ସାମ୍ବାଦିକ ଅମଜାଦଙ୍କ ଅକାଳ ବିୟୋଗ : ବିଭିନ୍ନ ମହଲରେ ଶୋକ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାର ପ୍ରତିଭାଶାଳୀ ଯୁବ ସାମ୍ବାଦିକ ଅମଜଦ ବାଦଶାହଙ୍କ ୪୪ବର୍ଷ ବୟସରେ ଅକାଳ ବିୟୋଗ ହୋଇଛି । ରବିବାର ଅପରାହ୍ନ ସାଢେ‌େ‌ ୪ ଟାରେ ରାଉରକେଲା କୋଭିଡ୍ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗତ ୭ତାରିଖ ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୧୮ଦିନ ହେଲା ସଘନ ଚିକିତ୍ସା ଓ ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସି ନ ଥିଲା । ଶ୍ବାସ କ୍ରିୟାରେ ଅସୁବିଧା ଅନୁଭବ କରିବାରୁ ରବିବାର ଆଇସିୟୁରେ ରଖାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ତାଙ୍କ ମାଁଙ୍କୁ ମଧ୍ୟ କରୋନା ହୋଇଥିବାରୁ ରାଉରକେଲାରେ ଚିକିିତ୍ସା କରାଯାଉଥିଲା ଓ ସେ ଆରୋଗ୍ୟ ହୋଇ ଫେରିଥିବା ଜଣାଯାଇଛି । ଅମଜାଦଙ୍କ ନିଜ ଖୁଡ଼ି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା କୋଭିଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଅମଜଦ ବାଦଶାହଙ୍କ ଘରେ ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନ ଅଛନ୍ତି। ପଶ୍ଚିମ ଓଡ଼ିଶାର ଜଣେ ସୁପରିଚିତ କବି ଗୌନ୍ତିଆ ଜମିଉଲ୍ଲାଙ୍କ ସେ ଏକମାତ୍ର ପୁତ୍ର ଥିଲେ । ଜଣେ ପ୍ରଗତିଶୀଳ ସାମ୍ବାଦିକ ଭାବରେ ଅମଜଦ ଝାରସୁଗୁଡ଼ା ଜିଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ପରିିଚିତ ଥିଲେ। କେବଳ ସାମ୍ବାଦିକତା ନୁହେଁ ଆଇଆଇଏମ ପ୍ରତିଷ୍ଠା ଆନ୍ଦୋଳନରୁ ଆରମ୍ଭ କରି ଘରୋଇ ସ୍କୁଲରେ ଫି’ ବୃଦ୍ଧିର ପ୍ରତିବାଦ ପର୍ଯ୍ୟନ୍ତ ସେ ପ୍ରତ୍ୟେକ କ୍ଷେତ୍ରରେ ସକ୍ରିୟ ରହୁଥିଲେ। ତା’ ଛଡ଼ା ସମାଜସେବାରେ ତାଙ୍କର ଅନେକ ଭୂମିକା ଥିଲା । ଢେଙ୍କାନାଳରେ ସାମ୍ବାଦିକତା ପାଠ୍ୟକ୍ରମ ସାରି ସେ ବିଭିନ୍ନ ଟିଭି ଚାନେଲରେ କାମ କରିଥିଲେ। ଗତ ୬ ବର୍ଷ ହେବ ସେ ନିଜସ୍ୱ ଏକ ଡ଼ିଜିଟାଲ ଚାନେଲ ଚଳାଉଥିଲେ,ତା’ ଛଡ଼ା ସାମ୍ବାଦିକତା ଶିକ୍ଷାଦାନ ମଧ୍ୟ ଜାରି ରଖିଥିଲେ  ତାଙ୍କର ବିୟୋଗରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସମେତ ବିଭିନ୍ନ ସାମାଜିକ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Comments are closed.