥନା କରିଛନ୍ତି ।

ଅନ୍ୟପକ୍ଷରେ ଅନୁଭବ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କଠାରୁ କୌଣସି ନୋଟିସ ପାଇ ନାହାନ୍ତି । ନୋଟିସ ମିଳିବା ପରେ ଯାହା କହିପାରିବେ ବୋଲି ଅନୁଭବ କହିଛନ୍ତି ।

Comments are closed.