୧୧ ବର୍ଷ ହେଲା ବାରଣ୍ଡାରେ ରହିଗଲା ଅଙ୍ଗନବାଡ଼ି କେନ୍ଦ୍ର

0

ଦେବଗଡ଼ : ଦୀର୍ଘ ୧୧ ବର୍ଷ ତଳୁ ଚିଠି ଲେଖି ଜଣାଇଲେଣି; କିନ୍ତୁ ଏଯାବତ୍‌ ଏକ ଛୋଟ ଅଥଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାମଟିଏ ହୋଇପାରୁନି। ତିଆରି ହୋଇପାରୁନି ଅଙ୍ଗନବାଡ଼ି କେନ୍ଦ୍ର ଘରଟିଏ। ଫଳରେ ସରକାର ତିଆରି କରିଥିବା ଅଙ୍ଗନବାଡି କେନ୍ଦ୍ର ଅସୁରକ୍ଷିତ ହୋଇପଡିବା ପରେ ୧୧ ବର୍ଷ ଧରି ଅଙ୍ଗନବାଡ଼ି କର୍ମୀଙ୍କ ମାଟିପିଣ୍ଡାରେ ଚାଲିଛି କେନ୍ଦ୍ର। ପରିବାର ଚଳଣି ସହ କୁନିକୁନି ପିଲାଙ୍କ ପାଠପା ଓ ଭୋଜନ ଏହି ବାରଣ୍ଡାରେ ବର୍ଷାଦିନେ କିଭଳି ଚାଲୁଥିବ ତାହା ଆମ ସରକାରୀ ବାବୁମାନଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରିପାରିନି। ପୂର୍ବ କୋଠାଟି ଅସୁରକ୍ଷିତ ହୋଇପଡିବା ପରେ ପିଲାଙ୍କ ପାଠପଢ଼ା ଯେଭଳି ପ୍ରଭାବିତ ନ ହେବ ସେଥିପାଇଁ କର୍ମୀ ଏହି କେନ୍ଦ୍ରକୁ ନିଜ ଘର ବାରଣ୍ଡାରେ ଚାଲୁ ରଖିଥିଲେ। ଇତିମଧ୍ୟରେ ୧୧ ବର୍ଷ ବିତିଗଲାଣି; କିନ୍ତୁ ସରକାର ନୂତନ କୋଠା ନିର୍ମାଣ କଥା ଆଉ ଚିନ୍ତା କରିନାହାନ୍ତି। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ଓ ଦାବି ସବୁ ନିଷ୍ଫଳ ହୋଇଛି। ଦେବଗଡ଼ ଜିଲା ବାରକୋଟ ବ୍ଲକ ଗୁରୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ନୂଆକେଶଲା (ମଣ୍ଡଶୀଳା-କ) ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର କର୍ମୀଙ୍କ ଅଣଓସାରିଆ ତଥା ଅସୁରକ୍ଷିତ ଘର ବାରଣ୍ଡାରେ ଏବେ ମଧ୍ୟ ଚାଲିଛି କୋମଳମତି ଅଙ୍ଗବାଡ଼ି ଶିଶୁମାନଙ୍କ ପାଠପଢ଼ା।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରେଙ୍ଗାଳୀ ନଦୀବନ୍ଧ ବିସ୍ଥାପିତଙ୍କ ଏହି ନୂଆକେଶଲା (ମଣ୍ଡଶୀଳା-କ) ଗ୍ରାମରେ ପୂର୍ବରୁ ଏକ ଅଙ୍ଗନବାଡ଼ି ଘର ରହିଥିଲା। ମାତ୍ର ସମୟକ୍ରମେ ଏହା ଦୁର୍ବଳ ଓ ଜରାଜୀର୍ଣ୍ଣ ହୋଇପଡିବା ସହ ଏହାର ଛାତରୁ କଂକ୍ରିଟ ଛେଲା ପଡିବାକୁ ଆରମ୍ଭ କରିଥିଲା। ଏଥିସହ ଛାତରୁ ଛଡ ମଧ୍ୟ ବାହାରି ତଳକୁ ଝୁଲିପଡିଥିଲା। ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ଏବଂ ଗ୍ରାମବାସୀ ଏକାଧିକବାର ବିଭାଗୀୟ ସୁପରଭାଇଜର ଓ ସିଡିପିଓ ଏବଂ ବାରକୋଟ ବ୍ଲକ ବିଡିଓଙ୍କୁ ସୂଚନା ଦେବାସହ ଏକ ନୂତନ ଗୃହ ନିର୍ମାଣ ଲାଗି ଦାବି କରିଥିଲେ। ମାତ୍ର କେହି କର୍ଣ୍ଣପାତ କଲେନି। ଏଣେ ଛାତରୁ କଂକ୍ରିଟ ଛେଲା ଖସି ଶିଶୁମାନଙ୍କ ମୁଣ୍ଡରେ ପଡିବାରୁ ସେମାନଙ୍କ ପାଇଁ ବିପଦ ଦେଖାଦେଇଥିଳା। ଫଳରେ ଅନୋନ୍ୟପାୟ ହୋଇ ଅଙ୍ଗନବାଡ଼ି କର୍ମୀ ଶାନ୍ତି ଜେନା ୧୧ ବର୍ଷ ତଳେ ନିଜ ଘରର ବାରଣ୍ଡାରେ ଏହି କେନ୍ଦ୍ର ଅସ୍ଥାୟୀ ରୂପେ ଚଳାଇଥିଲେ। ସେତେବେଳେ ଏସମ୍ପର୍କରେ ବିଭାଗୀୟ କର୍ତ୍ତପକ୍ଷ ମଧ୍ୟ ଲିଖିତ ସୂଚନା ଦେଇଥିଲେ। ଲିଖିତ ସୂଚନା କେଉଁ ଫାଇଲ ତଳେ ଚାପି ହୋଇଯାଇଛି; ତାକୁ ଖୋଜବା ସରକାରୀ ବ୍ୟବସ୍ଥାରେ ସମୁଦ୍ର ମନ୍ଥନ କରିବା ଭଳି। କିନ୍ତୁ ସେହିଦିନଠାରୁ ଏହି କେନ୍ଦ୍ରଟି ଯେ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଜେନାଙ୍କ ଘରର ଅଣଓସାରିଆ ତଥା ବ୍ୟବହାର ଅନୁପଯୋଗୀ ବାରଣ୍ଡାରେ ଚାଲିଛି ତାହା ନିଘା କରିବାକୁ କେହି ସରକାରୀ ବାବୁ ବୋଧେ ନାହାନ୍ତି!
