ଆନ୍ଧ୍ରର ନିର୍ମାଣ କାର୍ଯ୍ୟକୁ ବନ୍ଦ କଲା ଓଡ଼ିଶା

ରାୟଗଡା: ବିଭିନ୍ନ ସମୟରେ ସୀମା ଲଙ୍ଘି ଆନ୍ଧ୍ର ପ୍ରଶାସନ ଦାଦାଗିରି ଦେଖାଉଥିବା ବେଳେ ଆଜି ଓଡ଼ିଶା ପକ୍ଷରୁ କଡା ଜବାବ ଦିଆଯାଇଛି। ଆନ୍ଧ୍ର ଦ୍ବାରା ସୀମାନ୍ତରେ ନିର୍ମାଣ ହେଉଥିବା ସେତୁକୁ ରାୟଗଡା ପ୍ରଶାସନ ବନ୍ଦ କରିଦେଇଛି। ରାୟଗଡା ବିଡିଓ ଓ ତହସିଲଦାରଙ୍କ ଆଗରେ ମୁଣ୍ଡ ନୁହଁାଇଛି ଆନ୍ଧ୍ର ପ୍ରଶାସନ। ରାୟଗଡା ସଦର ବ୍ଲକ ସାନଲୁକୁଟି ଗ୍ରାମ ନିକଟରେ ଗତ ଫେବୃଆରୀରେ ଜୋରଜବରଦସ୍ତ ସେତୁ ନିର୍ମାଣ କାର୍ଯ୍ୟ ଆନ୍ଧ୍ର ପ୍ରଶାସନ କରିଥିଲା। ଉକ୍ତ ସମୟରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ରହିଥିବାରୁ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଥିଲା। ଏହି ଖବର ଜଣାପଡିବା ପରେ ସେତୁ ନିର୍ମାଣ କାର୍ଯ୍ୟକୁ ରାୟଗଡା ଜିଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା। ଓଡ଼ିଶା ଅଧିକୃତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଫଳକ ଲଗାଯାଇଥିଲା।

ଦୀର୍ଘଦିନ ନିରବ ରହିବା ପରେ ଗତ ୭ ଦିନ ଧରି ସେତୁ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ କରିଥିଲା ଆନ୍ଧ୍ର ପ୍ରଶାସନ। ଉକ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛି ରାୟଗଡା ପ୍ରଶାସନ। ଓଡ଼ିଶାକୁ ଲାଗି ରହିଥିବା ସ୍ଥାନରେ ଏବେ ରାୟଗଡା ପ୍ରଶାସନ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଓଡ଼ିଶାର ସୀମାନ୍ତ ସାନଲୁକୁଟି ଗ୍ରାମକୁ ଲାଗି ରହିଛି ଆନ୍ଧ୍ରର ଲାଡ୍ଡା ଗ୍ରାମ। ଚାରିଆଡେ ଓଡ଼ିଶାର ଗ୍ରାମ ତାହା ମଧ୍ୟରେ ଆନ୍ଧ୍ରର ଲାଡ୍ଡା ଗ୍ରାମ ରହିଥିବାରୁ ସେତୁ ନିର୍ମାଣକୁ ଅଧିକ ଗୁରୁତ୍ବ ଦେଇଥିଲା ଆନ୍ଧ୍ର ପ୍ରଶାସନ। ଆନ୍ଧ୍ର ନିର୍ମାଣ କରୁଥିବା ସେତୁରେ ଆନ୍ଧ୍ର ଜାଗାରେ ଗୋଟିଏ ଓ ଓଡ଼ିଶା ଜାଗାରେ ୨ଟି ପିଲାର ନିର୍ମାଣ କରୁଥିବାରୁ ରାୟଗଡା ପ୍ରଶାସନ ଏହାକୁ ବିରୋଧ କରିଥିଲା।

ଓଡ଼ିଶା ସରକାର କିମ୍ବା ଜିଲା ପ୍ରଶାସନର ବିନା ଅନୁମତିରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଶାସନର ତାଗିଦ ପରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲା ଆନ୍ଧ୍ର ପ୍ରଶାସନ। ପୁଣି ଚାଲାକି କରି ଆନ୍ଧ୍ର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରାୟଗଡା ବିଡିଓ ଲକ୍ଷ୍ମୀନାରାୟଣ ସାବାତ, ତହସିଲଦାର ଉମାଶଙ୍କର ବେହେରାଙ୍କ ସମତେ ରାଜସ୍ବ ବିଭାଗର ଅଧିକାରୀ ଆନ୍ଧ୍ର ପ୍ରଶାସନ ସହ କଥାବାର୍ତ୍ତା ହେବା ପରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି।
ଆନ୍ଧ୍ରର ନିର୍ମାଣ କାର୍ଯ୍ୟକୁ…

Comments are closed.