ଅଡୁଆରେ ଦେଶମୁଖ, ଇଡି ଦାଖଲ କଲା ୭ହଜାର ପୃଷ୍ଠାର ଚାର୍ଜସିଟ୍‍

ଅର୍ଥ ଠକେଇ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଚାର୍ଜସିଟ୍‍ ଦାଖଲ କରିଛି। ମୁମ୍ବାଇର ବିଭିନ୍ନ ବାର୍‍ ଓ ରେସ୍ତୋରାଁରୁ ମାସିକ ୧୦୦ କୋଟି ଟଙ୍କା ଅର୍ଥ ଆଦାୟ କରିବା ଲାଗି ପୂର୍ବତନ ଆସିଷ୍ଟାଣ୍ଟ ପୁଲିସ୍‍ ଇନ୍ସପେକ୍ଟର ସଚିନ୍‍ ଭାଜେଙ୍କୁ କହିଥିଲେ ବୋଲି ଦେଶମୁଖଙ୍କ ବିରୋଧରେ ଇଡି ଯାଞ୍ଚ୍‍ କରୁଛି। ଏହି କ୍ରମରେ ବହିଷ୍କୃତ ସଚିନ୍‍ ଭାଜେ ପୂର୍ବତନ ଗୃହମନ୍ତ୍ରୀ ଦେଶମୁଖଙ୍କୁ ୪ କୋଟି ୭୦ ଲକ୍ଷ ଟଙ୍କା ଦେଇଥିବା ବିଷୟ ଇଡି ଅଧିକାରୀଙ୍କ ନଜରକୁ ଆସିଥିଲା।

୭ ହଜାର ପୃଷ୍ଠାର ଏହି ଚାର୍ଜସିଟ୍‍ରେ ଦେଶମୁଖଙ୍କ ନାମ ମୁଖ୍ୟ ଅଭିଯୁକ୍ତ ଭାବେ ସ୍ଥାନିତ ହୋଇଛି। ଏହି ମନିଲଣ୍ଡ୍ରିଂ ମାମଲାରେ ତାଙ୍କ ପୁଅ ହ୍ରୀଶିକେଶ୍‍ ଏବଂ ସଲିଲ୍‍ଙ୍କ ନାମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ନଭେମ୍ବର ୨ରେ ଇ.ଡି. ଦ୍ୱାରା ଦେଶମୁଖ ଗିରଫ୍‍ ହେବା ପରେ ସେ ଏବେ ମୁମ୍ବାଇର ଆର୍ଥର ରୋଡ୍‍ ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହା ହେଉଛି ଏହି ମାମଲାର ଦ୍ୱିତୀୟ ଚାର୍ଜସିଟ୍‍। ପୂର୍ବରୁ ଅଗଷ୍ଟରେ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାନ୍ଦେ ଓ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଧେଙ୍କ ନାମରେ ପ୍ରଥମ ଚାର୍ଜସିଟ୍‍ ଦାଖଲ କରାଯାଇଥିଲା।

ଏପରିକି ଦେଶମୁଖଙ୍କ ପରିବାର ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ ଟ୍ରଷ୍ଟ ଶ୍ରୀ ସାଇ ଶିକ୍ଷଣ ସଂସ୍ଥାନ ନାମରେ ଚାର୍ଜସିଟ୍‍ ଦାଖଲ କରାଯାଇଥିଲା। ଇଡି ମଧ୍ୟ ଭାରତୀୟ ପୁଲିସ୍‍ ସେବା ଓ ରାଜ୍ୟ ପୁଲିସ୍‍ ସେବାର ଅଧିକାରୀମାନଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ବିଷୟ ଉପରେ ଅନୁସନ୍ଧାନ ଜାରି ରଖିଛି।

ସୂଚନା ଯୋଗ୍ୟ ଯେ ଏହି ମନିଲାଣ୍ଡ୍ରିଂ ମାମଲା ବିଷୟରେ ପ୍ରଥମେ ମୁମ୍ବାଇ ପୁଲିସ୍‍ କମିଶନର ପରମବୀର ସିଂହ ମାର୍ଚ୍ଚ ୨୦ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖି ଜଣାଇଥିଲେ। ସେହି ଆଧାରରେ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ କରିବା ଲାଗି ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତା’ପରେ ହାଇକୋର୍ଟ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ।

Comments are closed.