ଚନ୍ଦ୍ରଶେଖରପୁର ଗାଁରୁ ଆଉ ୧୦ଜଣ କିଡନୀ ରୋଗୀ ଚିହ୍ନଟ ; ୨୨ପରିବାରରୁ ୩୧ ଜଣ ଆକ୍ରାନ୍ତ, ଆଖିବୁଜିଲେଣି ୧୨ଜଣ

ଆତଙ୍କିତ ଅବସ୍ଥାରେ ଗାଁ ଲୋକେ, ତଥାପି ପ୍ରଶାସନ ନିଦାବିଷ୍ଣୁ

ହରଭଙ୍ଗା : ସାରା ବିଶ୍ୱରେ କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।ମାତ୍ର ବୌଦ୍ଧ ଭଳି ଏକ ଅନୁନ୍ନତ ଜିଲ୍ଲାର ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ଚନ୍ଦ୍ରଶେଖରପୁର ଗାଁରେ କିଡନୀରୋଗ ଭୟାବହତା କରୋନା ମହାମାରୀ  ଆତଙ୍କ ଠାରୁ ବଳିଗଲାଣି। ଶୁକ୍ରବାର ଗ୍ରାମରୁ ଆଉ ୧୦ଜଣ ନୂଆ କିଡନୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ନୂଆ ଆକ୍ରାନ୍ତ ତାଲିକାରେ କୃଷ୍ଣଚନ୍ଦ୍ର ଡାଙ୍ଗ(୫୮),କୁମୁଦୁନି ବେହରୋ(୫୨),ଶିଶିର କଣ୍ଣ(୪୦)ର୍,ମେଘନାଦ କର୍ଣ୍ଣ(୩୬),କୁମାରୀ କଣ୍ଣ(୬୫)ର୍,ବିଜ୍ଞାନ କର୍ଣ୍ଣ(୨୮),ସୁରେନ୍ଦ୍ର ମହାକୁଡ(୫୫) ରହିଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ୩ ଜଣ ମହିଳା ରହିଛନ୍ତି। ଦିନକୁ ଦିନ ଗାଁରେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବେ ଗାଁ ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟିକରିଛି। ଗାଁରେ ମାତ୍ର ୨୨ ପରିବାରଲୋକେ ବସବାସ କରୁଥିବାବେଳେ ସେଥିରୁ ବର୍ତ୍ତମାନ ଏହି ମାରାତ୍ମକ ବେମାରୀରେ ୩୧ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଦୁଇ ବର୍ଷରେ ୧୨ଜଣଙ୍କ ଜୀବନ ଯାଇସାରିଛି। ଦିନକୁ ଦିନ ଗାଁରେ କିଡନୀ ମହାମାରୀ ପାର୍ଦୁଭାବ ବୃଦ୍ଧି ଯୋଗୁଁ ଅକାରଣରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିଚାଲିଛି। କିଡନୀ ମହାମାରୀରେ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଥିବାବେଳେ ରୋଗର ପାର୍ଦୁଭାବକ ନେଇ ବାକି ଲୋକେ ଚିନ୍ତାରେ କାଳତିପାତ କରୁଥିବା ଦେଖିବାକୁ ମିଳିଛି। ଏତେସବୁ ପରେ ବି  ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏହା ଆକ୍ରାନ୍ତ ରୋଗୀଙ୍କ ମନୋବଳକୁ ଦୁର୍ବଳ କରିଛି। ଯାହାଫଳରେ ବର୍ତମାନ ସମୟରେ ଆକ୍ରାନ୍ତ ରୋଗୀ ନିରୁପାୟ ହୋଇ ଭଗବାନ ଭରସାରେ ଦିନକାଟୁଥିବା ଭଳି ଚିନ୍ତାଜନକ ପରିସ୍ଥିତି ଉପୁଜୁଛି। ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟିଦେବାକୁ ଗ୍ରାମର ଧରଣୀ ଡାଙ୍ଗ ,ଅଜିତ ପ୍ରଧାନ,ବିଜୟ କର୍ଣ୍ଣ,ଜୟଦେବ ଛନ୍ଦ,ରତିକାନ୍ତ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି। ସୂଚନା ଥାଉ କି ହରଭଙ୍ଗା ବ୍ଲକର ବିଭିନ୍ନ ଗାଁରେ କିଡନୀ ଭଳି ମାରାତ୍ମକ ରୋଗରେ ୨୦୯ଜଣଙ୍କ ମୃତ୍ୟୁ ଘଟିଥିବବେଳେ ବର୍ତମାନ ଆହୁରି ୨୬୩ଜଣ କିଡନୀ ଆକ୍ରାନ୍ତ ରହିଥିବା କିଡନୀ ସଚେତନତା ମଂଚ ସଂପାଦକ ଇଂ ବିକାଶ ମହାକୁଳ ଦାବି କରିଛନ୍ତି।

Comments are closed.