ବାୟୁସେନା ଘାଟିରେ ଡ୍ରୋନ୍‌ନିରୋଧୀ ବ୍ୟବସ୍ଥା

ନୂଆଦିଲ୍ଲୀ: ଡ୍ରୋନ୍‌ ଆକ୍ରମଣର ୪ଦିନ ପରେ ଜାମ୍ମୁ ବାୟୁସେନା ଘାଟିରେ ଡ୍ରୋନ୍‌ନିରୋଧୀ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହ ଜାମର ଲଗାଯାଇଛି। ଜାତୀୟ ସୁରକ୍ଷା ବାହିନୀ ବା ଏନ୍‌ଏସ୍‌ଜି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ଘାଟିର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏଥିମଧ୍ୟରେ ‘ରେଡିଓ ଫ୍ରି​‌େ​‌କ୍ବନ୍ସି ଡିଟେକ୍‌ଟର’ ଓ ଡ୍ରୋନ୍‌ନିରୋଧୀ ବନ୍ଧୁକ ମଧ୍ୟ ମୁତୟନ ହୋଇଛି। ରବିବାର ରାତିରେ ହୋଇଥିବା ଡ୍ରୋନ୍‌ ଆକ୍ରମଣ ପରଠାରୁ ଘାଟି ନିକଟ ଆକାଶରେ ପ୍ରତିଦିନ ସନ୍ଦିଗ୍ଧ ଡ୍ରୋନ୍‌ ଠାବ କରାଯାଉଛି। ବୁଧବାର ମିରାନ ସାହିବ, କାଲୁଚକ ଓ କୁଞ୍ଜୱାରୀଠାରେ ଉଡ଼ୁଥିବା ୩ଟିକୁ ମିଶାଇ ଗତ ୪ଦିନ ମଧ୍ୟରେ ପ୍ରାୟ ୭ଟି ଡ୍ରୋନ୍‌ ଠାବ କରାଯାଇଛି। ମଙ୍ଗଳବାର କାଲୁଚକ-ରତ୍‌ନୁଚକ ସେନା ଘାଟିଠାରେ ଉଡ଼ୁଥିବା ଦୁଇଟି ଓ ସୁଞ୍ଜୱାନ ଘାଟିଠାରେ ଉଡ଼ୁଥିବା ଗୋଟିଏ ଡ୍ରୋନ୍‌କୁ ସୁରକ୍ଷାକର୍ମୀ ଘଉଡ଼ାଇଦେଇଥିଲେ। ଏଣିକି ଏଗୁଡ଼ିକୁ ଠାବ କରିବା ଓ ପ୍ରତିରୋଧ କରିବା କ୍ଷେତ୍ରରେ ଡ୍ରୋନ୍‌ନିରୋଧୀ ବ୍ୟବସ୍ଥା ଓ ଜାମର ସହାୟକ ହେବ ବୋଲି ଆଶା କରାଯାଉଛି। ବୁଧବାର ଏନ୍‌ଏସ୍‌ଜି ମହାନିର୍ଦେଶକ ଓ କେନ୍ଦ୍ର ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) ମହାନିର୍ଦେଶକଙ୍କୁ ଜାମ୍ମୁ ପଠାଯାଇଛି। ଇତିମଧ୍ୟରେ ଜାମ୍ମୁର ରଜୌରୀ ଜିଲା କୌଣସି ପ୍ରକାର ଉଡ଼ାଣ ସାମଗ୍ରୀ କିମ୍ବା ଡ୍ରୋନ୍‌ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି।

ଅପରପକ୍ଷରେ ଡ୍ରୋନ୍‌ ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନ୍‌ଆଇଏ’ ସୂତ୍ରରୁ ପ୍ରକାଶ ଯେ ଏହି ଆକ୍ରମଣରେ ଚୀନ୍‌ ନିର୍ମିତ ଡ୍ରୋନ୍‌ ବ୍ୟବହୃତ ହୋଇଛି। ଏହି ଡ୍ରୋନ୍‌ ସୈନ୍ୟବାହିନୀ ବ୍ୟବହାର ଉପଯୋଗୀ ବା ମିଲିଟାରୀ ଗ୍ରେଡ୍‌। ଏହି ଡ୍ରୋନ୍‌ ହିଁ କେବଳ ଆଇଇଡି ଭଳି ବିସ୍ଫୋରକ ପରିବହନ ଓ ବିସ୍ଫୋରଣ ଘଟାଇବାକୁ ସକ୍ଷମ। ଏଥିରେ ରାତ୍ରିକାଳୀନ କ୍ୟାମେରା ବ୍ୟବସ୍ଥା ରହିଛି। ଅନ୍ୟ ଏକ ଘଟଣାକ୍ରମେ ଦିଲ୍ଲୀ ପୁଲିସ ଆତଙ୍କବାଦନିରୋଧୀ ବାହିନୀର ବିଶେଷଜ୍ଞ ଦଳ ଜାମ୍ମୁର ଡ୍ରୋନ୍‌ ଆକ୍ରମଣ ସ୍ଥଳ ପରିଦର୍ଶନ କରିଛନ୍ତି। ମଙ୍ଗଳ ଓ ବୁଧବାର ଦୁଇ ଦିନ ଧରି ଏହାର ତିନି ଜଣିଆ ଦଳ ହାସଲ କରିଥିବା ତଥ୍ୟପ୍ରମାଣ ଏନ୍‌ଆଇଏକୁ ହସ୍ତାନ୍ତର କରିଛନ୍ତି। ଏହାର ଏକ ନକଲ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ମଧ୍ୟ ଦିଆଯିବ। ଏହି ଆକ୍ରମଣ ଷଡ଼ଯନ୍ତ୍ର ପାକିସ୍ତାନରେ ରଚିତ ହୋଇଥିବା ଓ ଘଟଣାସ୍ଥଳ ସହିତ ପରିଚିତ କୌଣସି ଶକ୍ତି ଏହାକୁ କାର୍ଯ୍ୟକାରୀ କରିଥିବା ଏଥିରେ ସନ୍ଦେହ ପ୍ରକଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଏବାର ହାତ ଥିବା ସନ୍ଦେହ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହି ଆକ୍ରମଣ ନେଇ ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ସତର୍କ ହୋଇପଡ଼ିଛନ୍ତି। ବୁଧବାର ଏଏଆଇ ପକ୍ଷରୁ ଆହୂତ ଏକ ଉଚ୍ଚସ୍ତରୀୟ ବୈଠକରେ ଡ୍ରୋନ୍‌ ତଥା ଏଭଳି ମାନବବିହୀନ କ୍ଷୁଦ୍ର ଯାନ (ୟୁଏଭି) ଉଡ଼ାଣ ସତର୍କତା ଅବଲମ୍ବନ କରାଯିବା ଓ ଏଭଳି କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସମ୍ପର୍କରେ ଆଲୋଚନା ହୋଇଛି।

Comments are closed.