ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାର କେଇଘଣ୍ଟା ମଧ୍ୟରେ ଇସ୍ତଫା ଦେଲେ ଆଣ୍ଡର୍ସନ

ଷ୍ଟକହୋମ: ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ମାତ୍ର କେଇଘଣ୍ଟା ମଧ୍ୟରେ ମାଗଡାଲେନା ଆଣ୍ଡର୍ସନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏକ ସଂଖ୍ୟାଲଘୁ ମେଣ୍ଟ ସରକାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହେବ ବୋଲି ଅନୁଭବ କରିବା ପରେ ଆଣ୍ଡର୍ସନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ସ୍ୱିଡେନ ସଂସଦରେ ବୁଧବାର ସୋସିଆଲ ଡେମୋକ୍ରାଟିକ ପାର୍ଟିର ନେତ୍ରୀ ତଥା ବର୍ତ୍ତମାନର ଅର୍ଥମନ୍ତ୍ରୀ ମାଗଡାଲେନା ଆଣ୍ଡର୍ସନଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଥିଲା । ସେ ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଅଧିଷ୍ଠିତ ହୋଇଥାନ୍ତେ । ସ୍ୱିଡେନ ସଂସଦୀୟ ବ୍ୟବସ୍ଥାରେ ଜଣେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାକୁ ସଂଖ୍ୟାଗରିଷ୍ଠ ଭୋଟ ଆବଶ୍ୟକ ନଥିବାବେଳେ ତାଙ୍କ ବିରୁଦ୍ଧରେ ୧୭୫ ଭୋଟ ନପଡିବା ଆବଶ୍ୟକ ହୋଇଥାଏ । ଆଣ୍ଡର୍ସନଙ୍କ ସପକ୍ଷରେ ୧୧୭ ଭୋଟ ପଡିଥିବାବେଳେ ୫୭ ଜଣ ମତଦାନରୁ ବିରତ ରହିଥିଲେ ଏବଂ ତାଙ୍କ ବିପକ୍ଷରେ ୧୭୪ ଭୋଟ ପଡିଥିଲା । ମତଦାନ ପୂର୍ବରୁ ଗୁରୁବାର ଦିନ ୫୪ ବର୍ଷ ବୟସ୍କା ଆଣ୍ଡର୍ସନ ପେନସନ ପରିମାଣ ବୃଦ୍ଧି କରିବାକୁ ରାଜି ହୋଇ ବାମ ଦଳ ସହିତ ଏକ ବୁଝାମଣାରେ ଉପନୀତ ହୋଇଥିଲେ । ଫଳରେ ବାମ ଦଳର ସମର୍ଥନ ତାଙ୍କୁ ମିଳିଥିଲା । ଶୁକ୍ରବାର ଦିନ ଆଣ୍ଡର୍ସନ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହିତ ତାଙ୍କର ନୂଆ ସରକାର ଗଠନ ବିଷୟ ଘୋଷଣା କରିବେ ବୋଲି ସଂସଦ ପକ୍ଷରୁ କୁହାଯାଇଥିଲା । ସୂଚନାଯୋଗ୍ୟ ଯେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଷ୍ଟିଫାନ ଲୋଭେନ ସାତବର୍ଷ କାର୍ଯ୍ୟ କରିବା ପରେ ନଭେମ୍ବର ୧୦ ତାରିଖରେ ଇସ୍ତଫା ଦେଇଥିଲେ । କିନ୍ତୁ ଆଣ୍ଡର୍ସନଙ୍କର ସଂସଦରେ ସଂଖ୍ୟାଗରିଷ୍ଠତା ନଥିବାରୁ ସେ ସରକାର ଚଳାଇବା କଷ୍ଟକର ହେବା ନିଶ୍ଚିତ ଜାଣି ଇସ୍ତଫା ଦେଇଛନ୍ତି ।

Comments are closed.