ଅଞ୍ଜନା ମିଶ୍ର ଗଣ ବଳାତ୍କାର ମାମଲା : ଅନୁମତି ଲୋଡ଼ିଲେ ସିବିଆଇ ତଦନ୍ତକାରୀ ଅଧିକାରୀ

ଟିଆଇ ପରେଡ୍ ପରେ ବିବନକୁ ନିଆଯିବ ହେପାଜତରେ

ଭୁବନେଶ୍ବର : ଦୀର୍ଘ ୨୨ ବର୍ଷ ପରେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍‌ ବିବେକାନନ୍ଦ ବିଶ୍ବାଳକୁ କମିସନରେଟ୍ ପୁଲିସ ଗତ ୨୨ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଏହି ଘଟଣା ଏବେ ରାଜ୍ୟରେ ଚଳଚଞ୍ଚଳ ହୋଇପଡ଼ିଛି। ସିବିଆଇ ଏହି ମାମଲାର ଫାଇଲ୍‌ ଖୋଲିବା ଲାଗି କସରତ ଆରମ୍ଭ କରି ଦେଇଛି। କଲକାତା ସିବିଆଇର ଅପରାଧ ଶାଖାର ଜଣେ ବରିଷ୍ଠ ଆଇନଜୀବୀ ଏବଂ ସିବିଆଇର ତଦନ୍ତକାରୀ ଅଧିକାରୀ (ହୋଲ୍‌ଡିଂ ଆଇଓ) ଭୁବନେଶ୍ବର ଗସ୍ତ କରି ପୁଲିସ କମିସନରଙ୍କୁ ସାକ୍ଷାତ କରିଥିଲେ। ତେବେ ଏହି ମାମଲା ସମ୍ପର୍କରେ ସ୍ଥାନୀୟ ସ୍ବତନ୍ତ୍ର ସିବିଆଇ କୋର୍ଟରେ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବା ଲାଗି ଆବଶ୍ୟକ ଦସ୍ତାବିଜ୍‌ ସଂଗ୍ରହ କରି କଲକାତା ଫେରି ଯାଇଛନ୍ତି। ଏହି ମାମଲାର ପୁନର୍ବାର ଫାଇଲ୍‌ ଖୋଲିବା ଲାଗି ସିବିଆଇର ତଦନ୍ତକାରୀ ଅଫିସର ସିବିଆର ଯୁଗ୍ମ ନିର୍ଦେଶକଙ୍କ ଅନୁମତି ଲୋଡିଥିବା ଜଣାପଡିଛି। ବରିଷ୍ଠ ଅଧିକାରୀଙ୍କଠାରୁ ଅନୁମତି ମିଳିବା ପରେ ଆସନ୍ତା ସପ୍ତାହରେ ସିବିଆଇର ତଦନ୍ତକାରୀ ଅଧିକାରୀ ସ୍ଥାନୀୟ ସିବିଆଇ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି। ସିବିଆଇ ପକ୍ଷରୁ ଅଭିଯୁକ୍ତ ବିବନ ବିରୋଧରେ କେବଳ କୋର୍ଟରେ ରିମାଣ୍ଡ ଦିଆଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ବିବନକୁ ହେପାଜତରେ ନେବା ଲାଗି ସିବିଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣେ ବରିଷ୍ଠ ଆଇନଜୀବୀ ସୂଚନା ଦେଇଛନ୍ତି। ବିବନର ଟିଆଇ ପରେଡ୍ କରିବା ପରେ ତାକୁ ହେପାଜତରେ ସିବିଆଇ ନେବ ବୋଲି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି। ପ୍ରଥମେ ହେପାଜତରେ ନେଇ ସିବିଆଇ ତଥ୍ୟ ପ୍ରମାଣ ଆଇନ୍‌ର ଧାରା ୨୭ ଅନୁସାରେ ସିନ୍ ରିକ୍ରିଏସନ୍ ବା ତଥ୍ୟପ୍ରମାଣ ସଂଗ୍ରହ କଲେ ଅଭିଯୁକ୍ତକୁ ଅଭିଯୋଗକାରୀ ଏବଂ ସାକ୍ଷୀମାନେ ଟିଆଇ ପରେଡ୍ ପୂର୍ବରୁ ଚିହ୍ନଟ କରିଦେବେ। ଯାହାକୁ ପ୍ରତିପକ୍ଷ ଆଇନଜୀବୀ କୋର୍ଟରେ ଶୁଣାଣି ସମୟରେ ପ୍ରଶ୍ନ ଉଠାଇବେ। ତେଣୁ କାରାଗାରରେ ବିବନର ଟିଆଇ ପରେଡ୍‌ କରାଯିବ। ଏଥିପାଇଁ ଆସନ୍ତା ସପ୍ତାହରେ ଆବେଦନ କରାଯିବ ବୋଲି ଜଣାପଡିଛି।

Comments
Loading...