ଏକ ରାଜ୍ୟ ତିନି ରାଜଧାନୀ

ଆନ୍ଧ୍ର ପ୍ରଦେଶ ରାଜନୀତି ସରଗରମ

ଆଧୁନିକ ଶାସନ ବ୍ୟବସ୍ଥାରେ ପ୍ରଶାସନିକ ବିକେନ୍ଦ୍ରୀକରଣ ଅନସ୍ବୀକାର୍ଯ୍ୟ। ଗୋଟିଏ ରାଜ୍ୟର ଶାସନ ବ୍ୟବସ୍ଥା ଗୋଟିଏ ସ୍ଥାନରେ (ରାଜଧାନୀ)ରେ କେନ୍ଦ୍ରୀଭୂତ ହେବା ଉଚିତ ନୁହେଁ। ତେବେ ଏହାର ଅର୍ଥ ନୁହେଁ ଯେ ରାଜଧାନୀର ତିନି ମୌଳିକ ଢ଼ାଞ୍ଚା ଗୋଟିଏ ରାଜ୍ୟର ତିନିଟି ସ୍ଥାନରେ ରହିବ ଓ ସେଗୁଡ଼ିକୁ ରାଜଧାନୀର ମାନ୍ୟତା ଦିଆଯିବ। ନବଗଠିତ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଅମରାବତୀରେ କରିବା ପାଇଁ ଚନ୍ଦ୍ରବାବୁ ନାଇଡ଼ୁ ନେଇଥିବା ପଦକ୍ଷେପକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ବିରୋଧ କରି ରାଜ୍ୟର ତିନିଟି ସ୍ଥାନରେ ରାଜଧାନୀ ନିର୍ମାଣ କରିବାକୁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏଇ ପ୍ରସ୍ତାବ ଅନୁସାରେ ଅମରାବତୀରେ ରାଜ୍ୟର ବିଧାନସଭା ରହିବା ସହ ଏହା କେବଳ ବିଧାନପାଳିକା ରାଜଧାନୀ ଭାବେ ଗଣ୍ୟ ହେବ। କାର୍ଯ୍ୟପାଳିକା ରାଜଧାନୀ (ଏକଜିକ୍ୟୁଟିଭ କ୍ୟାପିଟାଲ) ବିଶାଖାପାଟଣାରେ ପ୍ରତିଷ୍ଠା କରାଯିବା ସହ ରାଜ୍ୟ ସଚିବାଳୟ ସେଠାରେ ସ୍ଥାୟୀଭାବେ ନିର୍ମିତ ହେବ।
କୁର୍ଣ୍ଣୁଲରେ ହାଇକୋର୍ଟ ପ୍ରତିଷ୍ଠାସହ ନ୍ୟାୟପାଳିକା ରାଜଧାନୀ ତିଆରି କରାଯିବ। ଆନ୍ଧ୍ରର ଭୌଗୋଳିକ ବିସ୍ତୃତି ଦୃଷ୍ଟିରୁ ବିଭିନ୍ନ ଅଞ୍ଚଳର ଜନଆନ୍ଦୋଳନ ଓ ଦାବିକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଇ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି।
ଅବଶ୍ୟ କେତେକ ରାଜ୍ୟରେ ରାଜଧାନୀ ଓ ହାଇକୋର୍ଟ ଭିନ୍ନଭିନ୍ନ ସ୍ଥାନରେ ରହିଛି। ତେବେ କାର୍ଯ୍ୟପାଳିକା ଓ ବିଧାନପାଳିକାକୁ ଭିନ୍ନଭିନ୍ନ ସ୍ଥାନରେ ରଖି ଦୁଇଟି ନୂଆ ରାଜଧାନୀ ସୃ​‌ଷ୍ଟି କରିବା ଏକ ଅଭିନବ ବିଚାର ମନେହୁଏ। ଏହାଦ୍ବାରା କେବଳ ପ୍ରଶାସନିକ ବ୍ୟୟ ବଢ଼ିବ ନାହିଁ, ଶାସନଗତ ଜଟିଳତା ମଧ୍ୟ ସୃଷ୍ଟି ହୋଇପାରେ। ଗୋଟିଏ ସ୍ଥାନରେ ରାଜଧାନୀ ସ୍ଥାପନ କରି ମହାରାଷ୍ଟ୍ର ଢ଼ାଞ୍ଚାରେ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ଅଞ୍ଚଳରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଶାଖାମାନ ସ୍ଥାପନ କଲେ କ’ଣ ଅସୁବିଧା ହୁଅନ୍ତା? ବିଭାଜନ ପରେ ରାଜ୍ୟ ବିପୁଳ ଆର୍ଥିକ ସଂକଟର ସମ୍ମୁଖୀନ। ଅମରାବତୀରେ ନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ଚନ୍ଦ୍ରବାବୁ ନାଇଡ଼ୁ ସ୍ଥାନୀୟ ଚାଷୀଙ୍କଠାରୁ ୩୩ହଜାର ଏକର ଜମି ଅଧିଗ୍ରହଣ କରିଥିଲେ। ଏ ବାବଦରେ ସରକାରଙ୍କୁ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ।
ଏଭଳି ପରିସ୍ଥିତିରେ ତିନିଟି ରାଜଧାନୀ ପ୍ରତିଷ୍ଠା କେବଳ ଲୋକଙ୍କ କଷ୍ଟାର୍ଜିତ ଟିକସର ଦୁରୂପଯୋଗ କରିବାସହ ସମାନ। ଅମରାବତୀରେ ଚନ୍ଦ୍ରବାବୁ ଯେଉଁ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି ତାହା ଅକାରଣ ଯାଇପାରେ। ଏହାଛଡ଼ା ଯେଉଁ ହଜାରହଜାର ଚାଷୀ ସେମାନଙ୍କର ଜମି ହରାଇଛନ୍ତି ସେମାନେ ଏବେ ଆ‌େ‌ନ୍ଦାଳନ କରୁଛନ୍ତି। କେନ୍ଦ୍ରୀୟ ଆନ୍ଧ୍ରରେ ମଧ୍ୟ ଲୋକେ ନୂଆ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।
ଜଗମୋହନଙ୍କ ଏଇ ନିଷ୍ପତ୍ତି ପଛରେ ରାଜନୀତି ଓ ପ୍ରତିଶୋଧପରାୟଣତା ଅଧିକ ଥିବା ମନହୁଏ। ଅମରାବତୀକୁ ରାଜଧାନୀ କରିବା ନିଷ୍ପତ୍ତିବେଳେ ଚନ୍ଦ୍ରବାବୁ ନାଇଡୁ ବିରୋଧୀଙ୍କୁ ପରାମର୍ଶ କରିନଥିଲେ ଏବଂ ବିରୋଧକୁ ଶୁଣିନଥିଲେ। ବିଧାନସଭାରେ ଥିବା ବିପୁଳ ସଂଖ୍ୟାଗରିଷ୍ଠତାକୁ ପୁଞ୍ଜିକରି ସେ ଏକତରଫା ଭାବେ ଏଇ ନିଷ୍ପତ୍ତି ନେଇଥିଲେ। ଏବେ ଜଗନ୍‌ ସେ ନିଷ୍ପତ୍ତିକୁ ବଦଳାଇ ପ୍ରତିଶୋଧ ନେଉଛନ୍ତି। ସେଥିପାଇଁ ମଧ୍ୟ ସେ ତାଙ୍କ ଦଳର ବିପୁଳ ସଂଖ୍ୟାଗରିଷ୍ଠତାକୁ ଅସ୍ତ୍ର କରିଛନ୍ତି। ତେବେ ରାଜ୍ୟର ବିଧାନପରିଷଦରେ ଜଗନଙ୍କ ଦଳର ସଂଖ୍ୟା ଗରିଷ୍ଠତା ନଥିବାରୁ ପ୍ରସ୍ତାବଟି କାଟ ଖାଇଯାଇ ପାରେ । ସେଥିପାଇଁ ରାଜନୀତି ଜୋର ଧରିଛି।
