ନଟରାଜନ୍‌ଙ୍କୁ ଏସ୍‌ୟୁଭି କାର୍ ପ୍ରଦାନକଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବଇ : ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତୀୟ ଯୁବ କ୍ରିକେଟର ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର-ଜାନୁଆରୀରେ ଟେଷ୍ଟ ସିରିଜ୍ ଜିତିଥିଲା। ଏହି ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଦଳର ୬ ଯୁବ ଖେଳାଳିଙ୍କୁ ଏସ୍‌ୟୁଭି କାର୍ ଉପହାର ଦେବାକୁ ଘୋଷଣା କରିଥିଲେ ଦେଶର ନାମୀ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ବୁଧବାର ବାମହାତି ପେସ୍ ବୋଲର ତାମିଲନାଡ଼ୁର ଟି. ନଟରାଜନ୍‌ଙ୍କୁ ମହିନ୍ଦ୍ରା ତାଙ୍କ କମ୍ପାନୀର ଲାଲ୍‌ରଙ୍ଗର ଦାମୀ ଏସ୍‌ୟୁଭି କାର୍ ପ୍ରଦାନ କରିଛନ୍ତି। ଏହାକୁ ଗ୍ରହଣ କରିବା ପରେ ଆନନ୍ଦ ମହିନ୍ଦ୍ରାଙ୍କୁ ନଟରାଜନ୍ କୃତଜ୍ଞତା ଜଣାଇବା ସହ ଏହା ତାଙ୍କୁ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି। ପ୍ରତି ବଦଳରେ ନଟରାଜନ୍ ବ୍ରିସ୍‌ବେନ୍ ଟେଷ୍ଟରେ ପିନ୍ଧିଥିବା ଭାରତୀୟ ଟେଷ୍ଟ ଦଳର ଜର୍ସିରେ ଅଟୋଗ୍ରାଫ୍ ଦେଇ ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଦାନ କରିଛନ୍ତି। ବ୍ରିସ୍‌ବେନ୍‌ରେ ଜୀବନର ପ୍ରଥମ ଟେଷ୍ଟ ଖେଳି ନଟରାଜନ୍ ପ୍ରଥମ ଇନିଂସରେ ୩ଟି ୱିକେଟ ନେଇଥିଲେ। ସୀମିତ ଓଭର ସିରିଜ୍‌ରେ ମଧ୍ୟ ନଟରାଜନ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟ ୫ ଜଣ କ୍ରିକେଟରଙ୍କୁ ମଧ୍ୟ ଆନନ୍ଦ ମହିନ୍ଦ୍ରା ଏସ୍‌ୟୁଭି କାର୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ହେଲେ ସାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ୍, ଶୁବ୍‌ମାନ ଗିଲ୍‌, ନବଦୀପ ସୈନି ଓ ୱାଶିଂଟନ ସୁନ୍ଦର। ସୂଚନାଯୋଗ୍ୟ; ସଫଳ ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ଆନନ୍ଦ ମହିନ୍ଦ୍ରା ଗତ କିଛିବର୍ଷ ହେଲା ଏସ୍‌ୟୁଭି କାର୍ ଉପହାର ଦେଇ ଆସୁଛନ୍ତି।

Comments are closed.