ପଣସୁଧାରେ ଗୋଷ୍ଠୀ ସଂଘର୍ଷ : ଉତ୍ୟକ୍ତ ଲୋକେ ଜାଳିଦେଲେ ଦୁଇ ପୁଲିସ ଭ୍ୟାନ

ବାଲିଚନ୍ଦ୍ରପୁର: ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଭରତପୁର ପଂଚାୟତ ଅନ୍ତର୍ଗତ ପଣସୁଧା ଗ୍ରାମରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଉଗ୍ରରୂପ ଧାରଣ କରିଛି। ଏହି ଗୋଷ୍ଠୀ ସଂଘର୍ଷରେ ଉତ୍ୟକ୍ତ ଲୋକେ ଦୁଇଟି ପୁଲିସ ଭ୍ୟାନ ଜାଳି ଦେଇଥିବା ବେଳେ ଏହି ଘଟଣାର ଏକାଧିକ ଲୋକେ ଆହତ ହୋଇଥିବା ଜଣାଯାଇଛିି।

ଏହି ସଂଘର୍ଷରେ କେତେକ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ୟକ୍ତ ଲୋକଙ୍କ ଟେକାପଥର ମାଡରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ପୁଲିସ ଘଟଣାସ୍ଥଳ  ଛାଡିିବାକୁ ବାଧ୍ୟ ହୋଇଥିଲା। ପୁଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚିବା ପରେ ପୋଲିସ ଫ୍ଲାଗ ମାର୍ଚ୍ଚ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଯାଜପୁର ଜିଲାର ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସୂଚନା ଅନୁଯାୟୀ ଏହି ଗ୍ରାମରେ ଏକ ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ପ୍ରାୟ ଦୁଇ ବର୍ଷ ହେବ ବିବାଦ ଲାଗି ରହିଥିଲା। ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ଏହି ଘଟଣାକୁ କେନ୍ଦ୍ରକରି ବହୁବାର ମାଡପିଟ୍‍ ହେବା ସହ ଥାନାରେ ମାମଲା ହୋଇଛି। କିଛି ଦିନ ହେବ ଏହି ଗ୍ରାମରେ ପୁନଃର୍ବାର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନାକୁ ଲକ୍ଷ୍ୟ କରି ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ଆଗୁଆ ପଦକ୍ଷେପ ସ୍ୱରୁପ ପଣସୁଧାରେ ୨ ସେକ୍ସନ ଫୋର୍ସ ମୁତୟନ କରାଇଥିଲେ। ଆଜି ସନ୍ଧ୍ୟାରେ ଗୋଟିଏ ଗୋଷ୍ଠି ହଠାତ୍‍ ପୁଲିସ୍‍ ଉପସ୍ଥିତିରେ ସଙ୍ଘବଦ୍ଧ ଭାବେ ବାହାରି ଅନ୍ୟ ଗୋଟିଏ ଗୋଷ୍ଠୀର ଲୋକଙ୍କ ଉପରେ ହଠାତ ଆକ୍ରମଣ କରିଥିଲେ। କମ୍‍ ସଂଖ୍ୟକ ପୁଲିସ ବହୁ ସଂଖ୍ୟାରେ ଆସିଥିବା ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇପାରିନଥିଲା।

ଏହି ଘଟଣାରେ ଅନ୍ୟଗୋଷ୍ଠୀର ଲୋକମାନେ ଏକତ୍ରିତ ହେବା ସହ ଖୁବ୍‍ କମ୍‍ ସମୟ ମଧ୍ୟରେ ଉତ୍ୟକ୍ତ ହୋଇ ଟେକା ପଥର ମାଡ କରିବା ସହିତ ବାଲିଚନ୍ଦ୍ରପୁର ଥାନାର ଦୁଇଟି ପୁଲିସ ଗାଡିକୁ ଜାଳି ଦେବା ସହ ଉପସ୍ଥିତ ପୁଲିସ୍‍ ଉପରକୁ ଟେକା ପଥର ମାଡ କରିଥିଲେ। ଏହି ଘଟଣା ପରେ ନିକଟସ୍ଥ ବିଭିନ୍ନ ଥାନାର ଥାନାଧିକାରୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଯାଜପୁର ଏସପି ରାହୁଲ ପି.ଆର. ପଣସୁଧା ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ଜଣାଯାଇଛି। ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ.ପି ସୂଚନା ଦେଇଛନ୍ତି।

Comments
Loading...