ଇଣ୍ଡିଆନ୍‍ ଆଇଡଲ-୧୧କୁ ପୁଣି ଫେରିବେ ଅନୁ! ‘ମିଠୁ’ ମାମଲାରେ ଶୋ’ରୁ ହୋଇଥିଲେ ବାହାର

ମୁମ୍ବଇ : ବର୍ଷେ ତଳେ ‘ମିଠୁ’ ମାମଲାରେ ଫଶି ଇଣ୍ଡିଆନ୍‍ ଆଇଡଲ-୧୦ର ବିଚାରକ ପଦ ହରାଇଥିବା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପୁଣି ଥରେ ଇଣ୍ଡିଆନ୍‍ ଆଇଡଲ-୧୧କୁ ଫେରିବେ ବୋଲି ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ, ଇଣ୍ଡିଆନ୍‍ ଆଇଡଲର ୧୧ତମ ସଂସ୍କରଣରେ ବିଚାରପତି ଭୂମିକା ବହନ କରିବା ପାଇଁ ଅନୁଙ୍କୁ ପ୍ରସ୍ତାବ ଦିଆଯାଇଛି। ଇଣ୍ଡିଆନ୍‍ ଆଇଡଲ ସୋନୀ ଟିଭିରେ ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ ରିୟାଲିଟି ଶୋ। ଏହାର ପୂର୍ବ ସଂସ୍କରଣ ଅର୍ଥାତ୍‍ ୧୦ମ ସିଜନରେ ଅନୁଙ୍କ ସହ ନେହା କକ୍କଡ଼ ଓ ବିଶାଲ ଦଦଲାନୀଙ୍କୁ ବିଚାରପତି ଭାବେ ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ୍‍ ଆଇଡଲର ୧୦ମ ସିଜ୍‍ନ ସମୟରେ ‘ମିଠୁ’ ଅଭିଯାନ ମାଧ୍ୟମରେ ଗାୟିକା ଶ୍ୱେତା ପଣ୍ଡିତ ଅନୁଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଶ୍ୱେତାଙ୍କ ପରେ ଆହୁରି କିଛି ମହିଳା ମଧ୍ୟ ତାଙ୍କ ବିରୋଧରେ ସମାନ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଅନୁଙ୍କୁ ସମାଲୋଚନା କରାଯାଇଥିଲା। ଏହାପରେ ସୋନୀ ଚ୍ୟାନେଲର ଏହି ଶୋ’ରୁ ତାଙ୍କୁ ହଟାଇ ଦିଆଯାଇଥିଲା। ହେଲେ ବର୍ଷେ ପରେ ନିର୍ମାତା ତାଙ୍କୁ ପୁନର୍ବାର ଏହି ଶୋ’ ସହ ଯୋଡ଼ିବାକୁ ଚାହୁଁଛନ୍ତି।

Comments are closed.