ପୁରସ୍କାର ନୁହେଁ – ରୋଗୀର ଜୀବନ ରକ୍ଷା ମୋର ଲକ୍ଷ୍ୟ

ଆଧୁନିକ ଯୁଗର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ସମ୍ପ୍ରତି ହୃଦରୋଗ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ୨୫ହଜାରରୁ ଊର୍ଦ୍ଧ୍ବ ହୃଦରୋଗୀଙ୍କର ସଫଳ ହୃତପିଣ୍ଡ ଅସ୍ତ୍ରୋପଚାର କରି ବିଶ୍ବସ୍ତରୀୟ ରେକର୍ଡ ସୃଷ୍ଟି କରିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା। ଓଡ଼ିଶାର ଯାଜପୁର ଜିଲା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଏକ କୃଷକ ପରିବାରରେ ପ୍ରତିପାଳିତ ଡାକ୍ତର ପଣ୍ଡାଙ୍କୁ ତାଙ୍କର ଅନନ୍ୟ ଉପଲବ୍ଧି ପାଇଁ ଭାରତ ସରକାର ୨୦୧୦ରେ ‘ପଦ୍ମ ଭୂଷଣ’ରେ ସମ୍ମାନିତ କରିଛନ୍ତି। ଓଡ଼ିଶା ସାହିତ୍ୟ ସମାଜ ପକ୍ଷରୁ ତାଙ୍କୁ ‘ଉତ୍କଳ ରତ୍ନ’ ସମ୍ମାନ ମଧ୍ୟ ଦିଆଯାଇଛି। ଅନ୍ତର୍ଜାତୀୟ ଚିକିତ୍ସା କ୍ଷେତ୍ରରେ ‘ସର୍ଜନ ୱିଥ ସେଫେଷ୍ଟ ହ୍ୟାଣ୍ଡସ’ ତଥା ଦେଶର ୨୫ ଜଣ ଜୀବିତ କିମ୍ବଦନ୍ତୀ ଡାକ୍ତରଙ୍କ ମଧ୍ୟରୁ ଅନ୍ୟତମ ବୋଲି ତାଙ୍କୁ ଅଭିହିତ କରାଯାଏ। ଓଡ଼ିଶାର ଗର୍ବ ଗୌରବ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡାକ୍ତର ପଣ୍ଡାଙ୍କ ସହିତ ବିଶେଷ ଆଲୋଚନାର କିୟଦଂଶ….। ତାଙ୍କୁ ସାକ୍ଷାତ କରିଥିଲେ ଆମ ସମ୍ବାଦଦାତା ପ୍ରୀତିଶ୍ରୀ ସ୍ଵଦେଶ।

ପ୍ରୀତିଶ୍ରୀ: ୨୫,୦୦୦ରୁ ଊର୍ଦ୍ଧ୍ବ ସଫଳ ହୃତପିଣ୍ଡ ଅସ୍ତ୍ରୋପଚାର ଅନୁଭୂତି କିଭଳି? କେଉଁ ଅସ୍ତ୍ରୋପଚାର ସବୁଠୁ ବଡ଼ ଆହ୍ବାନ ଥିଲା?
ଡାକ୍ତର ପଣ୍ଡା: ୨୫୦୦୦ରୁ ଊର୍ଦ୍ଧ୍ବ ହୃତପିଣ୍ଡର ସଫଳ ଅସ୍ତ୍ରୋପଚାର କରାଇବା ପୃଥିବୀରେ ବିରଳ। ୫୦୦୦ ରୋଗୀଙ୍କୁ ଭାରତ ତଥା ବିଦେଶର ଡାକ୍ତରମାନେ ମଧ୍ୟ ଅସ୍ତ୍ରୋପଚାର କରିବାକୁ ମନା କରିଦେଇଥିଲେ। ସେମାନଙ୍କ ଅ‌େ‌ସ୍ତ୍ରାପଚାରରେ ମଧ୍ୟ ମୁଁ ୯୯.୪% ସଫଳତା ଲାଭ କରିଛି। ବିଶ୍ବର ପ୍ରମୁଖ ହୃଦ ଶଲ୍ୟଚିକିତ୍ସକମାନଙ୍କ ମଧ୍ୟରେ ପରିଗଣିତ ହେଉଥିବାରୁ ଜଣେ ଓଡ଼ିଆ ଭାବେ ନିଶ୍ଚିତ ଭାବେ ମୁଁ ନିଜକୁ ‌ଗୌରବାନ୍ୱିତ ମନେ କରେ।
ପ୍ରୀତିଶ୍ରୀ:ଜଣେ ବ୍ୟକ୍ତିଙ୍କ ହୃତପିଣ୍ଡରେ ସର୍ବାଧିକ କେତେ ଥର ଅସ୍ତ୍ରୋପଚାର ସମ୍ଭବ?
