ଗଙ୍ଗାସାଗରକୁ ‘ଜାତୀୟ ତୀର୍ଥ ସ୍ନାନ’ ଭାବେ ଘୋଷଣା କଲେ ପୁରୀ ଶଙ୍କରାଚାର୍ଯ୍ୟ

କଲକାତା: ଗଙ୍ଗାସାଗରର ମାହାତ୍ମ୍ୟ ଓ କପିଳମୁନୀଙ୍କ ପ୍ରସଙ୍ଗ ଭଳି ବିଭିନ୍ନ ବିଷୟ ଉପରେ ଆଧାରିତ ଗଙ୍ଗାସାଗରକୁ ରାଷ୍ଟ୍ରୀୟ ମେଳା ଭାବେ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବା ଜରୁରୀ ଥିଲା, କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଏହି ବିଷୟରେ ପୁରୀ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରି ସନାତନ ଧର୍ମର ମୁଖ୍ୟ ପ୍ରବକ୍ତା ଭାବେ ଆଜି ଏହି ମେଳାକୁ ‘ଜାତୀୟ ତୀର୍ଥ ସ୍ନାନ’ ଭାବେ ଘୋଷଣା କରିଛନ୍ତି। ଶଙ୍କରାଚାର୍ଯ୍ୟ ଆଜି ଗଙ୍ଗାସାଗରର ଶଙ୍କରାଚାର୍ଯ୍ୟ ନଗରଠାରେ ସାମ୍ବାଦିକ ଓ ପୁଣ୍ୟାର୍ଥୀଙ୍କୁ ରାଜନୀତି, ସମାଜନୀତି, ଧର୍ମନୀତି ଓ ସେବାମୂଳକ ପ୍ରସଙ୍ଗକୁ ଆଧାର କରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ବିଶେଷ କରି ଶ୍ରୀମନ୍ଦିର ସଂସ୍କାର ଓ ବିକାଶ ପାଇଁ ଦାସ କମିସନ ଏବଂ ସୁପ୍ରିମ କୋର୍ଟଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବାକୁ ହେଉଥିବା ଦାବି ସମ୍ପର୍କରେ ଗୋବର୍ଦ୍ଧନ ପୀଠର ମହନ୍ତ ମହାରାଜା ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଥିଲେ ଯେ ଶ୍ରୀମନ୍ଦିରକୁ ଆହୁରି ପ୍ରସାରମୁଖୀ କରିବାକୁ ହେଲେ ଶାସ୍ତ୍ରମତ, ରାଜମତ, ଶାସନମତ ଓ ଭକ୍ତଙ୍କ ମତାମତକୁ ଗ୍ରହଣ କରିବା ଉଚିତ୍‌। ଏହି ଚାରି ମତର ସମନ୍ବୟକୁ ରକ୍ଷାକରି ଉପୁଜିଥିବା ସମସ୍ୟାର ସମାଧାନ କରିବାକୁ ହେବ। ଶ୍ରୀକ୍ଷେତ୍ର ପୁରୀ ସହିତ ସମଗ୍ର ଭାରତବର୍ଷରେ ଆଧ୍ୟାତ୍ମିକ ଓ ମାନବବାଦର ବାତାବରଣ ପ୍ରତିଷ୍ଠା କରିବାକୁ ହେବ। ଏଥିପ୍ରତି ରାଜ୍ୟ ସରକାର ସର୍ବଧର୍ମ ସମନ୍ବୟକୁ ଗୁରୁତ୍ବ ଦେବା ଉଚିତ୍‌। ଏହି କ୍ଷେତ୍ରରେ ଶାସନତନ୍ତ୍ରର ହସ୍ତକ୍ଷେପକୁ ବିଚାରବିମର୍ଶ ମଧ୍ୟରେ ସୀମିତ ରଖିବା ଉଚିତ୍‌।

ଶଙ୍କରାଚାର୍ଯ୍ୟ କ୍ଷୋଭର ସହ କହିଥିଲେ ଯେ ଲକ୍ଷ୍ୟହୀନ ସମାଜନୀତି ଦେଶକୁ କଳୁଷିତ କରୁଛି। ଆଧୁନିକ ଯୁଗରେ ଶାସନତନ୍ତ୍ର ମାନବଧର୍ମୀ ଓ କ୍ରୀୟାଶୀଳ ହୋଇଥିବାରୁ ତ୍ୟାଗ ଭଳି ପରିବେଶ ଉପରେ ଗୁରୁତ୍ବ ଦେବାକୁ ହେବ। ରାଷ୍ଟ୍ରନାୟକମାନେ ମଧ୍ୟ ଏହି କ୍ଷେତ୍ରରେ ସଂକୀର୍ଣ୍ଣତାରୁ ଦୂରେଇ ରହିବା ଉଚିତ୍‌। ଏହା ସହିତ ରାଷ୍ଟ୍ରର ପରମ୍ପରା ଦୃଷ୍ଟିରୁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କୁ ନେଇ ସଂକୀର୍ଣ୍ଣ ରାଜନୀତି ନ କରିବା ଉଚିତ୍‌ ବୋଲି ସେ ଦର୍ଶାଇଛନ୍ତି।

କରୋନା ଟିକା ସମ୍ପର୍କରେ ସେ କହିଛନ୍ତି ଯେ ପରିବେଶ ଉପରେ ମାନବ ସମାଜ ଏଭଳି ଅତ୍ୟାଚାର କରୁଛି ଯେ ସେଥିରେ କରୋନା ଭଳି ଭୟାବହ ରୋଗ ମାଡ଼ି ଆସୁଛି। ଏଥିପାଇଁ ସେ ପୂର୍ବରୁ ସୂଚନା ଦେଇଥିଲେ, କିନ୍ତୁ ଗୁରୁତ୍ବ ଦିଆନଯିବାଦ୍ବାରା ପରିସ୍ଥିତି ଉପୁଜିଛି।

Comments are closed.