ଆସିଲାଣି ପର୍ଯ୍ୟଟନ ଋତୁ, ସଜେଇ ହୋଇଛି ଅଂଶୁପା

ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅଧିନ ଅଂଶୁପା ଏକ ମଧୁର ହ୍ରଦ ଭାବରେ ଓଡିଶା ନୁହେଁ ବରଂ ଏସିଆ ମହାଦେଶର ୨ୟ ମଧୁର ହ୍ରଦ ଭାବରେ ମାନ୍ୟତା ପାଇଛି। ପ୍ରକୃତିକ ଶୋଭାରାଜି ବିମଣ୍ଡିତ ସରଣ୍ଡାଗଡର ପାଦ ଦେଶରେ ଅବସ୍ଥିତ ଅଂଶୁପା ହ୍ରଦର ମଧୁର ଶୀତଳ ନୀଳ ଜଳରାଶି ପର୍ଯ୍ୟଟକଙ୍କୁ ବେଶ୍‍ ଆକୃଷ୍ଟ କରିବାରେ ସକ୍ଷମ ହୋଇଛି। ଶୀତ ଋତୁ ଆସିଲେ ରାଜ୍ୟର ବହୁ ପର୍ଯ୍ୟଟକଙ୍କର ସୁଅ ଛୁଟେ ଏହି ସ୍ଥାନକୁ। ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟିଙ୍କ ଦ୍ୱାରା ଅଂଶୁପା ହ୍ରଦ କୂଳରେ ପ୍ରକୃତିକ ଉଦ୍ୟାନର ଉନ୍ନତି କରଣ ଅବ୍ୟାହତ ରହିଛି। ବିଗତ ଦିନରେ ଅଂଶୁପା ବକ୍ଷରେ ନାଗା ଦଳ ଭର୍ତ୍ତି ହୋଇ ସୌନ୍ଦର୍ଯ୍ୟକୁ ନଷ୍ଟ କରିଥିଲା। ପର୍ଯ୍ୟାୟ କ୍ରମେ ଦଳକୁ ସଫା କରି ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରାଯାଇଛି।

ମାର୍ଚ୍ଚ ମାସରୁ କୋଭିଡ୍‍ କଟକଣାରେ ଦୀର୍ଘ ୬ମାସ କାଳ ଅଂଶୁପା ପର୍ଯ୍ୟଟନ ସ୍ଥଳକୁ ପ୍ରବେଶ ନିଶେଦ୍ଧ କରାଯାଇଥିଲା। ବହୁ ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳର ଜୀବନ ଜିବୀକା ଅନୁରୂପ ଭାବରେ ପ୍ରଭାବିତ ହୋଇଥିଲା। ଅଗଷ୍ଟ ମାସ ଶେଷ ସପ୍ତାହରେ ମହାନଦୀର ମଧ୍ୟମ ଧରଣର ବନ୍ୟା ଜଳ ଅଂଶୁପା ମଧ୍ୟକୁ ପ୍ରବେଶ କଲାପରେ କୂଳସ୍ଥିତ ପ୍ରକୃତିକ ଉଦ୍ୟାନ ଓ ସୌନ୍ଦର୍ଯ୍ୟୀ କରଣ ନଷ୍ଟ ହୋଇଥିଲା। ଅକ୍ଟୋବର ମାସରେ ପର୍ଯ୍ୟଟନ କ୍ଷେତ୍ର ପାଇଁ କୋଭିଡ୍‍ କଟକଣା କୋହଳ ହେଲାପରେ ଅକ୍ଟୋବର ୪ତାରିଖରୁ ଅଂଶୁପାର ପ୍ରାକୃତିକ ଶୋଭାକୁ ପରିପୂର୍ଣ୍ଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର କାର୍ଯ୍ୟ ଲାଗିରହିଥିଲା।

