ଭାରତ ବିପକ୍ଷ ସିରିଜ୍‌ରୁ ଓହରିଲେ ମାଥ୍ୟୁସ୍

କଲମ୍ବୋ : ଚଳିତମାସ ୧୩ରୁ ଭାରତ ବିପକ୍ଷରେ ଘରୋଇ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ସିରିଜ୍‌ ଖେଳିବ। ଏହି ସିରିଜ୍‌ରୁ ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜ୍‌ରେ ସେ ଖେଳିବେ ନାହିଁ ବୋଲି ମାଥ୍ୟୁସ୍ ଜଣାଇଛନ୍ତି। ତେବେ ଅନୁମାନ କରାଯାଉଛି ଯେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଉପରେ କ୍ଷୁବ୍‌ଧହୋଇ ମାଥ୍ୟୁସ୍ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ପରି କଠୋର ନିଷ୍ପତ୍ତି ନେବାକୁ ମନସ୍ଥ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ତାଙ୍କ ସହ କିଛି ବରିଷ୍ଠ ଖେଳାଳିଙ୍କ ପ୍ରତି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ଆଚରଣ ମାଥ୍ୟୁସ୍‌ଙ୍କୁ ବ୍ୟଥିତ କରିଛି। ତେଣୁ ଅବସର ନେବା କଥା ସେ ବିଚାର କରୁଛନ୍ତି। ପରେ ସେ ତାଙ୍କର ନିଷ୍ପତ୍ତି ଜଣାଇବେ। ବର୍ତ୍ତମାନ ପାଇଁ ସେ ଭାରତ ବିପକ୍ଷ ସିରିଜ୍‌ରୁ ଅବ୍ୟାହତି ମାଗିଛନ୍ତି। ବାଂଲାଦେଶ ବିପକ୍ଷରେ ଗତ ମେ’ରେ ମାଥ୍ୟୁସ୍ ଶେଷଥର ଟେଷ୍ଟ ସିରିଜ୍‌ ଖେଳିଥିଲେ। ଏହାପରେ ଶ୍ରୀଲଙ୍କା ଦଳ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ସୀମିତ ଓଭର ସିରିଜ୍‌ରେ ମାଥ୍ୟୁସ୍‌ଙ୍କୁ ସ୍ଥାନ ମିଳିନଥିଲା। ଭାରତ ବିପକ୍ଷରେ ଶ୍ରୀଲଙ୍କା ଏକ ଦୁର୍ବଳ ଦଳ ଖେଳାଇବା ନିଶ୍ଚିତ ହୋଇଯାଇଛି। ଆଞ୍ଜେଲୋ ମାଥ୍ୟୁସ୍ ଦଳରୁ ଓହରି ଯାଇଥିବା ବେଳେ ଇଂଲଣ୍ଡରେ ଜୈବ ନିରାପତ୍ତା ବଳୟ ଭାଙ୍ଗିବା ଯୋଗୁଁ ୩ ବରିଷ୍ଠ ଖେଳାଳି ଧନୁଷ୍କା ଗୁଣତିଳକ, ନିରୋଶନ ଡିକ୍‌ୱେଲା ଓ କୁଶଳ ମେଣ୍ଡିସ୍‌ଙ୍କ ବିପକ୍ଷରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯାଇ ସେମାନଙ୍କୁ ଭାରତ ବିପକ୍ଷ ସୀମିତ ଓଭର ସିରିଜ୍‌ରୁ ବାଦ୍‌ ଦିଆଯାଇଛି।

Comments are closed.