କ’ଣ କଥା ହେଉଥିଲେ ସେଇ ୬ ଜଣ

ଏପ୍ରିଲ ପହିଲା…।
ଅନ୍ୟ କାହାକୁ ପରିହାସ ଛଳରେ ବୁଦ୍ଦୁ ବନେଇବା ପରିବର୍ତ୍ତେ ନିଜେ ହିଁ ପୂରାପୂରି ବୋକା ପାଲଟି ଯାଇଥିଲେ ସେଇ ଉଚ୍ଚ ଶିକ୍ଷିତ ଯୁବକଜଣକ। ବାରମ୍ବାର କରାଯାଉଥିବା ସେ ଘୋଷଣାକୁ ସେ ଆଉଥରେ ଶୁଣିଲେ- ‘ନୂଆଦିଲ୍ଲୀରେ ଆୟୋଜିତ ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ଯେ କୌଣସି ବ୍ୟକ୍ତି ନିଜ ନାମ ପଞ୍ଜିକୃତ କରାଇ ୧୦୪କୁ ଡାଏଲ କରନ୍ତୁ’। କରୋନା ସଂକ୍ରମଣର ପ୍ରତିକାର ପାଇଁ ଏ ବ୍ୟବସ୍ଥାକୁ ସିଏ ବୁଝିପାରିଥିଲେ ମଧ୍ୟ ନିଜ ଭିତରେ ସାମାନ୍ୟତମ ଲକ୍ଷଣ ନ ଥିବାରୁ କ’ଣ କରିବେ ନ କରିବେ ଦୋଛକିରେ ଥାଇ ଏକବାର ବୋକା ପାଲଟି ଯାଇଥିଲେ। ଆଲିଗଡ଼ ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଡିଗ୍ରୀ ହାସଲ କରିଥିବା କଟକ ବକ୍ସିବଜାରସ୍ଥିତ ପଟାପୋଲ ଅଞ୍ଚଳର ଏଇ ଶିକ୍ଷିତ ଯୁବକ। ଶେଷରେ ନିଜେ ସେ ୧୦୪କୁ ଡାଏଲ କରି ଡାକିଲେ ଏବଂ ତମାମ ଜୀବନରେ ଭୁଲି ନ ପାରିଲା ଭଳି ଏକ ରୋମାଞ୍ଚକାରୀ ଅନୁଭୂତିର ବଳୟ ମଧ୍ୟକୁ ପ୍ରବେଶ କଲେ। ପରବର୍ତ୍ତୀ ଘଟଣାକ୍ରମ ଗୋଟିକ ପରେ ଗୋଟିଏ ଯାହା ଘଟିଗଲା, ତାହା ଥିଲା ଅପ୍ରତ୍ୟାଶିତ। ତାଙ୍କର ନିଦାନ କାଳୀନ ଅନୁଭୂତିରେ ଉଭୟ ଡାକ୍ତର ଓ ସେବିକାମାନଙ୍କ ତାଙ୍କ ପ୍ରତି ବ୍ୟବହାର ଅତି ସୁନ୍ଦର ଥିଲା; ସେମାନେ କେବେ ହେଁ ତାଙ୍କୁ ଅନୁଭବ କରିବାକୁ ଦେଇ ନ ଥିଲେ ଯେ ଏକ ମାରାତ୍ମକ ରୋଗରେ ସେ ପୀଡିତ। ପୁଣି ଏ ରୋଗରେ ଆକ୍ରାନ୍ତ ହେବାର କାରଣକୁ ନେଇ ତାଙ୍କ ଅଭିବ୍ୟକ୍ତି ହେଉଛି, ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ରାତିରେ ଅନେକଙ୍କ ସହ ସେ ଦିଲ୍ଲୀ ଏୟାରପୋର୍ଟରେ ଥିଲେ, ଲକ୍ଡାଉନ୍ର ଶେଷ ଡୋମେଷ୍ଟିକ୍ ଉଡାଣ ଥିବାରୁ ଯାତ୍ରୀ ଅଧିକ ଥିଲେ। ସେ ଫ୍ଲାଇଟ୍ରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଏବଂ ପଛରେ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଲେ ଯେ ଯେଉଁ ବିମାନରେ ସେ ଯାତ୍ରା କରୁଥିଲେ, ସେହି ବିମାନରେ ତିନିଜଣ କରୋନା ପଜିଟିଭ୍ ମଧ୍ୟ ରହିଥିଲେ।
କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହାସପାତାଳରେ ସେ ରହିଲେ ତିନି ତାରିଖ ଅପରାହ୍ଣ ପର୍ୟ୍ୟନ୍ତ ଏବଂ ସେତେବେଳକୁ ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍ ଆସି ସାରିଥାଏ। ସେହି ସନ୍ଧ୍ୟାରେ ତାଙ୍କୁ ନିଆଗଲା ଅଶ୍ୱିନୀ ହସପିଟାଲ ଏବଂ ସେଠି ସାତ ତାରିଖ ପର୍ୟ୍ୟନ୍ତ ଏକାନ୍ତ ଭାବେ ଗୋଟିଏ କୋଠରିରେ ରଖି ତାଙ୍କ ଚିକିତ୍ସା ଚାଲିଲା। ତାହାରି ଭିତରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଭଳି ଆଉ ପାଞ୍ଚଜଣ ମଧ୍ୟ ସେହି ହାସପାତାଳରେ ଚିକିତ୍ସାରେ ଅଛନ୍ତି; ତେବେ ସେ କାହାକୁ ଦେଖିପାରୁ ନ ଥିଲେ। ତିନିଦିନର ଚିକିତ୍ସା ପରେ ଆବଶ୍ୟକ ପରୀକ୍ଷା କରାଯାଇ ତାଙ୍କୁ ଏକ ହଲ୍(କରୋନା ୱାର୍ଡ)କୁ ନିଆଗଲା, ଯେଉଁଠି ସାମାଜିକ ଦୂରତା ବଜାୟ ରଖି ପଡିଥିଲା ଛଅଟି ଶଯ୍ୟା। ସେଇଠି ସେ ଦେଖିଲେ ଅନ୍ୟ ପାଞ୍ଚଜଣଙ୍କୁ। ଦୁଇଜଣ ଭଦ୍ରକର ଥିଲା ବେଳେ କେନ୍ଦ୍ରାପଡା, ପୁରୀ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ରହିଥିଲେ।
ବାସ୍! ସେଇଠି ଏକାଠି ହେଲେ ଏହି ଛଅଜଣ କରୋନା ପଜିଟିଭ୍। ସମଗ୍ର ବିଶ୍ୱକୁ ଥରହର କରାଉଥିବା କରୋନାର ଭାଇରସ୍କୁ ଆପଣା ଶରୀରରେ ଧାରଣ କରିଥିବା ଏହି ଛଅଜଣଙ୍କ ଏକତ୍ରୀକରଣ କିଛି ଛୋଟିଆ କଥା ନ ଥିଲା। ସେ ସମୟରେ ସେମାନଙ୍କ ଭିତରେ ପୁଞ୍ଜିଭୂତ ଆଶଙ୍କା, ଉତ୍କଣ୍ଠା, ଆବେଗକୁ ନେଇ କେଉଁଭଳି ଶବ୍ଦ ସବୁ ପହଁରି ଆସୁଥିଲେ ସ୍ୱରନଳୀର ଏପାରିକୁ, କ’ଣ ଥିଲା ସେମାନଙ୍କ ଚିନ୍ତନର ପରିଭାଷା…ନିଜ ନିଜ ଭିତରେ ସେ ଛଅଜଣ କି କଥା ହେଉଥିଲେ; ତାହା ନିଶ୍ଚିତ ରୂପେ ତାତ୍ପର୍ୟ୍ୟପୂର୍ଣ୍ଣ। ଏହି ଛଅଜଣଙ୍କ ପୋଷାକଥିଲା ସମାନ, ତଳେ ନୀଳ ରଙ୍ଗର ପାଇଜାମା ଓ ଉପରେ ଖାକି ରଙ୍ଗର କୁର୍ତ୍ତା। ମୁଣ୍ଡରେ କନାଟୋପି ଓ ମୁହଁରେ ଦ୍ୱିପରସ୍ତର କପଡା ମାସ୍କ। ସମସ୍ତଙ୍କ ପାଖରେ ଥାଏ ମୋବାଇଲ ଏବଂ ନେଟରେ ସେମାନେ ଦେଖି ପାରୁଥିଲେ ବିଶ୍ୱବ୍ୟାପୀ କରୋନାର ଭୟାବହତା। ଅନ୍ୟ ବିଦେଶୀ ରାଷ୍ଟ୍ରର ସଂକ୍ରମିତ ଓ ମୃତ୍ୟୁ ହାର ସହ ଭାରତବର୍ଷକୁ ତୁଳନାରେ ନେଇ ସେମାନେ ପରସ୍ପରକୁ ଆଶ୍ୱାସନା ଦେଉଥିଲେ। ପୁଣି ନିଜ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ମୁକାବିଲାର