ଉତ୍ତର ପ୍ରଦେଶର ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଆଉ ଜଣେ ମନ୍ତ୍ରୀ ବୁଧବାର ନିଜ ପଦ ସହିତ ଦଳରୁ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ପ୍ରମୁଖ ଓବିସି (ଅନ୍ୟ ପଛୁଆ ବର୍ଗ) ନେତା ଦାରା ସିଂହ ଚୌହାଣ। ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ଆଖି ବୁଜି ଦେଇଥିବା ଆଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି। ଦଳ ଚାଡ଼ିବା ସହିତ ମୌର୍ଯ୍ୟ ମଧ୍ୟ ଦାରାଙ୍କ ଭଳି ସମାନ ଅଭିଯୋଗ କରିଛନ୍ତି। ମଙ୍ଗଳବାର ବିଜେପିର ବରିଷ୍ଠ ଓବିସି ନେତା ଓ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଦଳ ଛାଡ଼ିଛନ୍ତି। ସେମାନେ ସମାଜବାଦୀ ପାର୍ଟିରେ ଯୋଗ ଦେବା ସମ୍ଭାବନା ରହିଛି। ଏମାନଙ୍କୁ ମିଶାଇ ଦୁଇ ଦିନ ମଧ୍ୟରେ ୨ଜଣ ମନ୍ତ୍ରୀ ଓ ୪ ବିଧାୟକ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଲେଣି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେପିର ଓବିସି ନେତାମାନେ ପଳାୟନ କରିବା ଦଳ ପାଇଁ ଧକ୍କା ହୋଇଛି। ଚୌହାଣ ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବରେ ଥିଲେ। ସେ ରାଜ୍ୟର ପୂର୍ବାଞ୍ଚଳରୁ ପ୍ରତିନିଧିତ୍ବ କରୁଥିଲେ। ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ପରିତ୍ୟାଗ କରି ସେ ୨୦୧୫ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ବିଜେପି ଓବିସି ମୋର୍ଚ୍ଚାର ସଭାପତି ଥିଲେ। ସେ ୨୦୦୯ରୁ ୧୪ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିଲେ। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦାରାଙ୍କୁ ନିଷ୍ପତ୍ତିର ପୁନର୍ବିଚାର ପାଇଁ ନିବେଦନ କରିଛନ୍ତି। ସ୍ବାମୀ ପ୍ରକାଶ ମୌର୍ଯ୍ୟଙ୍କୁ ମଧ୍ୟ କେଶବ ସମାନ ନିବେଦନ କରିଥିଲେ। ତାଙ୍କୁ ଆଗାମୀ ସରକାରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରିପଦ ପ୍ରଦାନ ସହ ସମସ୍ତ ଆପତ୍ତିର ବିଚାର କରାଯିବ ବୋଲି ଲୋଭ ଦେଖାଇଥିବା ଜଣାପଡ଼ିଛି। ଅପରପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ ବୁଧବାର ସ୍ବାମୀ ପ୍ରକାଶଙ୍କ ସହ ତାଙ୍କର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଛନ୍ତି।

ସ୍ବାମୀ ପ୍ରସାଦଙ୍କ ବିରୋଧରେ ଗିରଫ ପରୱାନା
ଲକ୍ଷ୍ନୌ : ମନ୍ତ୍ରିପଦ ଛାଡ଼ିବାର ଦିନକ ପରେ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ୭ବର୍ଷର ପୁରୁଣା ମାମଲାରେ ଗିରଫ ପରୱାନା ଜାରି କରାଯାଇଛି। ​‌େ​ମ‌ୗର୍ଯ୍ୟଙ୍କୁ ୨୦୧୪ରେ ଏକ ଘୃଣିତ ମନ୍ତବ୍ୟ ମାମଲାରେ ବୁଧବାର ସୁଲତାନପୁରସ୍ଥିତ ଅଦାଲତରେ ହାଜର ନିର୍ଦେଶ ଥିଲେ ମଧ୍ୟ ସେ ହାଜର ହୋଇ ନାହାନ୍ତି। ଆସନ୍ତା ୨୪ରେ ତାଙ୍କୁ ହାଜର ହେବା ପାଇଁ ଅଦାଲତ ନିର୍ଦେଶ ଦେଇଛି। ଆପତ୍ତିଜନକ ସାମ୍ପ୍ରଦାୟିକ ଘୃଣ୍ୟ ମନ୍ତବ୍ୟ ଦେବାବେଳେ ସେ ବହୁଜନ ସମାଜ ପାର୍ଟିରେ ଥିଲେ। ଗଣେଶ ଓ ଗୌରୀ (ପାର୍ବତୀ)ଙ୍କୁ କୌଣସି ବିବାହ ଉତ୍ସବରେ ପୂଜା କରାଯିବା ଅନୁଚିତ ବୋଲି କହିବା ସହ ଏହାକୁ ଉଚ୍ଚ ଜାତିର ଏକ ଷଡ଼ଯନ୍ତ୍ର ବୋଲି ସେ ଦର୍ଶାଇଥିଲେ। ୨୦୧୬ରେ ଏହି ମାମଲାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ମଧ୍ୟ ଗିରଫ ପରୱାନା ଜାରି ହୋଇଥିଲା; କିନ୍ତୁ ମାମଲା ଚାଲୁଥିବାରୁ ଏହା କାର୍ଯ୍ୟକାରୀ ହୋଇ ନ ଥିଲା।

Comments are closed.