ରେକର୍ଡ ପାଞ୍ଚଜଣ ଉପ-ମୁଖ୍ୟମନ୍ତ୍ରୀ ରଖି କାମ କରିବା ଜଗନଙ୍କ ପାଇଁ ଏକ ରାଜନୈତିକ ପରୀକ୍ଷାନିରୀକ୍ଷା ଓ ବାଧ୍ୟବାଧକତା ହୋଇପାରେ; ମାତ୍ର ରାଜ୍ୟରେ ତିନିଟି ରାଜଧାନୀ ତିଆରି କରିବା ଏକ ବିଜ୍ଞ ପଦକ୍ଷେପ ନୁହେଁ। ସବୁ ଅଞ୍ଚଳକୁ ରାଜଧାନୀର ସ୍ବାଦ ଦେବାର ଅଭିନବ ପରିକଳ୍ପନା ରାଜ୍ୟ ରାଜନୀତିକୁ ଅଧିକ ଜଟିଳ କରିପାରେ।
ଜଗନଙ୍କ ସଫେଇ ବିଭିନ୍ନ ଅଞ୍ଚଳର ସମତୁଲ ବିକାଶ ଏବଂ ବିଶେଷଜ୍ଞ କମିଟିଙ୍କ ସୁପାରିସ ଆଧାରରେ ତିନିଟି ରାଜଧାନୀର ପରିକଳ୍ପନା କରାଯାଇଛି। ଆହୁରି ମଧ୍ୟ ଆନ୍ଧ୍ର ପ୍ରଥମ ରାଜ୍ୟ ଭାବେ ରାଜଧାନୀର ବିକେନ୍ଦ୍ରୀକରଣ କରିବାକୁ ଆନୁଷ୍ଠାନିକ ନିଷ୍ପତ୍ତି ନେଇଛି। ଅମରାବତୀ ଭୌଗୋଳିକ ଦୃଷ୍ଟିରୁ ଆନ୍ଧ୍ରର କେନ୍ଦ୍ରସ୍ଥଳରେ ରହିଛି ଏବଂ ରାଜଧାନୀ ପାଇଁ ପ୍ରକୃଷ୍ଟ ସ୍ଥାନ। କୁର୍ଣ୍ଣୁଲରେ ହାଇକୋର୍ଟ ସ୍ଥାପନ କରି ଏହାର ଦୁଇଟି ସର୍କିଟ ବେଞ୍ଚ ବିଶାଖାପାଟଣା ଓ ବିଜୟୱାଡ଼ାରେ ସ୍ଥାପନ କରିଥିଲେ ବିଶେଷ କିଛି ଅସୁବିଧା ହୋଇ ନଥାନ୍ତା। ତାହା ନ’କରି ସେ ଗୋଟେ ସ୍ଥାନରେ ବିଧାନସଭା ଓ ଆଉ ଗୋଟିଏ ସ୍ଥାନରେ ସଚିବାଳୟ ନିର୍ମାଣ କରି କି ପ୍ରକାର ରାଜଧାନୀ ବିକେନ୍ଦ୍ରୀକରଣ କରିବାକୁ ଯାଉଛନ୍ତି ତାହା ଅନୁମାନ କରିବା କଷ୍ଟ। ଏହା ପଛରେ ଆନ୍ତରିକତା ଅପେକ୍ଷା ରାଜନୀତି ଯେ ଅଧିକ, ତାହା ଜଳଜଳ ଦେଖାଯାଉଛି।
ନୂଆ ରାଜ୍ୟର ନୂତନ ରାଜଧାନୀ ନିର୍ମାଣ ସହଜ କାମ ନୁହେଁ। ଏଥିପାଇଁ ସ୍ଥାନ ନିରୂପଣ ସବୁଠୁ ବଡ଼ ସମସ୍ୟାବହୁଳ। ରାଜଧାନୀ ସହର ପାଇବାର ଆକର୍ଷଣ ସବୁ ଅଞ୍ଚଳରେ ଅଧିକ ରହେ; କାରଣ ଏହା ସହିତ ଅନେକ ସୁଖସୁବିଧା ଜଡ଼ିତ। ତେଣୁ ସବୁ ଅଞ୍ଚଳରୁ ଏଥିପାଇଁ ସ୍ବର ଉଠେ। ହେଲେ ରାଜଧାନୀ ନିର୍ମାଣ ପାଇଁ କେତେକ ମୌଳିକ ଆବଶ୍ୟକତା ପୂରଣ ଅପରିହାର୍ଯ୍ୟ। ତା’ ବିନା ରାଜଧାନୀ ନିର୍ମାଣ ସହଜ ନୁହେଁ। ଗୋଟିଏ ଦୃଷ୍ଟିର ରାଜଧାନୀ ବାଣ୍ଟିବା ଭଳି କୌଶଳ କରି ଜଗନ୍‌ ଏହି ପ୍ରସଙ୍ଗକୁ ଏବେ ନୂଆ ମୋଡ଼ ଦେଇଛନ୍ତି। ଏହା ସତ୍ତ୍ବେ ପ୍ରଶ୍ନ ଉଠୁଛି ଅମରାବତୀର ଅପରାଧ କ’ଣ? ଏହା ରାଜନୀତିର ପଶାପାଲିରେ ଗୋଟି ସାଜି ନାହିଁ ତ??

Comments are closed.