ସ୍ୱାସ୍ଥ୍ୟକର୍ମୀମାନେ ନିରବଚ୍ଛିନ୍ନ ସେବା ଯୋଗାଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି : ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ(ଏଏନ୍‌ଏମ୍‌)ର ୧୫ ତମ ଦ୍ୱି-ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ(ଏଏନ୍‌ଏମ୍‌)ର ୧୫ ତମ ଦ୍ୱି-ବାର୍ଷିକ ସମ୍ମିଳନୀ ଜୟଦେବ ଭବନଠାରେ ରାଜ୍ୟ ସ୍ୱାସ୍ଥ୍ୟକର୍ମୀ ମହାସଂଘର ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ କହିଛନ୍ତି ଯେ ବନ୍ୟା, ବାତ୍ୟା, କରୋନା ଭଳି ବିଭିନ୍ନ ମହାମାରୀ ସମୟରେ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ସେବା ବାସ୍ତବିକ୍‌ ପ୍ରଶଂସା ଯୋଗ୍ୟ । ସେମାନେ ସବୁବେଳେ ନିରବଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଜନସାଧରଣଙ୍କ ପ୍ରିୟଭାଜନ ହୋଇପାରିଛି। ସେମାନେ ନିଜ ଜୀବନକୁ ଉତ୍ସର୍ଗ କରି ଅନ୍ୟମାନ ଙ୍କୁ ଜୀବନ ଦେବାରେ ସହାୟ ହୋଇଛି। ମନେହୁଏ, ଏମାନେ ହେଉଛନ୍ତି, ଭଗବାନଙ୍କ ନିଆରା ସୃଷ୍ଟି। ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ବିଭିନ୍ନ ଦାବିଗୁଡ଼ିକ ପ୍ରତି ସରକାର ସବୁବେଳେ ସହାନୁଭୂତିଶୀଳ ଅଟନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସରକା କହିଥିଲେ ଯେ କରୋନା ସମୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିଷ୍ଠାପର କାର୍ଯ୍ୟ ପ୍ରଶଂସନୀୟ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସ୍ୱାସ୍ଥ୍ୟକର୍ମୀମାନେ ଉଦ୍ୟମ କରିବା ଦରକାର ବୋଲି ପ୍ରକାଶ କରିଥିଲେ। ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ଶିଶିର ପରିଜା ଓଡିଶାରେ ସ୍ୱାସ୍ଥ୍ୟସେବା ଯୋଗେଇ ଦେବା କ୍ଷେତ୍ରରେ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ।
ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସାଧାରଣ ସମ୍ପାଦକ ମମତା ନାୟକ ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟକର୍ମୀ ମହାସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ସଂଘ ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବିଗୁଡ଼ିକ ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ସଂଘର ଉପ-ସମ୍ପାଦକ ରୀନା ମିଶ୍ର ଓ ଯୁଗ୍ମ- ସମ୍ପାଦକ ଶ୍ରୀମତୀ ସଂଯୁକ୍ତା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ ବ୍ୟକ୍ତି ପ୍ରଶାନ୍ତ ସାମନ୍ତରାୟ, ମମତା ନାୟକ, ରବୀନ୍ଦ୍ରନାଥ ପ୍ରଧାନ ତଥା ମହାସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ସଂଜିତ ମହାନ୍ତିଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କରୋନା ମୁକାବିଲା, ସାର୍ବଜନୀନ ଟୀକାକରଣ, ମାତୃ ମୃତ୍ୟୁହାର ତଥା ଶିଶୁ ମୃତୁ୍ୟହାର ରୋକିବାରେ ସଫଳତା ପାଇଁ ରାଜ୍ୟସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆଇନମନ୍ତ୍ରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

Comments are closed.