ଏବେ ଶୀତ ଋତୁର ଆଗମନରେ ଅଂଶୁପା କୂଳ ପର୍ଯ୍ୟଟନ ସ୍ଥଳ ବେଶ୍‍ ସଜେଇ ହୋଇଛି। ବିଦେଶାଗତ ପକ୍ଷୀମାନେ ଅଂଶୁପାକୁ ଆସିନଥିଲେ ମଧ୍ୟ ନୀଳ ଜଳରାଶିର ଦୃଶ୍ୟ ବେଶ୍‍ ମନଲୋଭା ହୋଇଛି। ସୂଚନା ଯୋଗ୍ୟ ଯେ ବିଗତ ବର୍ଷରେ ପର୍ଯ୍ୟଟନ ଋତୁରେ ବହୁ ପର୍ଯ୍ୟଟନ ଆସୁଥିଲା ପରି ଚଳିତ ବର୍ଷ ମଧ୍ୟ ଆସିବାର ସମ୍ଭାବନା ବଢିଛି। ଶିଶୁ ମନୋରଞ୍ଜନ ପାଇଁ ଶିଶୁ ଉଦ୍ୟାନ,ଅଂଶୁପା ହ୍ରଦରେ ବୋଟିଂର ମଜା ନେବାପାଇଁ ଯନ୍ତ୍ର ଚାଳିତ ଡଙ୍ଗା ସହିତ ସ୍ୱୟଂ ଚାଳିତ ଡଙ୍ଗାର ବ୍ୟବସ୍ଥା,ମନୋରମ ପାର୍କ,ଶିଶୁ ଠାରୁ ଆରମ୍ଭକରି ଯୁବପିଢୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଛି। ସୁନ୍ଦର କୋମଳ ଘାସ ଗାଲିଚା ସହ ରଙ୍ଗ ବେରଙ୍ଗର ଫୁଲର ସମ୍ଭାରରେ ସଜେଇ ହୋଇଛି।

ସେହିପରି ବିଶୁଦ୍ଧ ପାନୀୟଜଳ,ପର୍ଯ୍ୟଟକଙ୍କ ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା,ଉଚ୍ଚ ମାନର ଶୌଚାଳୟ,ଓାଚ୍‍ ଟାଓାର ବେଶ୍‍ ବ୍ୟବସ୍ଥିତ ରହିଛି। ସକାଳ ୯ଘଟିକା ଠାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପାର୍କକୁ ପ୍ରବେଶ ଓ ବୁଲାଚଲା କରିବାର ଶୃଙ୍ଖଳିତ ସେବା ରହିଛି। ସେହିପରି ଅନୁରୂପ ଭାବରେ ଯୁବପିଢୀଙ୍କ ପାଇଁ ୩ଟି ସେଲ୍‌ଫିଜୋନ ଥିବା ବେଳେ କୃତ୍ରିମ ଝରଣାର ସୌନ୍ଦର୍ଯ୍ୟୀ କରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଇଛି। ପର୍ଯ୍ୟଟକଙ୍କ ଭ୍ରମଣ ସମୟରେ କୋଭିଡ୍‍ ଗାଇଡଲାଇନ ସହ ପର୍ଯ୍ୟଟକ ମାନେ ଦୂରତା ରକ୍ଷା କରିବା ସହିତ ମାକ୍ସ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି। ପ୍ରବେଶ ପଥରେ ସାନିଟାଇଜର ବ୍ୟବସ୍ଥା ପର୍ଯ୍ୟଟକଙ୍କ ପାଇଁ ଗ୍ରହଣ କରାଯିବା ସମ୍ପର୍କରେ ସୂଚନା ମିଳିଛି। ଠିକ ସେହିପରି ନିକଟରେ ବନ ବିଭାଗର ପ୍ରତ୍ୟେକ୍ଷ ତତ୍ୱାବଧାନରେ ସରଣ୍ଡା ପାହାଡର ଶୀର୍ଷରେ ସୁଉଚ୍ଚ ଟାଓାର,ବାଉଁଶ କୂଟୀର ଓ ଆକର୍ଷଣୀୟ ପାର୍କର ସୁବିଧା ପର୍ଯ୍ୟଟକ ମାନଙ୍କ ପାଇଁ ଉପଲବ୍ଧ ଥିବା ବେଳେ ସରଣ୍ଡାଗଡର କିର୍ତ୍ତୀରାଜି ସମ୍ପର୍କରେ ସୂଚନାଙ୍କ ପରିଦର୍ଶନ କରିବାର ସୁବିଧା ପର୍ଯ୍ୟଟକ ମାନଙ୍କୁ ବେଶ୍‍ ଆନନ୍ଦ ଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ପର୍ଯ୍ୟଟନ ଋତୁରେ ସଜେଇ ହୋଇଥିବା ଅଂଶୁପା ପର୍ଯ୍ୟଟନ ମାନଙ୍କୁ ମନୋରଞ୍ଜନର ଆନନ୍ଦ ପ୍ରଦାନ କରିବା ଦିଗରେ ସକ୍ଷମ ହୋପାରିବ ବୋଲି ଅଂଶୁପା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।

Comments are closed.