ଆନନ୍ଦପୁର ପୌରାଞ୍ଚଳରେ କରୋନା କଟକଣା କୋହଳ ପାଇଁ କେନ୍ଦୁଝର ଜିଲାପାଳଙ୍କୁ ଅନୁରୋଧ କଲେ ପିସିସି ସଭାପତି

ଭୁବନେଶ୍ୱର: କରୋନାରୁ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ସରକାର ବହୁ ନୀତି ନିୟମ କରୁଛନ୍ତି। ଆମ୍ଭେମାନେ ତାହା ମାନିବା ଉଚିତ। ତେବେ ଆନନ୍ଦପୁର ପୌରାଞ୍ଚଳରେ କରୋନା କଟକଣା କୋହଳ କରିବାକୁ କେନ୍ଦୁଝର ଜିଲାପାଳଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ସେ କହିଛନ୍ତି ଯେ ଆନନ୍ଦପୁର ପୌରାଞ୍ଚଳ ଅଞ୍ଚଳରେ ଦେଢ଼ମାସ ଧରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ଚାଲିଛି। ଗତ ୭ ଦିନ ଭିତରେ ୧୦/୧୨ଟି କେସ୍ ଆନନ୍ଦପୁର ପୌରାଞ୍ଚଳ ଅଞ୍ଚଳରୁ ବାହାରିଛି। ୧୦ଟି ୱାର୍ଡରେ କୌଣସି ସଂକ୍ରମିତ ବାହାରି ନାହାନ୍ତି। ପରିବା ବିକାଳୀଙ୍କଠାରୁ ଆରମ୍ଭ କରି ସବୁ ଶ୍ରେଣୀର ଲୋକେ ବଡ଼ ଅସୁବିଧାରେ ଜୀବନଯାପନ କରୁଛନ୍ତି। ଯେଉଁ ୱାର୍ଡ଼ରେ କରୋନା ସଂକ୍ରମିତ ରୋଗୀ ବାହାରୁଛନ୍ତି, ତାହାର ପାର୍ଶ୍ବବର୍ତ୍ତି ୱାର୍ଡ଼କୁ ମିଶାଇ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରି ଅନ୍ୟ ଅଞ୍ଚଳ ପାଇଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କୋହଳ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ସପ୍ତାହରେ ଏ ବିଷୟରେ ବିଚାର କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.