୨୦ରେ ଭାରତକୁ ଆସିବ ୪ ରାଫେଲ, ପୁନଃ କାର୍ଯ୍ୟକ୍ଷମ ହେବ ହାଶିମାରା ୧୦୧ ସ୍କ୍ବାଡ୍ରନ୍‌

ନୂଆଦିଲ୍ଲୀ: ଆସନ୍ତା ୧୯ କିମ୍ବା ୨୦ ତାରିଖରେ ୬ଷ୍ଠ ପର୍ଯ୍ୟାୟରେ ଭାରତକୁ ୪ଟି ରାଫେଲ ଯୁଦ୍ଧ ବିମାନ ଆସିବ। ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏ ନେଇ ସୂଚନା ମିଳିଛି। ଏହି ଯୁଦ୍ଧ ବିମାନ ପହଞ୍ଚିବା ପରେ ଭାରତୀୟ ବାୟୁସେନାରେ ରାଫେଲ ସଂଖ୍ୟା ୨୦କୁ ବୃଦ୍ଧି ପାଇବ। ପୂର୍ବରୁ ଆସିଥିବା ବିମାନଗୁଡ଼ିକ ବାୟୁସେନାରେ ସାମିଲ ହୋଇସାରିଛି।

ମେରିଗ୍‌ନେକ-ବୋର୍ଡୋ ବିମାନଘାଟିରୁ ୪ଟି ଯାକ ରାଫେଲ ସିଧା ଅମ୍ବାଲା ଆସିବେ। ଏହାସହିତ ଭାରତୀୟ ବାୟୁସେନା ପଶ୍ଚିମବଙ୍ଗର ହାଶିମାରାରେ ଥିବା ୧୦୧ ‘ଫାଲ୍‌କନ୍ସ ଅଫ ଚମ୍ବ’ ସ୍କ୍ବାଡ୍ରନଙ୍କୁ ପୁଣି ଥରେ ଜୀବନ୍ୟାସ ଦେବାକୁ ପ୍ରସ୍ତୁତ ହୋଇଛି। ହାଶିମାରା ବିମାନଘାଟିକୁ ସମ୍ପୂର୍ଣ୍ଣ ରୂପେ ନୂଆ ରୂପ ଦିଆଯାଇଛି। ଏହାର ରନୱେ, ଗୋଳାବାରୁଦ ଡିସେପା, ବ୍ଲାଷ୍ଟ ପେନ୍‌ ଏବଂ କର୍ମଚାରୀଙ୍କ ବାସଭବନ ବ୍ୟତୀତ ରକ୍ଷଣାବେକ୍ଷଣ ପାଇଁ ଜରୁରୀ ସାମଗ୍ରୀ ମଧ୍ୟ ଉପଲବ୍ଧ କରାଯାଉଛି। ଚଳିତ ମାସ ଶେଷ ବେଳକୁ ଏହି ବିମାନଘାଟିକୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ଏହି ସ୍ଥାନରେ ବିମାନଗୁଡ଼ିକୁ ପାର୍କିଂ କରାଯିବ। ଯୁଦ୍ଧ ସମୟରେ ଏଠାରୁ ଦେଶରେ ଯେକୌଣସି ସ୍ଥାନରେ ବିମାନ ସଞ୍ଚାଳନ କରାଯିବ।

Comments are closed.