‘ଚାଉଳ ଡାଲି ଆଣିଛୁ, ରୋଷେଇ କରି ଖାଇବୁ; ଦାବି ପୂରଣ ହେଲେ ଘରକୁ ଫେରିବୁ’

ରାସ୍ତା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପାଳଲହଡା: ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ବର୍ଷ ବର୍ଷ ଧରି ୩୦ ବର୍ଷ ଅଭିଯୋଗ କରିବା ପରେ ବି ଶୁଣିଲେନି କେହି। ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଗ୍ରାମବାସୀ ନୟାନ୍ତ ହୋଇଗଲେ। ଶେଷରେ ଉପାୟ ନପାଇ ଗାଁର ଆବାଳବୃଦ୍ଧବନିତା ସୋମବାର ପହଞ୍ଚି ଥିଲେ ପାଳଲହଡା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ। କର ବା ମର ନୀତିରେ ହାତରେ ପ୍ଲା କାର୍ଡ, ବ୍ୟାନର ପୋଷ୍ଟର ଧରି ଗଣଧାରଣା ଦେଲେ।
ଆଜି ପର୍ଯ୍ୟନ୍ତ ଅନୁଗୋଳ ଜିଲା ପାଲଲହଡା ବ୍ଲକ ବନ୍ଧାଭୂଇଁ ପଂଚାୟତର ଘୁରୁଡୁଖମଣ ଗାଁକୁ ଭଲ ରାସ୍ତା ନଥିବାରୁ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ତିନି କିଲୋମିଟର ଦୂର ସିଆରିଆ ଗାଁରେ ଥିବା ସ୍କୁଲକୁ ପାଠ ପଢିବାକୁ ଯାଇ ପାରୁନାହାନ୍ତି ଗାଁର ଛାତ୍ରଛାତ୍ରୀ। ଗାଁରେ କାହାର ଦେହ ଖରାପ ହେଲେ କଥା ସରିଲା। ଦୋଳା କିମ୍ବା ଭାରରେ ବୋହିବାକୁ ପଡେ ଯନ୍ତ୍ରଣାରେ ଛଟପଟ ରୋଗୀ ଆଉ ପ୍ରସୂତିମାନଙ୍କୁ।


ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିବା ପରେ କୌଣସି ସମାଧାନ ନହେବାରୁ ବାଧ୍ୟହୋଇ ଆଜି ଗ୍ରାମବାସୀ ଧାରଣା ଦେଇଥିଲେ। ପ୍ରତି ଘରୁ ଚାଉଳ, ଡାଲି, ପନିପରିବା ଠୁଳାଇ ଡେକଚି, କଡେଇ, ଜାଳେଣି ଧରି ଛୁଆଠୁ ବୁଢା ପର୍ୟ୍ୟନ୍ତ ଗ୍ରାମବାସୀ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଉପଜିଲାପାଳଙ୍କ କାର୍ୟ୍ୟାଳୟ ସାମ୍ନାରେ ଗଣଧାରଣା ଦେବା ପାଇଁ ଏଠାକୁ ଆସିଥିଲେ। ଗଣଧାରଣା ଦେଇ ଦୁଃଖ ଜଣାଇବା ସହ ଚେତାବନୀ ଦେଇଥିଲେ ପ୍ରଶାସନକୁ। ଗାଁକୁ ପକ୍କା ରାସ୍ତା କିମ୍ବା ସବୁଦିନିଆ ରାସ୍ତା ମଞ୍ଜୁର ନହେବା ପର୍ୟ୍ୟନ୍ତ ଏଜାଗାରୁ ଆମେ ଆଦୌ ହଟିବୁନି। ଚାଉଳ ଡାଲି ଆଣିଛୁ, ରୋଷେଇ କରି ଖାଇବୁ। ଯେଉଁଦିନ ଆମ ଦାବି ପୂରଣ ହେବ, ସେଦିନ ଯାଇ ଘରକୁ ଫେରିବୁ ବୋଲି ଆନ୍ଦୋଳନକାରୀ କହିଥିଲେ।
ବନ୍ଧାଭୂଇଁ ପଞ୍ଚାୟତର ବିକାଶ ପାଇଁ ବ୍ଲକ ଓ ପିବିଡିଏ(ପାଉଡିଭୁୟାଁ ଉନ୍ନୟନ ସଂସ୍ଥା) ରହିଛି। ହେଲେ ଘୁରୁଡୁଖମଣ ଗାଁରୁ ସିଆରିଆ ପର୍ୟ୍ୟନ୍ତ ତିନି କିଲୋମିଟର ମୁଖ୍ୟ ରାସ୍ତାରେ କେବେ ଗୋଡି ମୁଠେ ପଡୁନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ମାଟି ରାସ୍ତା ଥିବାରୁ ବର୍ଷା ଦିନେ ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ଲୋକମାନେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି।
ଉପଜିଲାପାଳଙ୍କ କାର୍ୟ୍ୟାଳୟ ସାମ୍ନା ପଡ଼ିଆରେ ଗ୍ରାମବାସୀଙ୍କ ଗଣଧାରଣା ଦେଖି ଆନ୍ଦୋଳନକାରୀଙ୍କୁ ଡାକିଥିଲା ପ୍ରଶାସନ। ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନଙ୍କ ଚାମ୍ବରରେ ବିଡ଼ିଓ ରବି ନାରାୟଣ ମାଝି, ତହସିଲଦାର ସ୍ୱାଗତ ଦାସ ,ଆଇଆଇସି କିଶୋର ଚନ୍ଦ୍ର ସାମଲ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଘୁରୁଡୁଖମଣ ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ରାଜିହୋଇ ଦଶ ଲକ୍ଷ ଟଙ୍କାର କାର୍ୟ୍ୟାଦେଶର ପ୍ରତିଲିପି ଦେବାପରେ ଅବସ୍ଥା ସ୍ବାଭାବିକ ହୋଇଥିଲା।
ଘୁରୁଡୁଖମଣ ରାସ୍ତା ନିର୍ମାଣ ପାଇଁ ବ୍ଲକ ମନରେଗାରୁ ୫ ଲକ୍ଷ ଏବଂ ପିବିଡିଏ ପାଣ୍ଠିରୁ ୫ ଲକ୍ଷ ସମୁଦାୟ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ମିଳିଛି। ଏହି ୧୦ ଲକ୍ଷ ବ୍ୟୟ ଅଟକଳରୁ ଅଧିକ ଟଙ୍କା ଦରକାର ହେଲେ ମଧ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.