ମଇଁଷି ବୋଝେଇ ଟ୍ରକ ଜବତ, ଉତ୍ତେଜନା

0

କଟକ : ଜଗତସିଂହପୁରରୁ ଚୋରାରେ ନୟାଗଡ ମଇଁଷି ବୋଝେଇ ହୋଇ ଚାଲାଣ ହେଉଥିବା ଏକ ଟ୍ରକକୁ ଚାଉଳିଆଗଞ୍ଜ ପୁଲିସ ଜବତ କରିଛି। କେତେକ ଯୁବକ ପ୍ରଥମେ ଉକ୍ତ ଟ୍ରକକୁ ବିଦ୍ୟାଧରପୁର କେଶପୁର ବଜାରରେ ଅଟକାଇ ଥିଲେ। ବଜାର ଭିଡଥିବାର ସୁଯୋଗ ନେଇ ଗାଡିଚାଳକ ଓ ହେଲଫର ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ତୁରନ୍ତ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା।
ଜଗତସିଂହପୁର ଅଞ୍ଚଳରୁ ଓଆ୨୫ସି୨୯୧୦ ଟ୍ରକରେ ମଇଁଷି ବୋଝେଇ ହୋଇ କଟକ ଅଭିମୁଖେ ଆସୁଥିଲା। ଏହି ସମୟରେ କେତେକ ଯୁବକ ବାଇକ୍‍ରେ ଉକ୍ତ ରାସ୍ତାଦେଇ ଆସୁଥିଲେ। ଦ୍ରୁତଗତିରେ ଆସୁଥିବା ଟ୍ରକ୍‍ଟି କନ୍ଦରପୁର ଷ୍ଟେସନ ନିକଟରେ ବାଇକ୍‍କୁ ସାଇଡ୍‌ମାରି ପଳାଇ ଯାଇଥିଲା। ଯୁବକମାନେ କେଶପୁର ନିକଟରେ ଟ୍ରକଟିକୁ ଅଟକାଇବା ପରେ ସେଥିରେ ମଇଁଷି ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ। ମଇଁଷି ଚୋରାରେ ଚାଲାଣ ହେଉଥିବା ନେଇ ଜଣାପଡ଼ିବା ପରେ ଆଖପାଖ ଅଞ୍ଚଳର ଲୋକେ ଏକତ୍ର ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଟ୍ରକର ଚକାରୁ ପମ୍ପ ଖୋଲିଦେଇ ହୋହାଲ୍ଲା କରିଥିଲେ। ଏହାର ସୁଯୋଗ ନେଇ ଚାଳକ ଓ ହେଲପର ଖସି ପଳାଇଯିବାରେ ସମର୍ଥ ହୋଇଥିବା ବେଳେ ପୁଲିସ ଟ୍ରକ୍‍କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Leave A Reply