ଆମକୁ ଅଲଗା କରନି, ଫେରେଇ ନିଅ ନାଗରିକ ଆଇନ

- ପୋଷ୍ଟକାର୍ଡ ଅଭିଯାନରେ ମୋଦୀଙ୍କୁ କରିବେ ଅନୁରୋଧ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହଜାର ହଜାର ସଂଖ୍ୟାରେ ପୋଷ୍ଟକାର୍ଡ ମାଧ୍ୟମରେ ଜଣାଇବାକୁ ଅଭିଯାନ ଆରମ୍ଭ କରିଛନ୍ତି। ସେମାନେ ଏହି ଆଇନକୁ ମୁସଲିମ ବିରୋଧୀ ବିବେଚନା କରୁଥିବା ଜଣାପଡିଛି। ନୂଆଦିଲ୍ଲୀର ମୁସଲିମ ବହୁଳ ଶାହୀନ ବାଗ ଅଂଚଳର ବିକ୍ଷୋଭକାରୀମାନେ ଶନିବାର ଏଭଳି ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରିବା ସହ ହିନ୍ଦୁ ଜାତୀୟତାବାଦୀ ନେତାମାନଙ୍କୁ ସେମାନଙ୍କ ନାଗରିକତା ପ୍ରମାଣ ପାଇଁ ବଳ ପ୍ରୟୋଗ ନ କରିବାକୁ କହିଛନ୍ତି।

ଏହି ଆଇନକୁ ନେଇ ଦେଶର ବିଭିନ୍ନ ଭାଗରେ ପ୍ରବଳ ବିରୋଧ ଦେଖାଦେଇଥିବା ବେଳେ ବିରୋଧୀ ଦଳ ମଧ୍ୟ ଏହି ଆଇନର ବୈଧତା ନେଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ସପ୍ତାହରେ ଏହାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି। ବିଶେଷ କରି ଶାହୀନ ବାଗ ଅଂଚଳର ମହିଳାମାନେ ପୋଷ୍ଟକାର୍ଡ ସଂଗ୍ରହ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ନାଗରିକ ସଂଶୋଧନ ଆଇନକୁ ନିରସ୍ତ୍ର କରିବା ସହ କୌଣସି ଭାରତୀୟଂକୁ ନାଗରିକତା ପ୍ରମାଣ ଦେବାକୁ ହେବ ନାହିଁ ବୋଲି ଘୋଷଣା କରିବାକୁ ଆହ୍ୱାନ ଦେଇଛନ୍ତି।

ସେମାନେ ପୋଷ୍ଟକାର୍ଡରେ ଲେଖିଛନ୍ତି,”ମୋଦୀ ଜୀ, ନାଗରିକ ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକା ବନ୍ଦ କରାଯାଉ। ଧର୍ମ ଆଧାରରେ ହେଉଥିବା ଏହି ବିଭାଜନ କାର୍ଯ୍ୟକୁ ଆମେ ପ୍ରତ୍ୟାଖାନ କରୁଛୁ। ଦୟାକରି ଭାରତକୁ ଭାଗ ଭାଗ କରା ନଯାଉ। ଆମେ ବାସ୍ତବରେ ଭାରତକୁ ଭଲ ପାଉ।”

ଏହି ପୋଷ୍ଟକାର୍ଡ ଅଭିଯାନରେ ସାମ୍ବାଦିକ, ଶିକ୍ଷାବିତ ପ୍ରମୁଖ ସାମିଲ ହୋଇଥିବା ବେଳେ ପ୍ରାୟ ୧ ହଜାର ୮୦୦ ପୋଷ୍ଟକାର୍ଡ ସଂଗ୍ରହ କରାଯାଇଥିବା ଜଣାପଡିଛି। ମୁସଲିମ ମହିଳାମାନେ ଏହି ଅଭିଯାନର ନେତୃତ୍ୱ ନେଉଥିବା ଜଣାପଡିଛି। ଇଂଲିଶ, ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ଲେଖାଥିବା ପୋଷ୍ଟକାର୍ଡଗୁଡିକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନଙ୍କ ସହ ଚା’ରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି।

Comments are closed.