ଡାକ୍ତର ପଣ୍ଡା: ସାଧାରଣତଃ ପ୍ରଥମଥର ଲାଗି ହୃଦପିଣ୍ଡରେ ଅସ୍ତ୍ରୋପଚାର କଲେ ଦ୍ବିତୀୟ ଥର କରିବାର ଆବଶ୍ୟକତା ନ ଥାଏ। କିନ୍ତୁ ପ୍ରଥମ ଥରରେ ରୋଗ ଭଲ ନ ହେଲେ କିମ୍ବା ଅସ୍ତ୍ରୋପଚାର ପରେ ଭାଲବ ଖରାପ ହେ‌େ‌ଲ ପୁଣି ଅସ୍ତ୍ରୋପଚାର (ବାଇପାସ ସର୍ଜରୀ) କରାଯାଏ। ଦୁଇରୁ ତିନିଥର ହୃତପିଣ୍ଡର ଅସ୍ତ୍ରୋପଚାର କରିପାରୁଥିବା ଡାକ୍ତରଙ୍କ ସଂଖ୍ୟା ପୃଥିବୀରେ ଖୁବ କମ। ତୃତୀୟ ବା ଚତୁର୍ଥଥର ହୃଦପିଣ୍ଡର ଅସ୍ତ୍ରୋପଚାର କରିବା ଅତ୍ୟନ୍ତ କଷ୍ଟକର ଓ ବିଶ୍ବରେ ବିରଳ। ଏମିତିରେ ମୁଁ ପଞ୍ଚମ ଓ ଷଷ୍ଠଥର ମଧ୍ୟ ଅପରେସନ କରି ସଫଳ ହୋଇଛି।
ପ୍ରୀତିଶ୍ରୀ: ହୃଦସଂବାହୀରେ କେତେ ସଂଖ୍ୟକ ବ୍ଲକେଜ ସାଧାରଣ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ ନାହିଁ?
ଡାକ୍ତର ପଣ୍ଡା:ସାଧାରଣତଃ ତିନୋଟି ପ୍ରମୁଖ ଧମନୀରେ ବ୍ଲକେଜ ହୋଇପାରେ। ଏହାର ଶାଖା ଧମନୀଗୁଡିକରେ ବ୍ଲକେଜ ହେଲେ ୩ରୁ ୬ଥର ଅପରେସନ କରାଯାଇପାରେ। ଜଣେ ରୋଗୀଙ୍କ ୧୨ଟି ଧମନୀ‌ରେ ୧୬ଟି ବ୍ଲକେଜର ବାଇପାସ ସର୍ଜରୀ ମୁଁ କରିଛି ଯାହାକି ଦୁନିଆରେ ସର୍ବାଧିକ।
ପ୍ରୀତିଶ୍ରୀ: ଜଣେ ରୋଗୀ କେତେ ସଂଖ୍ୟକ ଗ୍ରାଫଟିଂ ସହ୍ୟ କରିପାରିବ?
ଡାକ୍ତର ପଣ୍ଡା: ଗ୍ରାଫଟିଂର ସଂଖ୍ୟା ଅପେକ୍ଷା ବ୍ଲକେଜ କେତେ ସାଙ୍ଘାତିକ ସ୍ତରରେ ପହଞ୍ଚିଛି ଏବଂ ଜୀବନ ପ୍ରତି କେତେ ବିପଦ ସୃଷ୍ଟି କରିବ ତାହା ଗୁରୁତ୍ବପୂର୍ଣ୍ଣ। ମୁଖ୍ୟ ଧମନୀରେ ବ୍ଲକେଜ ଦ୍ବାରା ଯଦି ଜଣେ ବ୍ୟକ୍ତି ହଠାତ ପ୍ରାଣ ହରାଇବାର ଆଶଙ୍କା ଥାଏ ତେବେ ତାହା ଶାଖା ଧମନୀରେ ୪-୫ଟି ବ୍ଲକେଜ ଠାରୁ ମଧ୍ୟ ଖୁବ ବିପଦପୂର୍ଣ୍ଣ। ଯେତେ ବେଶୀ ବ୍ଲକେଜ ହେବ ବିପଦ ସେତେ ଅଧିକ। କିନ୍ତୁ ଯଦି ଉପଯୁକ୍ତ ଭାବେ ଗ୍ରାଫଟିଂ କରାଯାଏ ତା’ହେଲେ ୧୦ଟି ବାଇପାସ ସର୍ଜରୀ କଲେ ମଧ୍ୟ କିଛି ସମସ୍ୟା ନାହିଁ।
ପ୍ରୀତିଶ୍ରୀ: ବିରଳ ଅସ୍ତ୍ରୋପଚାର କରିବା ପୂର୍ବରୁ ଆପଣ ନିଜକୁ କିଭଳି ପ୍ରସ୍ତୁତ କରନ୍ତି ?
