ଅନୁଭବ-ବର୍ଷା ବିବାଦ; ପହିଲାରେ ପଞ୍ଚମ ଆପୋସ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଅନୁଷ୍ଠିତ ଆପୋସ ଆଲୋଚନା ଚତୁର୍ଥ ଥର ମଧ୍ୟ ଅସଂପୂର୍ଣ୍ଣ ରହିଛି। ଆଜି ସୁପ୍ରିମକୋର୍ଟ ମଧ୍ୟସ୍ଥତାରେ କେନ୍ଦ୍ରର ମଧ୍ୟସ୍ଥ ପୂଜା ଆନନ୍ଦଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଆଲୋଚନା ଦୁଇ ଘଣ୍ଟରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିଲା। ଦୀର୍ଘ ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ବାଟ ବାହାରି ପାରିନଥିଲା। ପଞ୍ଚମ ଥର ଲାଗି ଆପୋସ ଆଲୋଚନା ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ। ଆସନ୍ତା ଡିସେମ୍ବର ୧ରେ ଦିନ ୪ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁଣି ଆପୋସ ଆଲୋଚନା ପାଇଁ ସ୍ଥିର ହୋଇଛି।