ଚାଲିଥିଲା ଅପରେସନ୍, ଟିଭିରେ ଫିଫା ୱାର୍ଲ୍ଡକପ୍ ଦେଖୁଥିଲା ରୋଗୀ: ଆଶ୍ଚର୍ଯ୍ୟ ହୋଇ ଆନନ୍ଦ ମହିନ୍ଦ୍ରା ପଚାରିଲେ..

ଡେସ୍କ: ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ ଜଣେ ଫୁଟବଲ ପ୍ରଶଂସକ ନିଜ ପ୍ରିୟ ଦଳର ପ୍ରଦର୍ଶନ ଦେଖିବା ପାଇଁ କ’ଣ କରିପାରେ, ତାହେଲେ ଆପଣଙ୍କୁ ଏହି ଭାଇରାଲ ଫଟୋ ଦେଖିବାକୁ ପଡ଼ିବ। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଫଟୋରେ ଜଣେ ବ୍ୟକ୍ତି ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ଫିଫା ୱାର୍ଲ୍ଡ କପ୍ ମ୍ୟାଚ୍ ଦେଖୁଛନ୍ତି। ଏହି ଫଟୋ ଆନନ୍ଦ ମହିନ୍ଦ୍ରାଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି ଓ ସେ ଟ୍ବିଟରରେ ନିଜ ଫଲୋୟର୍ସଙ୍କୁ ପଚାରିଛନ୍ତି ଯେ, କ’ଣ ଏହି ବ୍ୟକ୍ତି ଜଣକ ଏଭଳି ଅଜବ କାର୍ଯ୍ୟ ପାଇଁ ଟ୍ରଫି ପାଇବାକୁ ଯୋଗ୍ୟ ନୁହେଁ? ଭାଇରାଲ ଫଟୋ ପୋଲାଣ୍ଡ ସ୍ଥିତ କିଲ୍ସର ବୋଲି ଜଣାପଡ଼ିଛି।
Hey @FIFAcom Don’t you think this gentleman deserves some kind of trophy…??? https://t.co/ub2wBzO5QL
— anand mahindra (@anandmahindra) December 8, 2022
ଭାଇରାଲ ଫଟୋରେ ଜଣେ ବ୍ୟକ୍ତି ଅପରେସନ୍ ଥିଏଟରରେ ନଜର ଆସିଛନ୍ତି। ତାଙ୍କୁ ସର୍ଜନମାନେ ଘେରି ରହିଛନ୍ତି ଏବଂ ଅପରେସନ୍ କରାଯାଉଥିବା ବେଳେ ତାଙ୍କ ଆଖି ଟିଭି ପରଦାରେ ଲାଖି ରହିଛି। ଅପରେସନ୍ ସମୟରେ ସେ ଫିଫା ୱାର୍ଲ୍ଡକପ୍ ମ୍ୟାଚ୍ ଦେଖୁଥିଲେ। ଏହାକୁ ପାଗଳାମି କୁହାଯିବ ନାହିଁ ତ ଆଉ କ’ଣ? ଏହି ଫଟୋ ଦେଖି ଆନନ୍ଦ ମହିନ୍ଦ୍ରା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଫଟୋ ଶେୟାର କରି ଲେଖିଛନ୍ତି, ‘‘ଆରେ @FIFAcom କ’ଣ ଆପଣଙ୍କୁ ଲାଗୁନି ଯେ, ଏହି ବ୍ୟକ୍ତି କୌଣସି ପ୍ରକାର ଟ୍ରଫି ପାଇବା ଯୋଗ୍ୟ…???’’ ଏହାପରେ ପ୍ରତିକ୍ରିୟାର ଲମ୍ବା ଧାଡ଼ି ଲାଗିଥିଲା। ଜଣେ ୟୁଜର ଲେଖିଛନ୍ତି, ‘‘ଡାକ୍ତରମାନେ ମଧ୍ୟ ଏହାର ଯୋଗ୍ୟ, କାରଣ ସେମାନେ ମ୍ୟାଚ୍ ଦ୍ବାରା ବିଚଳିତ ହୋଇ ନଥିଲେ ଓ ନିଜ କାର୍ଯ୍ୟ ସଠିକ୍ ରୂପେ ସମ୍ପାଦନ କରିଥିଲେ।’’
Comments are closed.