ଅଙ୍ଗନବାଡ଼ି କେନ୍ଦ୍ରରେ ପୋଡ଼ି ହେଲେ ଶିଶୁ

0

ରାୟଗଡ଼ା : ରାୟଗଡା ଜିଲା ସଦର ମହକୁମାରୁ ମାତ୍ର ୧୨କିମି ଦୂର କୋଲନରା ବ୍ଲକ ସଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଙ୍ଗନବାଡି କେନ୍ଦ୍ରର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ଜଣେ ଶିଶୁ ନିଆଁରେ ପୋଡି ହୋଇ ଗୁରୁତର ହୋଇଛି। ପିଲାଟିର ଶରୀରର ୬୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଛି। ଏଣେ ପରିସ୍ଥିତି ଗମ୍ଭୀର ଥିବାରୁ ବିଭାଗୀୟ ଅଧିକାରୀମାନେ ଘଟଣାକୁ ଘଣ୍ଟ ଘୋଡାଇବା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ଚଳିତ ମାସ ୯ ତାରିଖ ରବିବାର ଏହି ଘଟଣା ଘଟିଛି। ତେବେ ଆଜି ସୁଦ୍ଧା ଏ ନେଇ କାହା  ପାଖରେ ଖବର ନଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କୋଲନରା ଗ୍ରାମ ବଡ କନ୍ଧ ସାହିର ଲଛୁମୁଙ୍କ ପୁଅ ହରେକୃଷ୍ଣ କଣ୍ଡାଗିରି ବ୍ରାହ୍ମଣ ସାହିର ଅଙ୍ଗନବାଡି କେନ୍ଦ୍ରରେ ଅଧ୍ୟୟନ କରୁଛନ୍ତି। ଘଟଣା ଦିନ ଉକ୍ତ କେନ୍ଦ୍ରର ଦାୟିତ୍ୱରେ ଥିବା ଅଧିକାରୀ ରାଜଶ୍ରୀ ଦୋରା ଅନୁପସ୍ଥିତ ରହିଥିବା ବେଳେ ପାଚିକା କେ ଅନୁଜାଖି ପରିଚାଳନା ଦାୟିତ୍ୱରେ ଥିଲେ। ସେ ସେହି ଦିନ ଶୀଘ୍ର ରନ୍ଧା ସାରି ପିଲାମାନଙ୍କୁ ଖାଦ୍ୟ ଦେଇ ଚାଲି ଯାଇଥିଲେ। କେଉଁ ଶିଶୁ ରହିଲା କିଏ ଗଲା ସେ ବିଷୟକୁ ସେ ଧ୍ୟାନ ଦେଇ ନଥିଲେ। ଅସାବଧାନତାବଶତଃ ହରେକୃଷ୍ଣର ଦେହରେ ନିଆଁ ଲାଗି ଯାଇଥିଲା। ତେବେ କିପରି ଓ କେଉଁଠି ନିଆ ଲାଗିଲା ସେ ବିଷୟରେ କେହି ଜାଣି ନଥିବା ବେଳେ ଗ୍ରାମବାସୀ ଏହା ଜାଣିପାରି ତୁରନ୍ତ ଖବର ଦେବା ପରେ ପିଲାଟିକୁ ପ୍ରଥମେ କୋଲନରା ପ୍ରାଥମିକ ଚିକିତ୍ସାଳୟ ଓ ପରେ ରାୟଗଡା ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ପିଲାଟିର ଅବସ୍ଥା ସଙ୍କାଟାପନ୍ନ ହେବାରୁ ବ୍ରହ୍ମପୁର ନିଆଯାଇଥିଲା। ପିଲାଟିର ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ନଆସିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଥିଲା। ସେ ବର୍ତ୍ତମାନ କଟକ ହସପିଟାଲର ୧୯୦ନମ୍ବର ବେଡର ଚିକିତ୍ସିତ ହେଉଛନ୍ତି। ଏ ବିଷୟରେ ସିଡିପିଓ ଭି ଗିରଜାଙ୍କୁ ପଚାରିବାରୁ ଘଟଣା ଦିନ କେନ୍ଦ୍ର ଅଧିକାରୀ ବିନା ଛୁଟି ଦରଖାସ୍ତରେ ଖାଲି ଫୋନ ମାଧ୍ୟମରେ ବୈଠକ ଅଛି ବୋଲି କହି ଚାଲି ଯାଇଥିବା ପ୍ରକାଶ କରିଛନ୍ତି। ଏଣେ ଖାଦ୍ୟ ରନ୍ଧା ଦାୟିତ୍ୱରେ ଥିବା ଅନୁଜାଖିଙ୍କୁ ପଚାରିବାରୁ ସେ ଶୀଘ୍ର ପିଲାଙ୍କୁ ଖାଇବାକୁ ଦେଇ ଚାଲିଯାଇଥିଲେ ବୋଲି କହିବା ସହ ପିଲାମାନେ ଏକ ପାଳ ଗଦା ପାଖରେ ଖେଳୁଥିବା କହିଛନ୍ତି। କୌଣସି କାରଣରୁ ନିଆଁ ଲାଗିଯାଇଥିବା ସେ ଜଣାଇଛନ୍ତି। ତେବେ ଘଟଣାର ସତ୍ୟତା ବର୍ତ୍ତମାନ ସୁନ୍ଧା ଜଣାପଡି ନାହିଁ ବୋଲି କହିଛନ୍ତି। ସମ୍ପୃକ୍ତ ଅଧିକାରୀ ମନଇଚ୍ଛା କେନ୍ଦ୍ରକୁ ଆସୁଥିବା ଓ ବନ୍ଦ କରି ଚାଲିଯାଉଥିବା ଗ୍ରାମବାସୀ ଦର୍ଶାଇବା ସହ ତୁରନ୍ତ ଘଟଣାର ତଦନ୍ତ କରି ପାଚିକା ଓ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅଧିକାରୀମାନଙ୍କ ବେଖାତିର ମନୋଭାବ ଯୋଗୁ ଶିଶୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି। ଉକ୍ତ ପିଲାଟିର ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ପିଲାଟି ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛି। ପ୍ରଶାସନ ପକ୍ଷରୁ ଶିଶୁର ଚିକିତ୍ସା ପାଇଁ ସହାୟତା ପ୍ରଦାନ ଦାବି ହୋଇଛି।

Leave A Reply