ଓଡିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ, ଦୁଇ ରାଜ୍ୟ ପକ୍ଷରୁ ମାପଚୁପ ଆରମ୍ଭ

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ସୀମାନ୍ତ ତଥା ବିବାଦସ୍ଥଳରେ ଗୁରୁବାର ଦୁଇ ରାଜ୍ୟର ଜିଲା ପ୍ରଶାସନିକ ଅଧିକାରୀ ପହଞ୍ଚି ସେଟେଲମେଟ୍ ମ୍ୟାପକୁ ଆଧାର କରି ମାପଚୁପ (ଡିମାର୍କସେନ) ଆରମ୍ଭ କରିଥିଲେ।

ସୂଚନା ଅନୁଯାୟୀ, ଆନ୍ଧ୍ର ରାଜ୍ୟ ବିଶାଖାପାଟଣା ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଥିବା ସମୟ ଓ ତାରିଖକୁ ଦୃଷ୍ଟିରେ ରଖି କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର, ଆରକ୍ଷୀ ଅଧିକ୍ଷକ ମୁକେଶକୁମାର ଭାମୋ, ଏଡିଏମ ଦେବେନକୁମାର ପ୍ରଧାନ, ଉପଜିଲାପାଳ ଲଳିତକୁମାର କଅଁର , ଜୟପୁର ଉପଜିଲାପାଳ ହେମକାନ୍ତ ସାଏ, ଡେପୁଟି କଲେକ୍ଟର ଅର୍ଚ୍ଚନା ଦାଶ, ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ଏସିଏଫ ଆର.କେ.ନାଗ, ପୁଲିସ ଏସଡିପିଓ ନିରଞ୍ଜନ ବେହେରା, ଫରେଷ୍ଟ ରେଞ୍ଜର ଚନ୍ଦ୍ରସେନ ପୂଜାରୀ, ଥାନା ଅଧିକାରୀ ବିଜୟରାଜ ମାଝି, ଜିଲା ପରିଷଦସଭ୍ୟ ଲଇଚନ ଖରା, ସମ୍ବାଇ ସରପଞ୍ଚ ପିଲୁକୁ ଗୁଣ୍ଠା ପ୍ରମୁଖ ଓଡ଼ିଶା ପକ୍ଷରୁ ସେଠାରେ ଉପସ୍ଥିତ ଥିଲେ। ସେହିପରି ଆନ୍ଧ୍ର ରାଜ୍ୟ ପାଡେରୁ ଉପଜିଲାପାଳ କେ.ଲକ୍ଷ୍ମୀଶିବା ଜ୍ୟୋତି, ଡିଏଫ୍ଓ ବିନୋଦ କୁମାର, ତହସିଲଦାର ଜୟ ପ୍ରକାଶ, ଲ୍ୟାଣ୍ଡ ତଥା ସର୍ଭେ ଆସିଷ୍ଟାଣ୍ଡ ଡାଇରେକ୍ଟର ବିଶାଖାପାଟଣା କିଶୋର କୁମାର, ଡେପୁଟି ଇନ୍ସପେକ୍ଟର ବି.ଏନ.ଏସ ପ୍ରସାଦ, ଫରେଷ୍ଟ ରେଞ୍ଜର ଚନ୍ଦ୍ରଶେଖର, ଆଇଟିଡିଏପିଓ ଡାକ୍ତର ଏଙ୍କେଟେଶ୍ୱରଲୁ, ସି ଆଇ ପାଇଡାୟା ଓ ଏସ ଆଇ ଗୋମାଲ ରାଓ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଉଭୟ ରାଜ୍ୟର ନକ୍ସାକୁ ନେଇ ଦୀର୍ଘ ସମୟ ଆଲୋଚନା କରି ସୀମା ଚିହ୍ନଟ ପାଇଁ ନିକଟସ୍ଥ ପାହାଡ଼ ଉପରକୁ ଚଢ଼ି ପୂର୍ବରୁ ରହିଥିବା ପଥରକୁ ଚିହ୍ନଟ କରି ସେଟେଲମେଟ୍ ମ୍ୟାପ ଆଧାର କରି ଡିମାର୍କେସନ କାର୍ଯ୍ୟ ଆରମ୍ଭ କରିଥିଲେ। ଆନ୍ଧ୍ର ରାଜ୍ୟ ପାଡେରୁ ଉପଜିଲାପାଳ କେ.ଲକ୍ଷ୍ମୀ ଶିବା ଜ୍ୟୋତି ଉଭୟ ରାଜ୍ୟ ମଧ୍ୟରେ କୌଣସି ମନାନ୍ତର ରହି ନ ଥିବା ବେଳେ ବର୍ତ୍ତମାନ ଉଭୟ ସୀମାନ୍ତ ବାସିନ୍ଦାଙ୍କୁ ନିଜ ନିଜ ମଧ୍ୟରେ ଶୃଙ୍ଖଳା ବଜାୟ ରଖିବା ପାଇଁ ବୁଝାମଣା କରାଯାଇଥିବା ପ୍ରକାଶ କରିଥିଲେ।

କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର ବର୍ତ୍ତମାନ ମାପଚୁପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଉଭୟ ରାଜ୍ୟ ମଧ୍ୟରେ କୌଣସି ସୀମା ଚିହ୍ନଟ କରାଯାଇ ନାହିଁ। ଡିମାର୍କେସନ କାର୍ଯ୍ୟକ୍ରମ ପରେ ସୀମା ଚିହ୍ନଟ କରାଯିବ ବୋଲି ପ୍ରକାଶ କରିଥିଲେ। ଉଭୟ ରାଜ୍ୟ ଜିଲା ପ୍ରଶାସନ ମଧ୍ୟରେ ଆଲୋଚନା ସମୟରେ ପୂର୍ବତନ ସରପଞ୍ଚ ତ୍ରିନାଥ ପାଙ୍ଗି, ପୂର୍ବତନ ଜିଲା ପରିଷଦସଭ୍ୟ ଶୁକ୍ରା ଖରା ଓ କଂଗ୍ରେସ ସେବାଦଳର ଗୋବିନ୍ଦ ଖରା ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ଆନ୍ଧ୍ର ରାଜ୍ୟର ପୂର୍ବତନ ଜିଲା ପରିଷଦ ସଭ୍ୟ ଖିଲ ସୁରେନ୍ଦ୍ର ଓ ପୂର୍ବତନ ସରପଞ୍ଚ ଜି.ସୁନ୍ଦର ରାଓ ଉପସ୍ଥିତ ଥିଲେ।

