ଆନ୍ଧ୍ରରେ ଖୋଲିଲା ପ୍ରଥମ ‘ଦିଶା ଥାନା’

ରାଜମୁନ୍ଦ୍ରି : ଆନ୍ଧ୍ରପ୍ରଦେଶ ସରକାର ବଳାତ୍କାର ମାମଲାରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ହାଇଦରାବାଦରେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ଓ ବୀଭତ୍ସ ହତ୍ୟା ପରେ ୱାଇ.ଏସ୍‌ ଜଗନମୋହନ ରେଡ୍ଡିଙ୍କ ସରକାର ମୃତ ପ୍ରାଣୀ ଚିିତ୍ସିକାଙ୍କ ନାମାନୁସାରେ ସ୍ବତନ୍ତ୍ର ‘ଦିଶା ଆଇନ’ ପ୍ରଣୟନ କରିଥିଲେ। ସେହି ଅନୁସାରେ ବୁଧବାର ପୂର୍ବ ଗୋଦାବରୀ ଜିଲା ଅନ୍ତର୍ଗତ ରାଜମୁନ୍ଦ୍ରି (ରାଜମହାନ୍ଦ୍ରାବରମ୍‌)ଠାରେ ସ୍ବତନ୍ତ୍ର ଦିଶା ଥାନା ପ୍ରତିଷ୍ଠା କରିଛନ୍ତି। ରାଜ୍ୟର ୧୩ ଜିଲାରେ ଏଭଳି ୧୮ଟି ଥାନା ପ୍ରତିଷ୍ଠା ହେବାକୁ ଥିବାବେଳେ ବୁଧବାର ପ୍ରଥମଟି ଲୋକାର୍ପିତ ହୋଇଛି। ଏଠାରେ କେବଳ ବଳାତ୍କାର ଓ ପକ୍ସୋ ଆଇନ ଅନ୍ତର୍ଗତ ମାମଲା ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯିବ। ଏହି ଥାନାକୁ ରାଜ୍ୟର ଅବଶିଷ୍ଟ ୧୦୯୭ ଥାନା ସହିତ ସଂଯୁକ୍ତ କରାଯିବା ବ୍ୟବସ୍ଥା ହୋଇଛି। ପ୍ରଥମ ଦିଶା ଥାନା ୪ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଓ ଏହା ଦୁଇ ମହଲା ବିଶିଷ୍ଟ। ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ଏଠାରେ ମହିଳା ଓ ନାବାଳିକା ତଥା ଶିଶୁଙ୍କ ପାଇଁ ସମସ୍ତ ସୁବିଧା ରହିଛି। ଦୁଇ ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ବାବଧାନରେ ଏହାର ପରିଚାଳନା ହେବ। ଏଠାରେ ୫ ଇନ୍ସପେକ୍ଟର ଓ ୧୮ କନ୍‌ଷ୍ଟେବଳଙ୍କ ସହ ଜଣେ ସାଇବର ବିଶେଷଜ୍ଞ ନିଯୁକ୍ତ ହେବେ। ଏଥିସହିତ ‘ଦିଶା ନିୟନ୍ତ୍ରଣ କକ୍ଷ’ ମଧ୍ୟ ସ୍ଥାପନ କରାଯାଇଛି; ଯାହାକୁ ୧୪୪ ଜଣ ଅଧିକାରୀଙ୍କ ଦ୍ବାରା ୨୪ଘଣ୍ଟିଆ କାର୍ଯ୍ୟକ୍ଷମ କରାଯିବ। ଦୁର୍ଦଶାରେ ପଡ଼ିଥିବା ମହିଳାଙ୍କୁ ଏହା ସହାୟତା ପାଇଁ ଉଦ୍ଦିଷ୍ଟ। ପୁଲିସ ପକ୍ଷରୁ ସ୍ବତନ୍ତ୍ର ‘ଦିଶା ଆପ୍‌’ ମଧ୍ୟ ଏଥିପାଇଁ ପ୍ରଚଳନ କରାଯାଇଛି। ଦିଶା ଆଇନାନୁସାରେ ଅଭିଯୋଗର ୧୪ ଦିନ ମଧ୍ୟରେ ତଦନ୍ତ ଶେଷ ହେବ ଓ ୨୧ ଦିନ ମଧ୍ୟରେ ବିଚାର ଶେଷ ହୋଇ ଦଣ୍ଡ ଘୋଷଣା କରାଯିବ। ଏଥିପାଇଁ ସରକାର ୮୭କୋଟି ଟଙ୍କାର ବ୍ୟୟବରାଦ କରିବା ସହ ୧୩ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରିଛନ୍ତି। ସ୍ବତନ୍ତ୍ର ଭାବେ ୧୩ ଆଇନଜୀବୀଙ୍କୁ ଏଥିପାଇଁ ନିଯୁକ୍ତ କରାଯାଇଛି। ଦିଶା ଆଇନର କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ମହିଳା ଆଇଏଏସ୍‌ ଡଃ କୃତିକା ଶୁକ୍ଳା ଓ ମହିଳା ଆଇପିଏସ୍‌ ଅଧିକାରୀ ଏମ୍‌. ଦୀପିକାଙ୍କୁ ଦାୟିତ୍ବ ଦେଇଛନ୍ତି।

Comments are closed.