ଏମାର ମଠରୁ ଆଉ ୪୫ ରୁପା ଇଟା ଜବତ

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ଏମାର ମଠରୁ ଶନିବାର ଆଉ ୪୫ ଖଣ୍ଡ ରୁପାଇଟା ଜବତ କରାଯାଇଛି। ରାଜ୍ୟ ଦେବୋତ୍ତର କମିଶନରଙ୍କ ପକ୍ଷରୁ ଇନ୍‌ଭେଣ୍ଟ୍ରି କରାଯିବା ବେଳେ ଗୋଟିଏ କୋଠରୀର ମାଟିତଳୁ ଏହିସବୁ ରୁପାଇଟା ମିଳିଛି। ଗୋଟିଏ ଲେଖାଏଁ ରୁପାଇଟାର ଓଜନ ୩୦ରୁ ୩୫କି.ଗ୍ରା ହେବ। ଏହା ବ୍ରିଟିଶ ଅମଳର ଜଣାପଡିଛି। ପୁଲିସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରୁପାଇଟା ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ସହ ଜିଲା ଟ୍ରେଜେରିକୁ ପଠାଯାଇଛି। ୨୦୧୧ରେ ମଠର ଗୋଟିଏ ପରିତ୍ୟକ୍ତ ଘରେ ଥିବା କାଠ ସିନ୍ଦୁକରୁ ୫୨୨ ଖଣ୍ଡ ରୁପାଇଟା ସିଂହଦ୍ବାର ଥାନା ପୁଲିସ ଜବତ କରିଥିଲା। ସେସବୁକୁ ଜିଲା ପୁଲିସ ଅସ୍ତ୍ରାଗାରରେ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ୨୦୧୦ରେ ଦେବୋତ୍ତର କମିଶନରଙ୍କ ନିର୍ଦେଶକ୍ରମେ ମଠ ଭିତରେ ଥିବା ଅସ୍ଥାବର ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ୪୫ଖଣ୍ଡ ରୁପାଇଟା ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଜିମା ଦିଆଯାଇଥିଲା। ବହୁ ଖୋଜାଖୋଜି ପରେ ଶନିବାର ସେଗୁଡିକୁ ମାଟିତଳୁ ଜବତ କରାଯାଇଛି।

ରାମାନୁଜ ସମ୍ପ୍ରଦାୟର ସବୁଠାରୁ ବଡ଼ମଠ ଭାବେ ପରିଚିତ ଏମାର ମଠ ପରିଚାଳନା ପାଇଁ ରାଜ୍ୟ ହିନ୍ଦୁ ଦେବୋତ୍ତର କମିଶନର ପୁଣିଥରେ ୫ଜଣିଆ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି। ନୂଆ ଟ୍ରଷ୍ଟ ବୋର୍ଡ ମଠ ପରିଚାଳନା ଦାୟିତ୍ବ ଗ୍ରହଣ କରିଛି। ତେଣୁ ପୁଣିଥରେ ମଠର ଅସ୍ଥାବର ସମ୍ପତ୍ତି ଗୁଡିକର ତାଲିକା ପ୍ରସ୍ତୁତ କରାଯାଉଛି। ନୂଆ ଟ୍ରଷ୍ଟବୋର୍ଡ ସଭାପତି ତଥା ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସଙ୍କ ସମେତ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏବଂ ଅନ୍ୟ କେତେକ ଟ୍ରଷ୍ଟବୋର୍ଡ ସଭ୍ୟଙ୍କ ଉପସ୍ଥିତିରେ ଇନ୍‌ଭେଣ୍ଟ୍ରି କରାଯାଉଛି। ଦୁଇଦିନ ମଧ୍ୟରେ ମାତ୍ର ୪ଗୋଟି ଘର ଖୋଲା ଯାଇଛି। ଆଉ ୫୦ରୁ ଊର୍ଦ୍ଧ୍ବ ଘର ପରିତ୍ୟକ୍ତ ଅବସ୍ଥାରେ ତାଲାପଡି ରହିଛି। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଳୟାନନ୍ଦ ଶତପଥୀ, ସିଟି ଡିଏସ୍‌ପି କ୍ଷୀରସାଗର ନାୟକ, ସିଂହଦ୍ବାର ଥାନା ଇନ୍ସପେକ୍ଟର ଗେଲି କୁମାରୀ ସାହୁ ଏବଂ ଦେବୋତ୍ତର ଇନ୍ସପେକ୍ଟର ବସନ୍ତ କୁମାର ପ୍ରଧାନ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତାଲିକା ପ୍ରସ୍ତୁତ ହେବାପରେ ସେସବୁ ସାମଗ୍ରୀର ଜିମା ନୂଆ ଟ୍ରଷ୍ଟବୋର୍ଡକୁ ଦିଆଯିବ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ମଠ ଭିତରୁ ଆହୁରି ଅନେକ ମୂଲ୍ୟବାନ ସୁନା-ରୁପା ଅଳଙ୍କାର ମିଳିବା ସମ୍ଭାବନା ରହିଛି।

ତେବେ ୧୭କି.ଗ୍ରା ସୁନା ବିସ୍କୁଟର ସନ୍ଧାନ ଖୋଜି ବାହାର କରିବାରେ ଏପର୍ୟ୍ୟନ୍ତ ସକ୍ଷମ ହୋଇପାରି ନାହିଁ ପୁଲିସ। ପୂର୍ବରୁ ମଠ ପରିସରରେ ଥିବା ଏକ ଜୁଏଲାରୀ ଦୋକାନ ମାଲିକଙ୍କୁ ୧୭କି.ଗ୍ରା ସୁନା ବିସ୍କୁଟ ଦେଇଥିବା ସମ୍ପର୍କରେ ମଠମହନ୍ତ ୨୦୧୧ରେ ପୁଲିସକୁ ବୟାନ ଦେଇଥିଲେ। ତାହାକୁ ଭିତ୍ତିକରି ତତ୍କାଳୀନ ସିଟି ଡିଏସ୍‌ପି ଏବଂ ସମୁଦ୍ରକୂଳ ଥାନା ଇନ୍ସପେକ୍ଟରଙ୍କ ନେତୃତ୍ବରେ ଗଣେଶ ଜୁଏଲାରୀ ତଲାସୀ କରାଯାଇଥିଲା। ପୁଲିସ ସେଠାରୁ ସେତେବେଳେ ୧୭କି.ଗ୍ରା ୨୦୦ଗ୍ରାମ ସୁନା ଗହଣା ଜବତ କରିଥିଲା।

ସର୍ଚ୍ଚ ୱାରେଣ୍ଟ ନଥାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ବିନା ହଠାତ ରାତିରେ କେତେକ ପୁଲିସ ଅଧିକାରୀ ଜୁଏଲାରୀ ଦୋକାନ ସଟର୍‌ ଭିତରୁ ବନ୍ଦକରି ସୁନା ଅଳଙ୍କାର ଜବତ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସେତେବେଳେ ପୁଲିସ କାର୍ୟ୍ୟ ସନ୍ଦେହ ପରିସରକୁ ଆସିଥିଲା। ସିଂହଦ୍ବାର ଥାନାରେ ମୋକଦ୍ଦମା ରୁଜୁ ହୋଇଥିବା ବେଳେ ତଦନ୍ତ ଦାୟିତ୍ବ ସମୁଦ୍ରକୂଳ ଥାନା ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ୧୧ବର୍ଷ ଧରି ଚପାଇ ରଖାଯାଇଥିବା ଅଭିଯୋଗ ହୋଇଛି।

Comments are closed.