ଆନ୍ଦ୍ର-ଓଡିଶା ସୀମାନ୍ତ ସିଲ୍, ଯାଞ୍ଚ କଡାକଡି

ଗଳାବାଟ ଖୋଜୁଛନ୍ତି ଅମାନିଆ

ରାମନାଗୁଡା :  କରୋନା ଭୂତାଣୁସଂକ୍ରମଣରୁ ରକ୍ଷାପାଇବାକୁ ସାମାଜିକ ଦୂରତା ଓ ବ୍ୟାପକ ସଚେତନତା ସୃଷ୍ଟିକରିବା ଦିଗରେ ଗୁରୁତ୍ୱାରୋପ କରି  ରାଜ୍ୟସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସୀମାନ୍ତ ସିଲ୍ ନେଇ କଟକଣା ଜାରି କରାଯାଇଛି। ଏହାର କାର୍ଯ୍ୟକାରୀତା ନେଇ ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନ କାଟିକିସ୍ଥିତ ପ୍ରବେଶପଥ ସିଲ୍ କରାଯାଇଥିବାବେଳେ ଆନ୍ଦ୍ର-ଓଡ଼ିଶା ସୀମାନ୍ତରେ ଜୋରଦାର ଚେକିଂ କରାଯାଉଛି। ସୋମବାର ସମସ୍ତ ସୀମାନ୍ତକୁ ବୁଲି ତଦାରଖ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର। ସୀମାନ୍ତଦେଇ କେବଳ ଅତ୍ୟାବଶ୍ୟକ ସେବା ଗାଡ଼ି ଚଳାଚଳକୁ ଅନୁମତି ପ୍ରଦାନ କରାଯାଇଥିବାବେଳେ ଅନ୍ୟ କୌଣସି ପରିବହନ ଗାଡ଼ିକୁ ଅନୁମତି ପ୍ରଦାନ କରାଯାଇନାହିଁ।

ତେବେ ସୀମାନ୍ତରେ  ୪ରୁ ୫ଜଣ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ୨ଜଣ ଲେଖାଏଁ ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସଂପୃକ୍ତ ଅଧିକାରୀ ମାନେ ଥର୍ମାଲ ସ୍କ୍ରିନିଂ  କରୁଥିବା ଜଣାପଡ଼ିଛି। ସୀମାନ୍ତରେ କୈଣସି ପ୍ରକାର ଅପ୍ରତିକର ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ଜଣାଇବାପାଇଁ କୁହାଯାଇଛି। ଅନ୍ୟପକ୍ଷରେ ସୀମାନ୍ତ ପ୍ରବେଶ ପଥ ସିଲ୍ ହୋଇଥିବାବେଳେ ବିଭିନ୍ନ ଗଳାବାଟ ବାଛିଛନ୍ତି ପ୍ରବେଶକାରୀ। ସେହିଭଳି ସିମାନ୍ତଦେଇ ପ୍ରବେଶ କରୁଥିବା ଲୋକଙ୍କୁ ଆର୍ଟିଫିସିୟଲ ଟେଷ୍ଟ ରିପୋର୍ଟ, ଦୁଇଥର ଟୀକା ନେଇଥିବା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ନଚେତ ନିଜେ ଏକ ସ୍ବୀକାରୋକ୍ତି ପତ୍ର ପ୍ରଦାନ କରି ଘରେ ସାତ ଦିନ ପାଇଁ ସଙ୍ଗୋରୋଧ ରହିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି।।ସେହିଭଳି ସୀମାନ୍ତରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର ପହଞ୍ଚି ସମସ୍ତ ପ୍ରକାର ବନ୍ଦୋବସ୍ତ ତଦାରଖ କରିଥିବା ବେଳେ ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ସୁରକ୍ଷାବ୍ୟବସ୍ତା ଯାଞ୍ଚ କରିଛନ୍ତି।।

Comments are closed.