ଡାକ୍ତର ପଣ୍ଡା: ପ୍ରତିଥର ଅସ୍ତ୍ରୋପଚାର ପୂର୍ବରୁ ରୋଗୀଙ୍କ ରୋଗ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପୂର୍ବକ ଯୋଜନା ପ୍ରସ୍ତୁତ କରିଥାଏ। ସମ୍ଭାବ୍ୟ ସମସ୍ୟାଗୁଡିକର ସମାଧାନ ମଧ୍ୟ ପୂର୍ବପ୍ରସ୍ତୁତି ହୋଇଥାଏ। ‌
ପ୍ରୀତିଶ୍ରୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭଳି ଭିଭିଆଇପି ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରିବା ବେଳେ ଅତିରିକ୍ତ ଯତ୍ନଶୀଳ ହେବାକୁ ପଡେ କି?
ଡାକ୍ତର ପଣ୍ଡା: ଥରେ ଅପରେସନ ଥିଏଟରକୁ ପ୍ରବେଶ କରିବା ପରେ ରୋଗୀଙ୍କୁ ଆରୋଗ୍ୟ କରିବା ମୋର ଏକମାତ୍ର ଲକ୍ଷ୍ୟ ହୋଇଥାଏ। ମନମୋହନ ସିଂହଙ୍କର ଅପରେସନ ପୂର୍ବରୁ ୧୦-୧୫ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କ ଅସ୍ତ୍ରୋପଚାର କରିସାରିଥିଲି। ଏଣୁ ମନରେ କୌଣସି ସଂଶୟ ନ ଥିଲା।
ପ୍ରୀତିଶ୍ରୀ: ଜଣେ ହୃଦରୋଗ ଶଲ୍ୟଚିକିତ୍ସକ ଭାବେ ଆପଣଙ୍କୁ କ’ଣ ଆତ୍ମସନ୍ତୁଷ୍ଟି ପ୍ରଦାନ କରେ?
ଡାକ୍ତର ପଣ୍ଡା: ନିଜର ଅବର୍ତ୍ତମାନରେ ପରିବାର ଲୋକଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଜଣେ ଗରିବ ଲୋକ ବଞ୍ଚିବା ଆଶାରେ ଯେତେବେଳେ ମୋ ନିକଟକୁ ଆସେ ସେତେବେଳେ ତାକୁ ଆରୋଗ୍ୟ କରିବାରେ ହିଁ ମୁଁ ସବୁଠୁ ବେଶୀ ସୁଖ ପାଏ। ସୁସ୍ଥ ହୋଇ ଘରକୁ ଫେରିବା ବେଳେ ସେହି ଲୋକଟିର ମୁହଁରେ ଥିବା ହସ ମୋତେ ସବୁଠୁ ବେଶୀ ଆତ୍ମସନ୍ତୋଷ ପ୍ରଦାନ କରେ।
ପ୍ରୀତିଶ୍ରୀ: ସମ୍ପ୍ରତି ରୋଗ ଚିହ୍ନଟ କରିବା ହିଁ ପ୍ରମୁଖ ଆହ୍ବାନ ପାଲଟିଛି। ସେ ସମ୍ବନ୍ଧରେ କ’ଣ କହିବେ?
