ନିଜ ଭାଷାକୁ ଆଦର କଲେ ସାହିତ୍ୟ ବିଶ୍ୱ ଦରବାରରେ ଆଦୃତି ଲାଭ କରିବ

ଡେସ୍କ: ନିଜ ଭାଷାକୁ ଆଦର କଲେ ତାହା ବିଶ୍ୱ ଦରବାରରେ ଆଦୃତି ଲାଭ କରିବା ସହ ସେହି ଭାଷାର କାଳଜୟୀ ସୃଷ୍ଟି ବିଶ୍ୱ ସାହିତ୍ୟରେ ସ୍ଥାନ ପାଇପାରିବ ବୋଲି ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା କହିଛନ୍ତି। ଆଜି କଟକ ଶ୍ରୀରାମଚନ୍ଦ୍ର ଭବନ ଠାରେ ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଗବେଷଣା ପରିଷଦର ୪୨ତମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ହରିହର ହୋତା ଏହା କହିଛନ୍ତି। ସେ ‘ମମ ଓଡିଶା’ ଶୀର୍ଷକ ସଂସ୍କୃତ ଭାଷାରେ ରଚିତ କବିତା ପାଠ ପୂର୍ବକ କିଭଳି ସବୁ ଭାଷାଭାଷୀ ଲୋକ ସଂସ୍କୃତ ଭାଷାରେ ରଚିତ କାବ୍ୟକବିତା ବୁଝିବା ପାଇଁ ସମର୍ଥ ସେ ବିଷୟରେ ଆଲୋଚନା କରିଥିଲେ।

ପରିଷଦର ସଭାପତି ସାହିତ୍ୟିକ ସୁଧୀର ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକୋତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅଧ୍ୟାପକ ଡଃ କମଳା ପ୍ରସାଦ ମହାପାତ୍ର କହିଥିଲେ ଯେ ସାହିତ୍ୟ ହେଉଛି ବାସ୍ତବିକତା ଓ କାଳ୍ପନିକତାର ସମିଶ୍ରଣ। ଏହି ଅବସରରେ ସେ ସେକ୍ସପିଅରଙ୍କ କୃତ୍ତି ସମ୍ପର୍କରେ ଆଲୋଚନା କରି ସାହିତ୍ୟ କିପରି ସାଧାରଣ ମଣିଷର କଥା କହେ ତାହା ବିଷୟରେ ଆଲୋଚନା କରିଥିଲେ। ଏହି ଉତ୍ସବରେ ଉତ୍ସବରେ ସାହିତ୍ୟ-ସମୀକ୍ଷକ ଡଃ ବାବାଜୀଚରଣ ପଟ୍ଟନାୟକଙ୍କୁ ‘କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର’ ଓ କବି ଡଃ ତୁହିନାଂଶୁ ରଥଙ୍କୁ ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପରିଷଦର ସମ୍ପାଦକ ଡଃ ଅଜୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.