‘ସଭିଁଏ ପଢିବେ ଓ ସଭିଁଏ ବଢିବେ’ ସ୍ଲୋଗାନ୍‌ କେତେ ଫଳପ୍ରଦ ଓ ସରକାରଙ୍କ ବିକାଶର ମାର୍ଗ କେତେ ଊର୍ଦ୍ଧ୍ବମୁଖୀ ତାହା ଏହି ଗୋଟିଏ ଘଟଣାରୁ ସ୍ପଷ୍ଟ। କୁନିକୁନି ଶିଶୁମାନଙ୍କ ସୁରକ୍ଷା ପ୍ରତି ବ୍ୟବସ୍ଥା କେତେ ଯତ୍ନଶୀଳ ନୂଆକେଶଲା (ମଣ୍ଡଶୀଳା-କ) ଗ୍ରାମ ଏହାର ଉଦାହରଣ। ବାରଣ୍ଡାରେ ବସି ଖରା, ବର୍ଷା ଓ ଶୀତଦିନେ କୁନି ପିଲାଏ ପାଠପଢିବାରେ ଯେ କିଭଳି ସମସ୍ୟାର ଭୋଗୁଛନ୍ତି ତାହା ଗାଁ ଲୋକ ଜାଣନ୍ତି। ସେହିପରି ଅନେକ ଗର୍ଭବତୀ ଓ ପ୍ରସୂତି ହିତାଧିକାରୀ ଯୋଜନାର ସୁବିଧା ସୁଯୋଗ ହାସଲ ନିମନ୍ତେ ତାଙ୍କ ଘରକୁ ଆସିବାକୁ ଏହି କାରଣରୁ ମଙ୍ଗୁ ନ ଥିବା କୁହାଯାଉଛି।
ଏ ସମ୍ପର୍କରେ ପ୍ରତ୍ୟେକ ମାସରେ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଜେନାଙ୍କୁ ପଚାରିବାରୁ ସେ ଏହି ସମସ୍ୟାକୁ ସ୍ୱୀକାର କରିବା ସହ ଏହି ସମସ୍ୟା ସମ୍ପର୍କରେ ସେ ଦୀର୍ଘ ୧୧ବର୍ଷ ଧରି ବାରକୋଟ ବ୍ଲକରେ ପ୍ରତ୍ୟେକ ମାସରେ ବସୁଥିବା ବିଭାଗୀୟ ବୈଠକରେ ଜଣାଇବା ସହ ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ କରି ଏହାର ସମାଧାନ ପାଇଁ ନିବେଦନ କରିଆସୁଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶିଶୁମାନେ ତାଙ୍କ ବାରଣ୍ଡାରେ ବସୁଥିବାରୁ ପରିବାର ଚଳଣିରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ତାଙ୍କ ଘରର ଚାଳିଆ ତଳେ ମାଟି ଚଟାଣରେ ରୋଷେଇ କରାଯିବା ସହ ଶିଶୁ ମାନଙ୍କୁ ସେଠାରେ ଖାଦ୍ୟ ପରସା ଯାଇଥାଏ। ଏହା ବର୍ଷାଦିନେ ସନ୍ତସନ୍ତିଆ ହୋଇପଡି କାଦୁଅରେ ପରିପୂର୍ଣ୍ଣ ହୋଇପଡିବା ସହ ଝିଟିପିଟି, ଅସରପା, ତେଲୁଣିପୋକ, ସାପ ଓ ମୂଷା ଆଦିଙ୍କର ଭୟ ମଧ୍ୟ ରହିଛି। ଏଣୁ ଆଗାମୀ ଦିନରେ ପିଲାଙ୍କୁ ସେ କେଉଁଠି ବସାଇବେ ସେଥିନେଇ ଚିନ୍ତିତ ଥିବା କହିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଲାଗି କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିବାବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାହିଁକି ଏଠାରେ ଅଙ୍ଗନବାଡ଼ି ଘର ନିର୍ମାଣ କରୁନାହାନ୍ତି ତାହା ବୁଝିହେଉନି। ତୁରନ୍ତ ଏକ ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ବାରକୋଟ ସିଡିପିଓ ମିନତୀ ତ୍ରିପାଠୀଙ୍କୁ ଯୋଗାଯୋଗ କରାଯିବାରେ ନୂତନ ଅଙ୍ଗନବାଡି କେନ୍ଦ୍ର ପାଇଁ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି ଓ ନୂତନ ଗୃହ ନିର୍ମାଣ ହେଲେ ଏହି ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ୧୧ ବର୍ଷ ତଳୁ ପ୍ରସ୍ତାବ ଦିଆଯାଇଛି, କେବେ ସରକାରଙ୍କ ନିଦ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଛି।

Leave A Reply