ଭୁବନେଶ୍ବର ପ୍ରତି ୱାର୍ଡରେ କରୋନା ସଚେତନ କମିଟି, ୨୫ଜଣିଆ ସଦସ୍ୟଙ୍କୁ ଦିଆଯାଇଛି ପ୍ରଶିକ୍ଷଣ

ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ତଥା ଭୁବନେଶ୍ବର କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଯେ ଭୁବନେଶ୍ବରରେ କରୋନା ସ୍ଥିତିକୁ ନେଇ ଗଭୀର ଭାବେ ଅନୁଧ୍ୟାନ କରାଯାଉଛି। କରୋନା ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଜରିଆରେ ବହୁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ୱାର୍ଡ କମିଟିର ଗଠନ କରାଯାଇଛି। ବିଏମ୍‌ସିର ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଏଁ ୱାର୍ଡ ସଚେତକ କମିଟି ଗଠନ ହୋଇଛି। ଏହି କମିଟିରେ ୨୫ରୁ ଅଧିକ ସଦସ୍ୟ ରହିଛନ୍ତି। ସେଥିରେ ସ୍ବେଚ୍ଛାସେବୀ, ମେଣ୍ଟର, ସିନିୟର ଅଫିସର, ଡାକ୍ତର ପ୍ରମୁଖ ରହିଛନ୍ତି, ଯେଉଁମାନେ ସେମାନଙ୍କ ୱାର୍ଡରେ କୋଭିଡ୍‌ ନିୟନ୍ତ୍ରଣ ପରିଚାଳନା ପାଇଁ କାର୍ଯ୍ୟ କରିବେ। ଏଥିପାଇଁ ଏହି ୨୫ଜଣିଆ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହାସହିତ କିଟ୍ସ ଏବଂ ଥର୍ମାଲ୍‌ ସ୍କାନର୍‌ ମଧ୍ୟ ଦିଆଯାଇଛି। ସୂଚନା ଆଦାନ ପ୍ରଦାନ ପାଇଁ ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଏଁ ୱାର୍ଡ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରାଯାଇଛି। ୫ଟି ୱାର୍ଡକୁ ନେଇ ଜଣେ ​‌େ​‌ଲଖାଏଁ ସିନିୟର ମ୍ୟୁନିସିପାଲ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ କରୋନା ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଦିନ ଅନୁଧ୍ୟାନ ଜାରି ରଖିଛନ୍ତି।

