ମୋଦୀ ଓ ଶାହାଙ୍କୁ ଭେଟିଲେ ଜଗନ ମୋହନ ରେଡ୍ଡୀ

ନୂଆଦିଲ୍ଲୀ : ୱାଇଏସ୍‍ଆର କଂଗ୍ରେସ ଅଧ୍ୟକ୍ଷ ୱାଇଏସ୍‍ ଜଗନ ମୋହନ ରେଡ୍ଡୀ ରବିବାର ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶହାଙ୍କୁ ଭେଟିଛନ୍ତି। ରେଡ୍ଡୀ ମେ’ ୩୦ରେ ବିଜୟୱାଡାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ମୋଦୀଙ୍କୁ ଅବଗତ କରାଇବା ସହ ରାଜ୍ୟର ଅବସ୍ଥା ସମ୍ପର୍କରେ ଜଣାଇଥିଲେ।
ସାକ୍ଷାତକାର ପରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜଗନ ମୋହନ ରେଡ୍ଡୀ କହିଥିଲେ ଯେ ଏବେ ସମୟ ଓ ପରିସ୍ଥିତି ବଦଳିଯାଇଛି। ଯଦି ବିଜେପି ଆସନ ସଂଖ୍ୟା ୨୫୦ ମଧ୍ୟରେ ସୀମିତ ରହିଥାନ୍ତା ତେବେ ଏହି ସର୍ତ୍ତରେ ଆମେ ସମର୍ଥନ ଦେଇଥାନ୍ତୁ।
ରବିବାର ସକାଳେ ଅନୁଷ୍ଠିତ ୱାଏସ୍‍ଆର କଂଗ୍ରେସ ବିଧାୟକ ଦଳ ବୈଠକରେ ଜଗନ ମୋହନ ରେଡ୍ଡୀଙ୍କୁ ବିଧାୟକ ଦଳର ନେତା ବଛାଯାଇଥିଲା। ସେ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଦଳକୁ ସମର୍ଥନ ଦେବେ ବୋଲି କହିଥିଲେ। ଏ ସମ୍ପର୍କରେ ରେଡ୍ଡୀ କହିଛନ୍ତି ଯେ ବିଜେପି ୨୫୦ ଆସନରେ ସୀମିତ ରହିଥିଲେ ଆମକୁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର ରହିବାକୁ ପଡ଼ିନଥାନ୍ତା। କିନ୍ତୁ ଏବେ କେନ୍ଦ୍ରକୁ ଆମର ଆବଶ୍ୟକତା ନାହିଁ। ଆମେ ମୋଦୀଙ୍କୁ ଆମ ସମ୍ପର୍କ ବିଷୟରେ ଅବଗତ କରାଇଛୁ।
ପ୍ରକାଶ ଯେ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱରେ ୱାଇଏସ୍‍ଆର କଂଗ୍ରେସ ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଆସନରୁ ୨୨ଟି ଆସନରେ ବିଜୟୀ ହୋଇଛି। ସେହିପରି ୧୭୫ ବିଧାନସଭା ଆସନରୁ ୧୫୧ଟିରେ ୱାଇଏସ୍‍ଆର କଂଗ୍ରେସ ଜିତିଛି। ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗ ଦେଶମ ପାର୍ଟି (ଟିଡିପି) ମାତ୍ର ୨୩ ବିଧାନସଭା ଆସନ ଜିତି ପାରିଛି।

Comments are closed.