ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି, କେନ୍ଦ୍ର ଫେରାଇବ ୧୦୪ କୋଟି

ନୂଆଦିଲ୍ଲୀ: ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି। କେନ୍ଦ୍ର ସରକାର ଅନୀଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନକୁ ୧୦୪ କୋଟି ଟଙ୍କା ଫେରାଇବା ଲାଗି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଟେଲିକମ୍‌ ଡିସ୍‌ପ୍ୟୁଟ୍‌ସ ସେଟେଲମେଣ୍ଟ ଆଣ୍ଡ ଆପିଲେଟ୍‌ ଟ୍ରିବ୍ୟୁନାଲ(ଟିଡିସ୍ୟାଟ୍‌) ପୂର୍ବରୁ ଦେଇଥିବା ରାୟ ବିରୋଧରେ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଜଷ୍ଟିସ ରୋହିଙ୍ଗଟନ ନରୀମନଙ୍କ ଅଧ୍ୟକ୍ଷତାରେ ୨ ଜଣିଆ ଖଣ୍ଡପୀଠ ଏହି ପିଟିଶନକୁ ଖାରଜ କରିଦେଇଛନ୍ତି।

ସୂଚାଯୋଗ୍ୟ, ରିଲାଏନ୍ସ କମ୍ୟୁନିକେଶନର ଏହି ଟଙ୍କା ବ୍ୟାଙ୍କ ଗ୍ୟାରେଣ୍ଟି ହିସାବରେ କେନ୍ଦ୍ର ସରକାରଙ୍କ ପାଖରେ ଜମା ହୋଇଛି। ଟଙ୍କା ଫେରାଇବା ଲାଗି କମ୍ପାନୀ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ଟେଲିକମ୍‌ ଡିସ୍‌ପ୍ୟୁଟ୍‌ସ ସେଟେଲମେଣ୍ଟ ଆଣ୍ଡ ଆପିଲେଟ୍‌ ଟ୍ରିବ୍ୟୁନାଲ(ଟିଡିସ୍ୟାଟ୍‌) ବିଚାର କରି ୨୦୧୮ ଡିସେମ୍ବର ୨୧ରେ ଅନୀଲ ଅମ୍ବାନୀଙ୍କ ପକ୍ଷରେ ରାୟ ଦେଇଥିଲେ। ରିଲାଏନ୍ସ କମ୍ୟୁନିକେଶନର ୯୦୮ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟରୁ ସରକାର ସ୍ପେକ୍ଟ୍ରମ ବାବଦରେ ୭୭୪ କୋଟି ଟଙ୍କା ରଖି ଅବଶିଷ୍ଟ ଅର୍ଥ ମଧ୍ୟରୁ ୧୦୪ କୋଟି କମ୍ପାନୀକୁ ଫେରାଇବାକୁ ଟିଡିସ୍ୟାଟ୍‌ ନିର୍ଦେଶ ଦେଇଥିଲେ। ଏହି ନିଷ୍ପତ୍ତିକୁ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଉଲ୍ଲେଖଯୋଗ୍ୟ, ରିଲାଏନ୍ସ କମ୍ୟୁନିକେଶନ ୩ ବର୍ଷ ହେବ ସମସ୍ତ ପ୍ରକାର ସେବା ବନ୍ଦ କରିଦେଇଛି। ବ୍ୟବସାୟରେ କ୍ଷତି ଏବଂ ଋଣ ଭାର ବୃଦ୍ଧି ଯୋଗୁ କମ୍ପାନୀ ଦେବାଳିଆ ଅବସ୍ଥାକୁ ଚାଲିଆସଛି। କମ୍ପାନୀ ରିଲାଏନ୍ସ ଜିଓକୁ ସ୍ପେକ୍ଟ୍ରମ ବିକ୍ରି କରି ଦେବାଳିଆ ହେବାରୁ ବର୍ତ୍ତିବା ଲାଗି ଉଦ୍ୟମ କରିଥିଲା। କିନ୍ତୁ ଲମ୍ବା ଆଇନଗତ ପ୍ରକ୍ରିୟା ​‌ଏବଂ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନରେ ବିଳମ୍ବ ଯୋଗୁ ରିଲାଏନ୍ସ କମ୍ୟୁନିକେଶନ ଏଥିରେ ବିଫଳ ହୋଇଥିଲା।

Comments are closed.