‘ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବ’

ପୁରୀ ବଡ଼ଦାଣ୍ଡରେ ଶରୀର ଓ ଅଙ୍ଗଦାନ ସଚେତନତା

ପୁରୀ: ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବ। ଶରୀର ଓ ଅଙ୍ଗଦାନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଶରୀରର ମୂଲ୍ୟବାନ ଅଙ୍ଗଗୁଡ଼ିକ ପୋଡ଼ି ପାଉଁଶ ହେବା ପୂର୍ବରୁ ଦାନକରି ଅନ୍ୟକୁ ବଞ୍ଚିବାର ସୁଯୋଗ ଦିଅନ୍ତୁ। ଅଙ୍ଗଦାନ ସବୁଠାରୁ ମହତ ଦାନ ବୋଲି ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା ଓଡ଼ିଶା ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମତ ଦେଇଛନ୍ତି।
ପୁରୀର ଚାରିଗୋଟି ରୋଟାରୀ କ୍ଲବ ପକ୍ଷରୁ ସୋମବାର ବଡ଼ଦାଣ୍ଡରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଡ. ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେ କହିଲେ ଅଙ୍ଗଦାନ ଅଭିଯାନର ସଫଳତା ପଛରେ ରୋଟାରୀ କ୍ଲବର ପ୍ରମୁଖ ଅବଦାନ ରହିଛି। ଜନସଂଖ୍ୟାର ମାତ୍ର ୧% ଲୋକ ଅଙ୍ଗଦାନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଦେଶରେ ହଜାର ହଜାର ଦୃଷ୍ଟିହୀନଙ୍କ ସମେତ ବୃକକ୍‌ ଓ ଯକୃତ ନଷ୍ଟ ହୋଇଥିବା ଲୋକ ରହିଛନ୍ତି। ଅନ୍ୟର ଚକ୍ଷୁଦାନ ଦ୍ବାରା ଦୃଷ୍ଟିହୀନମାନେ ଦୁନିଆ ଦେଖିବାର ସୁଯୋଗ ପାଇବେ। ମୃତ୍ୟୁ ମୁଖରେ ପଡ଼ିଥିବା ବହୁ ଲୋକଙ୍କୁ ନୂଆ ଜୀବନ ମିଳିପାରିବ। ଅଙ୍ଗଦାନ ପାଇଁ ଶପଥ ଏବଂ ଅଙ୍ଗଦାନ କରୁଥିବା ଲୋକଙ୍କ ମଧ୍ୟରେ ବିରାଟ ବ୍ୟବଧାନ ରହିଛି। ଓଡ଼ିଶାରେ କେବଳ ବୃକକ୍‌ (କିଡ୍‌ନୀ) ପ୍ରତିରୋପଣ ବ୍ୟବସ୍ଥା ଥିବାବେଳେ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ପାଇଁ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ହେବା ଉଚିତ। ଅଙ୍ଗ ସକ୍ଷମ ଥିଲେ ତାହାକୁ ଅନ୍ୟ ଶରୀରରେ ପ୍ରତିରୋପଣ କରାଯାଇ ପାରିବ।

 

ତେଣୁ ଶରୀର ଓ ଅଙ୍ଗଦାନ କରି ଅନ୍ୟପାଇଁ ପ୍ରେରଣାର ଉତ୍ସ ହେବାକୁ ଡ. ଆଚାର୍ଯ୍ୟ ଆହ୍ବାନ କରିଛନ୍ତି। ରୋଟାରୀ ଇଣ୍ଟରନ୍ୟାସନାଲ ଅଙ୍ଗଦାନ କମିଟି ଅଧ୍ୟକ୍ଷ ବିକ୍ରମାଦିତ୍ୟ ନାୟକ କହିଲେ ଅଙ୍ଗଦାନ କହିଲେ ଏବେ ଓଡ଼ିଶାକୁ ବୁଝାଉଛି। ସ୍ବର୍ଗଦ୍ବାରରେ ଶବ ସତ୍କାର କଲେ ମୁକ୍ତି ମିଳେ ବୋଲି ବହୁ ଲୋକଙ୍କ ବିଶ୍ବାସ ରହିଛି। କିନ୍ତୁ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କଲେ ତାହା ସବୁଠାରୁ ପୁଣ୍ୟ କାମ ହୋଇପାରିବ। ଦେଶରେ ପ୍ରାୟ ୨୫ଲକ୍ଷ ଦୃଷ୍ଟିହୀନ ରହିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହାସ୍‌ପାତାଳର ସମ୍ପ୍ରସାରିତ ଚିକିତ୍ସା କେନ୍ଦ୍ରରେ ଅଙ୍ଗଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବାକୁ ସେ ପ୍ରସ୍ତାବ ଦେଇଥିଲେ।
ରୋଟାରିଆନ ଅଶୋକ କୁମାର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୁରୀ ରୋଟାରୀ କ୍ଲବ ସଭାପତି ବଦ୍ରିନାରାୟଣ ପାତ୍ର, ରୋଟାରୀ କ୍ଲବ ଶ୍ରୀଜଗନ୍ନାଥ ଧାମ ସଭାପତି ମନୋଜ କୁମାର ପାଣିଗ୍ରାହୀ, ରୋଟାରୀ କ୍ଲବ ସାଗର ସଭାପତି ସରୋଜ କୁମାର ପାଣିଗ୍ରାହୀ, ରୋଟାରୀ କ୍ଲବ ପୂର୍ବତନ ସଭାପତି ରବୀନ୍ଦ୍ର କୁମାର ସାହୁ, ବରିଷ୍ଠ ରୋଟାରିଆନ ସୁରେନ୍ଦ୍ର ଟାପୁରିଆଙ୍କ ସମେତ ରୋଟାରୀ କ୍ଲବ ନୀଳାଚଳର ସଦସ୍ୟମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶରୀର ଓ ଅଙ୍ଗଦାନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଚକାଡୋଳା ନର୍ସିଂ ତାଲିମ ବିଦ୍ୟାଳୟ ଏବଂ ଶୈଳବାଳା ନର୍ସିଂ ସ୍କୁଲ ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.