ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭାରେ ୫ ଦମକଳ ନିୟୋଜିତ

ଚୌଦ୍ୱାର : ଚୌଦ୍ୱାର ଚାରବାଟିଆ ସ୍ଥିତ ଆଭିଏସନ ରିସର୍ଚ୍ଚ ସେଣ୍ଟର (ଏଆରସି) ପରିସରରେ ଗତ ଶନିବାରଦିନ ଭୟାବହ ଅଗ୍ନିକାଣ୍ଡ ଘଟିଥିବାବେଳେ ଏହାର ଠିକ୍ ୩ଦିନ ପରେ ଅର୍ଥାତ୍ ଆଜି ପୁଣିଥରେ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ଦିନ ୨ଟା ସମୟରେ ବାଣୀପଦା ପଟୁ ଏଆରସି ପାଚେରୀ ଭିତରେ ପ୍ରବଳ ଧୁଆଁ ଉୁଠିବାରୁ ଆଖପାଖ ଗ୍ରାମର ଲୋକମାନେ ଭୟବୀତ ହୋଇ ପଡ଼ିଥିଲେ। ପରେପରେ ପ୍ରବଳ ମାତ୍ରାରେ ନିଆଁ ଆକାଶକୁ ଉଠିବା ଫଳରେ ସମଗ୍ର ଅଞ୍ଚଳ ଉତ୍ତପ୍ତ ହୋଇ ଯାଇଥିଲା । ଏଆରସିର ଦମକଳ ବାହିନୀ, କଟକ ଓ ଚୌଦ୍ୱାର ଦମକଳ ବାହିନୀ ଅପରାହ୍ନ ୩ଟାରୁ ନିଆାଁ ଲିଭା କାର୍ଯ୍ୟରେ ଲାଗିଥିଲେ ସୁଦ୍ଧା ସଂଧ୍ୟା ୭ଟା ପର୍ଯ୍ୟନ୍ତ ନିଆାଁକୁ ଆୟତ୍ତ କରିବା ସମ୍ଭବପର ହୋଇ ପାରି ନଥିବା ଜଣାପଡ଼ିଛି। ଏଆରସି ପରିସରରେ ବ୍ୟାପକ ଅନାବନା ଗଛ ଉଠି ଜଙ୍ଗଲରେ ପରିଣତ ହୋଇଥିବା ଓ ଏସବୁ ଶୁଖି ଯାଇଥିବାରୁ ପବନରେ ନିଆଁ ଖୀପ୍ର ବେଗରେ ବ୍ୟାପି ଯାଇଥିଲା । ବୁଦୁ ବୁଦିକିଆ ଜଙ୍ଗଲ ଭିତରେ ଦମକଳ ଗାଡି ଆସି ନିଆଁ ଲିଭାଇବା ପାଇଁ ନାକେଦମ ହେବାକୁ ପଡିଥିଲା। ଏଆରସି ଏକ ନିଷିଦ୍ଧାଞ୍ଚଳ ହୋଇଥିବା ହେତୁ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ସମ୍ଭବପର ହୋଇ ପାରୁନଥିବା ସୂଚନା ଦେଇଛନ୍ତି ଜଣେ କର୍ମଚାରୀ।

ମିଳିଥିବା ସୁଚନା ଅନୁଯାୟୀ, ଏହି ପରିସରରେ ଥିବା ବିଭିନ୍ନ ଅନାବନା ଗଛ ସହିତ ଶୁଖିଲା କାଜୁ ଜଙ୍ଗଲରେ ଗ୍ରୀଷ୍ମ ଋତୁରେ ବାରମ୍ବାର ନିଆାଁ ଲାଗିଥାଏ । ଏହା ମନୁଷ୍ୟକୃତ କିମ୍ବା ଦୁର୍ଘଟଣା ଜନିତ ତାହା ଜାଣିବା ସମ୍ଭବପର ହୋଇ ପାରୁନାହିଁ। ଏବେ ଏହି ଅଗ୍ନିକାଣ୍ଡ ବାରମ୍ବାର ଘଟୁଥିବାରୁ ଏଆରସି ଚାରି ପାଖରେ ଥିବା ୨ଟି ପଞ୍ଚାୟତ ଓ ଚୌଦ୍ୱାର ପୌରପାଳିକାର ଜନ ସାଧାରଣ ଆତଙ୍କିତ ହୋଇ ରହୁଛନ୍ତି । ମଙ୍ଗଳବାର ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ସୁଚନାଯୋଗ୍ୟ, ଗତ ଜାନୁୟାରୀ ୨୭ତାରିଖରେ ମଧ୍ୟ ଏଭଳି ନିଆଁ ଏଆରସି ପରିସରର ମଙ୍ଗରାଜପୁର ପଟ କାଜୁ ଜଙ୍ଗଲରେ ଲାଗିଥିବା ବେଳେ ଫେବୃୟାରୀ ୨୭ରେ ଓ ମଙ୍ଗଳବାର ଦିନ ପରିସରର ବାଣୀପଦା ପଟରେ ଲାଗିଛି।

Comments are closed.