ଡାକ୍ତର ପଣ୍ଡା: ବିଶେଷକରି ହୃଦରୋଗ କ୍ଷେତ୍ରରେ ରୋଗୀକୁ ପ୍ରାରମ୍ଭରେ କିଛି ଜଣାପଡେ ନାହିଁ। ଏଣୁ ସେମାନେ ଅବହେଳା କରନ୍ତି। ଫଳତଃ ହଠାତ ହୃଦଘାତର ଶିକାର ହୁଅନ୍ତି। ସେଥିନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ସବୁଠୁ ଜରୁରୀ। ମଧୁମେହ, ଉଚ୍ଚ ରକ୍ତଚାପ, ଅଧିକ କୋଲେଷ୍ଟୋରାଲ ଥିବା ଏବଂ ବ୍ୟସ୍ତବହୁଳ ଜୀବନ ବିତାଉଥିବା ତଥା ଧୂମପାନ କରୁଥିବା ଲୋକେ ସାବଧାନ ରହିବା ଦରକାର। ଏମାନେ ବର୍ଷକୁ ଥରେ ନିଶ୍ଚିତ ଭାବେ ହୃତପିଣ୍ଡର ପରୀକ୍ଷା କରାଇବା ଆବଶ୍ୟକ।
ପ୍ରୀତିଶ୍ରୀ: ବାରମ୍ବାର ଡାକ୍ତର ପରିବର୍ତ୍ତନ ଦ୍ବାରା ଚିକିତ୍ସା ପ୍ରଭାବିତ ହେବ କି?
ଡାକ୍ତର ପଣ୍ଡା: ଉପଯୁକ୍ତ ଡାକ୍ତର ଚିହ୍ନଟ କରି ଚିକିତ୍ସା ଆରମ୍ଭ କରନ୍ତୁ। କାରଣ ଯେକୌଣସି ଡାକ୍ତର ଗୋଟିଏ ରୋଗ ପାଇଁ ପୃଥକ ନାମ ବିଶିଷ୍ଟ ସମାନ ଔଷଧ ହିଁ ପ୍ରଦାନ କରିବେ।


ପ୍ରୀତିଶ୍ରୀ: ଡାକ୍ତରମାନେ ମହଙ୍ଗା ଔଷଧ ଲେଖିବା ତଥା ଅନାବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଇବାର ଅଭିଯୋଗ ହୁଏ। କ’ଣ କହିବେ?
ଡାକ୍ତର ପଣ୍ଡା: ପ୍ରଥମତଃ ଉପଯୁକ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ଯିଏକି ଅନାବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରିବେ ନାହିଁ। ଦ୍ବିତୀୟରେ ୧୦୦ ଲୋକଙ୍କ ମଧ୍ୟରୁ ୭୦ ଜଣଙ୍କର ହୃଦରୋଗ ଔଷଧ ଦ୍ବାରା ଦୂର କରିହେବ। କେବଳ ୨୫ରୁ ୩୦% ଲୋକଙ୍କର ଆଞ୍ଜିଓପ୍ଲାଷ୍ଟି ଦରକାର ହୁଏ। ଏଣୁ ଉପଯୁକ୍ତ ଖାଦ୍ୟ ପାନୀୟ ଗ୍ରହଣ, ବ୍ୟାୟମ କରିବା ସହିତ ପ୍ରତିଶେଧକ ଉପାୟ ଅବଲମ୍ବନ କଲେ ହୃଦରୋଗର ଆଶଙ୍କା ରହିବ ନାହିଁ।
ପ୍ରୀତିଶ୍ରୀ: ଦେଶର ବହୁ ଗ୍ରାମୀଣ ଅଞ୍ଚଳ ଏବେ ବି ଉପଯୁକ୍ତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ। ଆମେ ଏବେବି ପଛୁଆ ନୁହେଁ କି?
ଡାକ୍ତର ପଣ୍ଡା: ୩୫ ବର୍ଷ ପୂର୍ବେ ମୁଁ ପାଠ ପଢିବା ବେଳେ ସମଗ୍ର ଦେଶରେ ୫ଟି ସ୍ଥାନରେ ହୃଦରୋଗ ଚିକିତ୍ସା ସୁବିଧା ଥିଲା। ଏବେ ୫୦୦୦ ସ୍ଥାନରେ ଏହା ଉପଲବ୍ଧ ହେଲାଣି। ସମୟ ସହିତ ଧୀରେଧୀରେ ପ୍ରଗତି ହୋଇଛି। ଆଗାମୀ ଦିନରେ ଅପହଞ୍ଚ ଅଞ୍ଚଳରେ ମଧ୍ୟ ଉନ୍ନତ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେବ ବୋଲି ମୋର ଆଶା।
ପ୍ରୀତିଶ୍ରୀ: ଓଡ଼ିଶା ପାଇଁ ଆପଣଙ୍କର କିଛି ବିଶେଷ ଯୋଜନା ରହିଛି କି?
