ଉପବାଚସ୍ପତିଙ୍କ ପୁଅଙ୍କ ନାମରେ କୋଭିଡ୍ ଆଇନ ଉଲ୍ଲଂଘନ ମାମଲା

ଅନୁଗୋଳ(ସହର): ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପୁତ୍ର ଅରୁଣାଭ ସିଂହ ନିଜ ସାଙ୍ଗମାନଙ୍କ ଗହଣରେ ଜନ୍ମଦିନ ପାଳନ କରି କୋଭିଡ଼ ଆଇନକୁ ଉଲ୍ଲଘଂନ କରିଥିବା ନେଇ ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଶୁକ୍ରବାର ରାତିରେ ଏତଲା ଦେଇଥିଲେ। ଏ ନେଇ ଅନୁଗୋଳ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ନିର୍ବାହୀ ଅଧିକାରୀ ଏତଲାରେ ଦର୍ଶାଇଛନ୍ତି ଯେ ଏବେ କୋଭିଡ଼ ପାଇଁ ଦିନ ଦୁଇଟା ପରେ ଦୋକାନବଜାର ବନ୍ଦ ହେବା ସହ ସର୍ବସାଧାରଣ ସ୍ଥାନରେ ଭିଡ଼ ନ ଜମାଇବା ସହ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ। ମାତ୍ର ଅରୁଣାଭ ଏହି ଗାଇଡ଼ଲାଇନକୁ ଉପେକ୍ଷା କରି ଶିକ୍ଷକପଡ଼ାଠାରେ ଥିବା ଶିବା ପଡ଼ିଆଠାରେ ରାତ୍ରିରେ ତାଙ୍କ ସାଙ୍ଗମାନଙ୍କ ଗହଣରେ କିଛିଦିନ ତଳେ ଜନ୍ମଦିନ ପାଳନର କେକ୍ କାଟି ଥିଲେ। ସେହି ସମୟରେ କେହି ମୁହଁରେ ମାକ୍ସ ବ୍ୟବହାର କରି ନଥିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରି ନଥିଲେ। ତେଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଦର୍ଶାଇଛନ୍ତି।
କେବଳ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ପୁଲିସ ଅନୁମତି ଦେଇଥିବା ବେଳେ କୌଣସି ଜନ୍ମଦିନ ପାର୍ଟି ପାଇଁ କାହାରିକୁ ଅନୁମତି ଦିଆଯାଉ ନାହିଁ ବୋଲି ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରକାଶ କରିଛନ୍ତି। ମାମଲା ରୁଜୁ ପରେ ଘଟଣାର ଅନୁସନ୍ଧାନ ଚାଲିଛି ଓ କୋଭିଡ଼ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଅରୁଣାଭ ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେଠାରେ କୌଣସି ଜନ୍ମଦିନ ପାର୍ଟି କରାଯାଉ ନଥିଲା। ଶିବା ପଡ଼ିଆରେ ଥିବା କ୍ଲବକୁ ପ୍ରାୟତଃ ମୁଁ ଯାଏ। କ୍ଳବ ପିଲା ଖୁସିରେ କେକ କାଟି ଥିଲେ। ଆଇନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ଗ୍ରହଣ କରିବି।