ପଡ଼ିଶାର ନେତା, ଓଡ଼ିଶାର ଭତ୍ତା
ଜେମାଦେଇପେଣ୍ଠ: ଜଣେ ଜନପ୍ରତିନିଧି ଦୀର୍ଘବର୍ଷ ଧରି ସୀମାନ୍ତ ଜିଲାର ଉଭୟପାର୍ଶ୍ବରୁ ଭତ୍ତା ଟଙ୍କା ଓ ରାସନ୍ ସାମଗ୍ରୀ ହାତେଇବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଜନପ୍ରତିନିଧି ହିସାବରେ ଲୋକଙ୍କ ସୁଖଦୁଃଖ ବୁଝିବା ପରିବର୍ତ୍ତେ ସେ ନିଜକୁ ତଥା ନିଜ ପରିବାର ସୁଖ ପାଇଁ ଭତ୍ତା ଓ ରାସନ୍ ସାମଗ୍ରୀ ସାଙ୍ଗକୁ ଅନ୍ୟ ସରକାରୀ ସୁବିଧା କୌଶଳକ୍ରମେ ହାତେଇବାରେ ସଫଳ ହୋଇଛି। ରାୟଗଡ଼ା ବ୍ଲକ ଦୁର୍ଗାପାଡ଼ୁ ପଞ୍ଚାୟତର ଅନେକ ଗ୍ରାମ ସୀମାନ୍ତ ଆନ୍ଧ୍ରପ୍ରଦେଶର କୁରୂପାମ୍ ମଣ୍ଡଳରେ ଅବସ୍ଥିତ। ବର୍ଷକୁ ଥରେ କିମ୍ବା ଦୁଇଥର ପ୍ରସାଶନିକ ଅଧିକାରୀଙ୍କ ଏ ଅପହଞ୍ଚ ଅଞ୍ଚଳରେ ପାଦ ପଡ଼ିବା କଷ୍ଟ ହୋଇଥାଏ। ସରକାରୀ ଯୋଜନା କାଗଜ କଲମରେ ଚାଲୁଥିଲାବେଳେ ଦୀର୍ଘଦିନ ଦିନର ଅଭିଜ୍ଞତାକୁ ପାଥେୟ କରି ଏହି ଜନ ପ୍ରତିନିଧିଜଣକ କିଛି ମୁନାଫାଖୋର ପ୍ରଶାସନିକ ଅଧିକାରୀଙ୍କୁ ପ୍ରଲୋଭିତ କରି ଅନାୟାସରେ ଉଭୟ ସରକାରଙ୍କପକ୍ଷରୁ ଦିଆଯାଉଥିବା ଭତ୍ତାକୁ ଉପଭୋଗ କରୁଥିବା ଅଭିଯୋଗ ହୋଇଛି। ଆନ୍ଧ୍ର ସୀମାନ୍ତ କୁରୁପମ ମଣ୍ଡଳରେ ଏହି ନେତା ଜଣଙ୍କର ଅନେକ ଏକର ଜମି ଥିବା ଯୋଗୁଁ ସରକାରୀ ପରିଚୟପତ୍ର ଆଧାରକାର୍ଡ ଜରିଆରେ ଦୀର୍ଘ ୨୦ବର୍ଷ ଧରି ୱାର୍ଡ ସଭ୍ୟପଦରେ ରହି ଆସୁଛନ୍ତି। ପୁଣି ସୀମାନ୍ତ ଓଡ଼ିଶାରେ ଦୁର୍ଗାପାଡ଼ୁ ପଞ୍ଚାୟତରେ ବାସଗୃହ ଥିବା ଯୋଗୁଁ ଉଭୟ ସରକାରଙ୍କ ପକ୍ଷରୁ ସବୁ ଯୋଜନାର ସୁବିଧା ପାଇବା ସହ ଜଣେ ଜନହିତକର ଲୋକ ଭାବେ ଜଣାଶୁଣା। ସ୍ଥାନୀୟ ବାସିନ୍ଦା ସବୁ ଜାଣି ମଧ୍ୟ ଭୟରେ କିଛି କହୁ ନ ଥିବା ଚର୍ଚ୍ଚା ହେଉଛି। ଏ ବିଷୟରେ ରାୟଗଡ଼ା ବିଡିଓଙ୍କୁ ପଚାରିବାରୁ ସେ କହିଲେ ପ୍ରଶାସନିକ ତ୍ରୁଟି ଯୋଗୁଁ ଏହା ହୋଇଥାଇପାରେ, ନଚେତ୍ ଜଣେ ହିତାଧିକାରୀ ଉଭୟ ରାଜ୍ୟର ସରକାରଙ୍କପକ୍ଷରୁ ସରକାରୀ ଯୋଜନା ପାଇବା ସହଜ ନୁହେଁ। ପଞ୍ଚାୟତ ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ହିତାଧିକାରୀର ରାସନ୍ କାର୍ଡ ଓ ଭତ୍ତାକାର୍ଡକୁ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେବେ ବୋଲି ସେ ପ୍ରକାଶ କରିଛନ୍ତି। କୋରାପୁଟ ଜିଲା ପଟାଙ୍ଗି ବ୍ଲକରେ ସୀମାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହି ନେତାଙ୍କ ଏଭଳି କାରସାଦିକୁ ନେଇ ଏବେ ଜିଲା ସାରା ଚର୍ଚ୍ଚା।

Comments are closed.