ସିଏଏ ବିରୋଧରେ ବିଧାନସଭାରେ ପ୍ରସ୍ତାବ ପାରିତ କଲେ କେରଳ ସରକାର, ରାଜ୍ୟପାଳ କହିଲେ ଅସାମ୍ବିଧାନିକ

ଥିରୁଭାନ୍ତପୁରମ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବକୁ ଅସାମ୍ବିଧାନିକ ବୋଲି କହିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଏହି ପ୍ରସ୍ତାବର କୌଣସି ଆଇନଗତ କିମ୍ବା ସାମ୍ବିଧାନିକ ବୈଧତା ନାହିଁ, କାରଣ ନାଗରିକତା ସ୍ବତନ୍ତ୍ର ଭାବେ କେନ୍ଦ୍ରର ପ୍ରସଙ୍ଗ। ତେଣୁ ବାସ୍ତବରେ ଏହି ପ୍ରସ୍ତାବର କୌଣସି ମହତ୍ଵ ନାହିଁ ବୋଲି ରାଜ୍ୟପାଳ କହିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସିଏଏ ବିରୋଧରେ କେରଳ ବିଧାନସଭା ଦ୍ବାରା ପାରିତ ପ୍ରସ୍ତାବକୁ ଅସାମ୍ବିଧାନିକ ବୋଲି କହିଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୪୫/୪୬ ଏବଂ ୨୫୬ର ଉଦାହରଣ ଦେଇ କେରଳ ବିଧାନସଭାର ପ୍ରସ୍ତାବ ଭୁଲ ଏବଂ ସମ୍ବିଧାନ ବିରୋଧୀ ବୋଲି ଆଇନ ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ସରକାର ସମ୍ବିଧାନର ଶପଥ ନେଇଛି, ସେହି ସରକାର ଅସାମ୍ବିଧାନିକ କାର୍ଯ୍ୟ କରୁଛି। ସିଏଏକୁ ରାଜ୍ୟରେ ଲାଗୁ କରାଯିବ ନାହିଁ ବୋଲି କହୁଛି। ଏହି ଆଇନ ସଂସଦରେ ପାରିତ ହୋଇଛି। ନାଗରିକତା ଦେବା ଏବଂ ନେବା ସମ୍ବିଧାନର ସପ୍ତମ ଅନୁସୂଚୀର ବିଷୟ ଏବଂ ଏହା ଉପରେ ଆଇନ ଆଣିବାର ଅଧିକାର କେବଳ ସଂସଦର ରହିଛି। ସଂସଦ ନାଗରିକତା ସମ୍ପର୍କିତ କୌଣସି ବିଷୟରେ ଆଇନ ତିଆରି କରିପାରିବ।

Comments are closed.