ପହଞ୍ଚିଲା ଆଉ ୯ଲକ୍ଷ କୋଭିଡ ପ୍ରତିଷେଧକ ଟିକା

ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ଟିକାକରଣକୁ ବ୍ୟାପକ କରିବା ସହିତ ଲୋକଙ୍କୁ ମହାମାରୀ ଦାଉରୁ ସୁରକ୍ଷିତ ରଖିବା ଲାଗି ଚାଲିଥିବା ଟିକାକରଣକୁ ଅଧିକ ବ୍ୟାପକ କରାଯିବ। ଇତିମଧ୍ୟରେ ପ୍ରାୟ ୧୦ ଲକ୍ଷ ଟିକାକରଣ ହୋଇ ସାରିଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପୁଣି କେନ୍ଦ୍ର ସରକାର ୯ଲକ୍ଷରୁ ଊର୍ଦ୍ଧ୍ବ କୋଭିସିଲ୍ଡ ଟିକା ରାଜ୍ୟ ପଠାଇଛନ୍ତି। ଏହାକୁ ନେଇ ଖୁବଶୀଘ୍ର ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଇତିମଧ୍ୟରେ ଓଡ଼ିଶାକୁ ୭ଟି ପର୍ଯ୍ୟୟରେ ୨୫ ଲକ୍ଷ ଟିକା ଆସିଛି। ଜାନୁଆରୀ ୧୨ରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ୪୦ ହଜାର ୮୦୦ କୋଭିସିଲ୍ଡ ଭାଏଲ୍‌ ଟିକା ଆସିଥିବାବେଳେ ଏହାପରେ ୫ଟି ପର୍ଯ୍ୟାୟରେ ପ୍ରାୟ ୧୬ଲକ୍ଷ ଟିକା ପହଞ୍ଚିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଆଉ ୯ ଲକ୍ଷ ୪ ହଜାର ୧୮୦ କୋଭିସିଲ୍ଡ ଆସି ପହଞ୍ଚିଛି। ତେବେ ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ଟିକାକରଣରେ ଇତିମଧ୍ୟରେ ୯୦.୮୮ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ ହୋଇଛି। ସେହିପରି ଫେବୃଆରୀ ୧୫ରୁ ଆରମ୍ଭ କୋଭିଡ଼ ଯୋଦ୍ଧାଙ୍କ ଟିକାକରଣ ହାର ୭୭.୪ ପ୍ରତିଶତକୁ ଛୁଇଁଛି। ହେଲେ ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଟିକାକରଣ ଇତିମଧ୍ୟରେ ୨ ଲକ୍ଷ ୨୫ ହଜାର ୩୬୫ରେ ପହଞ୍ଚିଲାଣି। ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କ ଅପେକ୍ଷା ବରିଷ୍ଠ ନାଗରିକଙ୍କ ଟିକାକରରଣ ହାର ଅଧିକ ରହିଛି। ମାର୍ଚ୍ଚ ପହିଲାରେ ୧୧ ହଜାର ୨୮୯ ବରିଷ୍ଠ ନାଗରିକ ଟିକା ନେଇଥିବାବେଳେ ମଙ୍ଗଳବାର ୨୦ ହଜାର ୯୫୨, ବୁଧବାର ୨୩ହଜାର ୭୯୨, ଗୁରୁବାର ୩୯ ହଜାର ୮୪୯, ଶୁକ୍ରବାର ୧୮ହଜାର ୬୦୬, ଶନିବାର ୨୮ହଜାର ୫୯୭, ସୋମବାର ୪୮ହଜାର ୨୪ ଏବଂ ମଙ୍ଗଳବାର ୩୭ହଜାର ୪୦୭ ବରିଷ୍ଠ ନାଗରିକ ଟିକା ନେଇଛନ୍ତି।

ରାଜ୍ୟରେ ୯ଲକ୍ଷ ୬୮ହଜାର ୭୬୬ ଟିକା ଦିଆଯାଇଛି। ସେଥିମଧ୍ୟରେ ୩ଲକ୍ଷ ୩ହଜାର ୯୮୨ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୨ଲକ୍ଷ ୧୭ହଜାର ୫୬୩ କର୍ମୀ ଦ୍ବିତୀୟ ଡୋଜ ନେଇଛନ୍ତି। ସେହିପରି ୧ ଲକ୍ଷ ୭୩ ହଜାର ୫୮୧ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ୍‌ ନେଇଥିବାବେଳେ ୩୭ହଜାର ୪୬୮ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି। ଏହାବାଦ୍ ୪୫ରୁ ୫୯ବର୍ଷ ମଧ୍ୟରେ ଜଟିଳ ରୋଗରେ ପୀଡ଼ିତ ଥିବା ୧୦ହଜାର ୮୦୭ ବ୍ୟକ୍ତିଙ୍କୁ ଟିକାଦାନ ହୋଇଛି। ବୁଧବାର ରାଜ୍ୟରେ ୫୨୫ଟି ଟିକାଦାନ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଥିଲା। ସେଥିରେ ୩୯ଟି କୋଭାକ୍ସିନ କେନ୍ଦ୍ର କରାଯାଇଥିଲା। ଏଥିରେ ୬୦୦ ସ୍ବାସ୍ଥ୍ୟକର୍ମୀ ଓ ୯୦୩ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ନେଇଥିବା ବେଳେ ୭୦୨୧ ସ୍ବାସ୍ଥ୍ୟକର୍ମୀ ଏବଂ ୧୬ହଜାର ୨୩୧ କୋଭିଡ଼ ଯୋଦ୍ଧା ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେହିପରି ୪୫ରୁ ୪୯ବର୍ଷ ମଧ୍ୟରେ ଆଜି ୧୭୬୭ ଜଟିଳ ରୋଗୀ ଟିକା ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.