ଡାକ୍ତର ପଣ୍ଡା: ଆଗାମୀ ଦିନରେ ଭୁବନେଶ୍ବରରେ ଏକ ବିବିଧ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଡାକ୍ତରଖାନା ଖୋଲିବାର ଯୋଜନା ରହିଛି। ସେହିଭଳି ମୋ ଗାଁ ଦାମୋଦରପୁର ସ୍ଥିତ ସ୍କୁଲ ଓ ଡିସ୍ପେନସାରୀର ଉନ୍ନତିକରଣ ଯୋଜନା ମଧ୍ୟ ଅଛି।
ପ୍ରୀତିଶ୍ରୀ: ଏସସିବି ମେଡିକାଲ କଲେଜର ପୂର୍ବତନ ଛାତ୍ର ଭାବେ ଏହାକୁ ବିଶ୍ବସ୍ତରୀୟ ଚିକିତ୍ସାଳୟ କରିବା ଦିଗରେ ଆପଣଙ୍କ ଭୂମିକା କ’ଣ ହେବ?
ଡାକ୍ତର ପଣ୍ଡା: ମେଡିକାଲ କଲେଜ ଓ ମେଡିକାଲ ଶିକ୍ଷାରେ ଯେଭଳି ପରିବର୍ତ୍ତନ ହୋଇଛି ସେହିଭଳି ପରିବର୍ତ୍ତନ ଆଣି ଏସସିବିକୁ ପୁଣିଥରେ ଭାରତର ପ୍ରମୁଖ ମେଡିକାଲ କଲେଜ କରାଇବା ମୋର ଇଚ୍ଛା। ଏ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟ ସରକାର ମୋ ଠାରୁ ଯେଉଁ ସହଯୋଗ ଚାହିଁବେ ତାହା ପୂରଣ କରିବାକୁ ମୁଁ ଉଦ୍ୟମ କରିବି।
ପ୍ରୀତିଶ୍ରୀ: ପୁରସ୍କାର ଓ ସମ୍ମାନ ଆପଣଙ୍କୁ କିଭଳି ଉତ୍ସାହିତ କରେ?
ଡାକ୍ତର ପଣ୍ଡା: ମୁଁ କେବେ ପୁରସ୍କାର ଆଶା ନେଇ କାମ କରିନାହିଁ ବରଂ ବଞ୍ଚିବାର ଆଶା ନ ଥିବା ଲୋକଙ୍କ ଜୀବନ ରକ୍ଷା କରିବା ମୋ ପାଇଁ ଅଧିକ ମହତ୍ତ୍ବପୂର୍ଣ୍ଣ।
ପ୍ରୀତିଶ୍ରୀ: ନିଜ ଭଳି ଆଉ କେତେ ଜଣ ଉତ୍ସର୍ଗୀକୃତ ସେବା ମନୋଭାବ ସମ୍ବଳିତ କୁଶଳୀ ଡାକ୍ତର ଆପଣ ପ୍ରସ୍ତୁତ କରିଛନ୍ତି?
ଡାକ୍ତର ପଣ୍ଡା: ପ୍ରତିବର୍ଷ ତିନି ଜଣ ଡାକ୍ତର ମୋ ସହିତ ସାମିଲ ହୁଅନ୍ତି। ବର୍ତ୍ତମାନ ୧୮ ଜଣ ଡାକ୍ତର ପ୍ରଶିକ୍ଷଣ ନେଉଛନ୍ତି। ମୋଟ ୫୦ ଜଣ ଡାକ୍ତରଙ୍କୁ ମୁଁ ପ୍ରଶିକ୍ଷଣ ଦେଇଛି। ଡାକ୍ତର ହେବା ପାଇଁ ମାତାପିତା ପିଲାମାନଙ୍କୁ ଉତ୍ସାହିତ କରନ୍ତୁ। ଯୁବ ଡାକ୍ତରମାନେ ରୋଗୀଙ୍କୁ ହେଳା ନ କରି ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। ଯାହାଦ୍ବାରା ସେମାନଙ୍କ ଚିକିତ୍ସା ନିଶ୍ଚିତ ସଫଳ ହେବ।

Comments are closed.