ଶୈଳୀକୁ ସେମାନେ ଶହେପ୍ରତିଶତ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପରିଚାଳନାକୁ ବାରମ୍ବାର ତାରିଫ ବି କରୁଥିଲେ। ଏକାଠି ସେମାନେ ଖାଉଥିଲେ; ଆମିଷ ଦିଆଯାଉନଥିଲା, ନିରାମିଷର ଭଲ ଖାଇବା ମିଳୁଥିଲା ହାସପାତାଳ ପକ୍ଷରୁ ଏବଂ ଅତିରିକ୍ତ କିଛି ନିରାମିଷ ଖାଦ୍ୟ ଇଚ୍ଛା କଲେ ତତ୍କ୍ଷଣାତ୍ ଯୋଗାଇ ବି ଦିଆଯାଉଥିଲା। କେହି ଯଦି ନିଜ ଘର ଲୋକଙ୍କ ସହ ଫୋନରେ କଥା ହେଉଥିଲା, ଅନ୍ୟ ପାଞ୍ଚଜଣ ସେହି ଆନନ୍ଦ/ଆବେଗଦାୟକ ମୁହୂର୍ତ୍ତରେ ସାମିଲ ହୋଇଯାଉଥିଲେ; ଫରକ୍ ନ ଥିଲା
ସେମାନଙ୍କ ଭିତରେ କିଏ ହିନ୍ଦୁ ଓ କେତେ ମୁସଲମାନ୍। …ଏଇମିତି କଟିଗଲା ବନ୍ଧୁତାର ଛଅଟି ଦିନ ଓ ଅଶ୍ୱିନୀ ହସପିଟାଲରେ ୧୧ ତାରିଖ ପର୍ୟ୍ୟନ୍ତ ରହଣି। କେମିତି ବା ଭୁଲି ହେବ ସେଇ ଏପ୍ରିଲ ୧୧କୁ; ଅନ୍ଧକୁହେଳି ଯାତ୍ରାର ଏ ଯେ ଭିନ୍ନ ଲେଉଟାଣି ! ଛଅଜଣଙ୍କ ଆଖିରେ ଛଳଛଳ ଲୁହକୁ କେବଳ ସେଇମାନେ ହିଁ ପଢି ପାରୁଥିଲେ, ଯେତେବେଳେ ସେମାନଙ୍କ ଭିତରେ ଏକ ଅଜଣା ଆନନ୍ଦ କୁଦା ମାରୁଥିଲା। ସେ ଛଅଜଣଙ୍କ ହାତରେ ଧରାଇ ଦିଆଗଲା ଡାକ୍ତରୀ ରିପୋର୍ଟ; ସେମାନେ ସୁସ୍ଥ, ଶହେ ପ୍ରତିଶତ କରୋନାମୁକ୍ତ, ଏବେ ସେମାନେ ବଞ୍ଚି….ଆଃ ଖୁସିରେ ବାରମ୍ବାର କାନ୍ଦୁଥିଲେ ସେମାନେ। ଆସିଲା ବିଦାୟର ପର୍ବ; ଏକ ଭୟାନକ ଲଢେଇରେ ଏକାଠିହୋଇ ଚମତ୍କାର ବିଜୟହାସଲ କରିଥିବା ଛଅ ବନ୍ଧୁ ପରସ୍ପରଠୁଁ ବିଦାୟ ନେଇ ନିଜ ନିଜ ଅଞ୍ଚଳ(ପୁରୀ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, କଟକ ଓ ଭଦ୍ରକ)ର କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଚାଲିଲେ ବିଜୟଦର୍ପରେ। କ୍ୱାରେଣ୍ଟାଇନ୍ରେ ସାତ ଦିନ ରହି ୧୭/୧୮ ଏପ୍ରିଲରେ ବାହୁଡିବେ ଯେ ଯାହା ଘରକୁ ଏବଂ ଘରେ ପୁଣି ଆତ୍ମସଙ୍ଗରୋଧରେ ରହିବେ ୧୪ ଦିନ। …ସେ ଅନୁସାରେ କଟକ ନୂଆବଜାର କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଆସିଲେ ପଟାପୋଲର ଯୁବକ ଏବଂ ସାତ ଦିନ କାଟିବା ପରେ ଏପ୍ରିଲ ୧୭ ସନ୍ଧ୍ୟାରେ ଆସି ପହଞ୍ଚିଲେ ନିଜ ଘରେ ଓ ମନେ ପକାଇଲେ ଏଯାବତ୍ ଘଟିଯାଇଥିବା ଘଟଣାବଳୀକୁ….।