ବୃଦ୍ଧ, ବହୁରୋଗ ପୀଡ଼ିତ ଆଦି ଲୋକଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଏଥିପାଇଁ ୱାର୍ଡ କମିଟି ଓ ପୂଜା କମିଟି ଜରିଆରେ କେଉଁ ଘରେ ଏଭଳି ଲୋକ ରହିଛନ୍ତି ସେଥିପାଇଁ ଘରକୁ ଘର ବୁଲି ଚିହ୍ନଟ କରାଯାଉଛି। ଏହାସହିତ ଗୋଟିଏ ସଚେତକ ଆପ୍‌ କରାଯାଇଛି, ଯାହାକୁ ୬୨୦୦ଲୋକ ଡାଉନ୍‌ଲୋଡ୍‌ କରିସାରିଛନ୍ତି। ସେହି ଆପ୍‌ ଜରିଆରେ ଲୋକଙ୍କୁ ସୂଚନା ଦିଆଯିବା ସହିତ ଡାକ୍ତରୀ ସେବା ମଧ୍ୟ ଯୋଗାଇ ଦିଆଯାଇଛି। ସେହିପରି ଆପ୍‌ ଜରିଆରେ ସେମାନଙ୍କୁ ଯତ୍ନ ନେଉଥିବା ପୁଅ, ଝିଅ କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ତଥ୍ୟ ମଧ୍ୟ ନିଆଯାଉଛି। ଯେଉଁଲୋକମାନଙ୍କ ଘରେ ସେମାନଙ୍କୁ ଦେଖାଶୁଣା କରିବା ପାଇଁ କେହି ନାହାନ୍ତି ସେଭଳି କ୍ଷେତ୍ରରେ ଜଣେ ସଚେତକ କିମ୍ବା ସ୍ବେଚ୍ଛାସେବୀଙ୍କୁ ଗୋଟିଏ ପରିବାର ସହିତ ଟ୍ୟାଗ୍‌ କରାଯାଉଛି। ଏଭଳି ପଦକ୍ଷେପ ଦ୍ବାରା ସମସ୍ତ ବୃଦ୍ଧ ବ୍ୟକ୍ତି, ରୋଗାକ୍ରାନ୍ତ ଓ ଅସହାୟଙ୍କ ପାଖରେ ପହଞ୍ଚିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।
ବିଏମ୍‌ସି ପକ୍ଷରୁ ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବରରେ ରହିଥିବା ସବୁ ୱାର୍ଡର ରହିଥିବା ବସ୍ତିଗୁଡ଼ିକରେ ଆକ୍‌ଟିଭ୍‌ ସର୍ଭେଲାନ୍ସ କରାଯାଉଛି। ଯେଉଁମାନେ ଚିକିତ୍ସା ପାଇ ସୁସ୍ଥ ହୋଇଗଲେ ସେମାନଙ୍କ ପାଇଁ ମଧ୍ୟ ଏକ ଟ୍ରାଞ୍ଜିଟ୍‌ ହୋମ୍‌ କରାଯାଇଛି। ପାଖେ ପାଖେ ଘର ଥିବାରୁ ହୋମ୍‌ କ୍ବାରେଣ୍ଟାଇନ୍‌ ପାଇଁ ଅନୁମତି ଦିଆଯାଇନାହିଁ। ପ୍ରତ୍ୟେକ ବସ୍ତିରେ ଗୋଟିଏ ଲେଖାଏଁ ‘ସ୍ଲମ୍‌ କମିଟି’ ଗଠିତ ହୋଇଛି। ୧୨୦ଜଣ ପିଅର ଲିଡର୍‌ ଚିହ୍ନଟ କରାଯାଇଛି, ଯେଉଁମାନଙ୍କୁ ବସ୍ତି ଅଞ୍ଚଳରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ନିୟୋଜିତ କରାଯାଉଛି। କରୋନା ସଂକ୍ରମଣ ରୋକିବା ଓ ସଚେତନତା ସୃଷ୍ଟି ପାଇଁ ଆହ୍ବାନ ଅନେକ ରହିଛି। ମୁମ୍ବଇ, ଦିଲ୍ଲୀ, ଚେନ୍ନାଇ ଭଳି ସହରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଭୁବନେଶ୍ବର ଭଳି ସହରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ସମସ୍ତେ ସତର୍କ ରହିବେ ତାହେଲେ କରୋନା ମୁକାବିଲା କରାଯାଇପାରିବ। ଦିନକୁ ଦିନ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଛି, କିନ୍ତୁ ସତର୍କତା ଧୀରେ ଧୀରେ କମୁଛି; ଏହା ହେବା ଆଦୌ ଠିକ୍‌ ନୁହେଁ। ଅଯଥାରେ ବାହାରକୁ ନ ଯିବା, ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଆଦି ସମସ୍ତେ ନିରନ୍ତର ଭାବେ କରିବା ଜରୁରୀ। କାରଣ କରୋନା ମୁବାବିଲା ପାଇଁ ଦୀର୍ଘ ଦିନ ଲଢେଇର ଆବଶ୍ୟକତା ପଡୁଛି।
ସ୍ବାସ୍ଥ୍ୟ ଓ ପରିବାର ଗାଇଡ୍‌ଲାଇନ୍‌ ଅନୁଯାୟୀ ଭୁବନେଶ୍ବରର ଘରୋଇ ହସ୍‌ପିଟାଲ୍‌ ଓ କ୍ଲିନିକ୍‌ କାର୍ଯ୍ୟ କରନ୍ତୁ। ଏହି ଗାଇଡ୍‌ଲାଇନ୍‌କୁ ଦୟାକରି ଅନୁସରଣ କରନ୍ତୁ। ଆପଣଙ୍କର ଯେତେ ଷ୍ଟାଫ ଓ ଅଫିସର ରହିଛନ୍ତି ସେମାନଙ୍କୁ ତଦାରଖ, ନିୟନ୍ତ୍ରଣ, ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି ଭୁବନେଶ୍ବର କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ପ୍ରକାଶ କରିଛନ୍ତି।

Comments are closed.