ତ୍ରିପୁରାରେ ‘ନିର୍ଭୟା’ କାଣ୍ଡ; ଚଳନ୍ତା ଗାଡିରେ ଗଣଦୁଷ୍କର୍ମ ପରେ ବିଚ୍ ରାସ୍ତାରେ ଫିଙ୍ଗିଲେ ଦୁର୍ବୃତ୍ତ

ଅଗରତଲା: ତ୍ରିପୁରାର ରାଜଧାନୀ ଅଗରତଲାରେ ଦିଲ୍ଲୀ ନିର୍ଭୟାକାଣ୍ଡ ଭଳି ଏକ ଘଟଣା ଘଟିଯାଇଛି। ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ସଡକ ଉପରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଘଟିଛି। ଏନେଇ ପୀଡିତାଙ୍କ ସ୍ବାମୀ ବୁଧବାର ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ୬ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ୭ଟାରେ ପୀଡିତା ଜଣଙ୍କ ନିଜର ୬ ବର୍ଷର ରୋଗାଗ୍ରସ୍ତ ଶିଶୁକନ୍ୟାକୁ ମେଡିକା​‌ଲରେ ଭେଟି ଘରକୁ ଫେରୁଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଛି। ପୀଡିତା ଘରକୁ ଯିବା ପାଇଁ ଏକ ଅଟୋରେ ବସିଥିଲେ। ସେଥିରେ ଅନ୍ୟ ୪ଜଣ ଲୋକ ବସିଥିଲେ ଏବଂ ପୀଡିତା ଜଣଙ୍କ ଅଟୋ ଚାଳକଙ୍କୁ ପୂର୍ବରୁ ଜାଣିଥିଲେ। ଅଟୋ ଚାଳକ ମୁଖ୍ୟ ରାସ୍ତାରେ ଯାଇ ଅନ୍ୟ ଏକ ନିଛାଟିଆ ରାସ୍ତାରେ ଯାଇଥିଲା। ଏନେଇ ପୀଡିତା ଜଣଙ୍କ ତାଙ୍କୁ ବାରଣ କରିବାରୁ  ଯାତ୍ରୀଙ୍କୁ ଛାଡିବେ ଏବଂ ଅନ୍ୟ ଯାତ୍ରୀଙ୍କୁ ଉଠାଇବେ ବୋଲି କହି ଅଟୋ ଚାଳକ ସେହି ରାସ୍ତାରେ ଯାଇଥିଲେ। ପୀଡିତା ପାଟି କାରିବାରୁ ଅଟୋରେ ଥିବା ୪ଜଣ ଲୋକ ତାଙ୍କ ପାଟି ବନ୍ଦ କରିବା ସହ ହାତ ଗୋଡ ବାନ୍ଧି ଦେଇଥିଲେ। କିଛି ଦୂର ଯିବା ପରେ ଏକ କାର ନିକଟରେ ଅଟୋ ଅଟକିଥିଲା। ସେଠାରେ ମଧ୍ୟ ଅନ୍ୟ କିଛି ଲୋକ ଥିଲେ। ମହିଳାଙ୍କୁ ଉକ୍ତ କାରରେ ନେଇ ପ୍ରାୟ ୧୫ କିମି ଦୂର ନରସିଂହଗଡ ଯିବା ପରେ ସେହି ସ୍ଥାନରେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟ ୪ଜଣ ମଧ୍ୟ କାରରେ ବସିଥିଲେ। ଚଳନ୍ତା ଗାଡିରେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ରାତି ପ୍ରାୟ ସାଢେ ୧୧ଟାରେ ସର୍କିଟହାଉସ ନିକଟରେ ପୀଡିତାଙ୍କୁ ଫିଙ୍ଗି ଦେଇ ଚାଲି ଯାଇଥିଲେ। ସ୍ଥାନୀୟଲୋକ ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

Comments are closed.