ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାବାସୀଙ୍କୁ ଆହ୍ୱାନ – ସମସ୍ତେ ଘରେ ରହନ୍ତୁ, ସୁସ୍ଥ ରହନ୍ତୁ

ସମାଜ ପୋର୍ଟାଲ ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ଆହ୍ୱାନ ଜଣାଇ କହିଛନ୍ତି ଯେ କରୋନା ସଂକ୍ରମଣର ଭୟାବହତା ରୋକିବା ପାଇଁ ସମସ୍ତେ ନିୟମଗୁଡିକର ଅନୁପାଳନ କରନ୍ତୁ, ଘରେ ରହନ୍ତୁ ଓ ସୁସ୍ଥ ରହନ୍ତୁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୬୦ ଦିନ ମଧ୍ୟରେ ବିଶ୍ୱ ବଦଳି ଯାଇଛି। ରାଜନୀତି ଓ ଅର୍ଥନୀତିକୁ ପଛରେ ପକାଇ ସ୍ୱାସ୍ଥ୍ୟ ସମସ୍ୟା ସାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ପାଲଟିଛି। ଚୀନ ଏବଂ ଦକ୍ଷିଣ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ଲଣ୍ଡନ ଭଳି ୟୁରୋପୀୟ ଦେଶଗୁଡିକ ପାଇଁ କରୋନା ସଂକ୍ରମଣ ଗୁରୁତର ସମସ୍ୟା ସୃଷ୍ଟି କରିଛି। ବର୍ତ୍ତମାନ ଏହି ଭୁତାଣୁ ଭାରତରେ ମଧ୍ୟ ପହଂଚି ଯାଇଛି। ଭାରତରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ସେ କହିଛନ୍ତି, ଏହି ଭାଇରସ ବାହାର ଦେଶରୁ ଆସିଛି ଓ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। କେବଳ ସଚେତନତା ଦ୍ୱାରା ଏହାକୁ ରୋକାଯାଇ ପାରିବ। ତେଣୁ ସମସ୍ତେ ଘରେ ରହନ୍ତୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ସେ କହିଛନ୍ତି ଯେ ଏ ଭାଇରସକୁ ଘରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ଏଭଳି ଉପାୟକୁ ଅବଲମ୍ବନ କରି ଚୀନର ହୁଆନ ପ୍ରଦେଶ କରୋନା ଭୁତାଣୁ ସଂକ୍ରମଣକୁ ରୋକିବାରେ ସଫଳ ହୋଇପାରିଛି। ଭିଡିଓ ଦେଖନ୍ତୁ –

ସେ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି, ଆମେ ମଧ୍ୟ ସେହି ଉପାୟକୁ ଆପଣେଇବା। ହରେ ରହିବ, କେବଳ ଅତ୍ୟାବଶ୍ୟକ କାମ ଥିଲେ ବାହାରକୁ ଯିବା। ସେ କହିଛନ୍ତି ଯେ ଆମେ ଯଦି ଏସବୁ ନିୟମ ପାଳନ କରିବା ତାହେଲେ ଆମେ ଏ ଯୁଦ୍ଧ ଜିତି ପାରିବା। ନବୀନ କହିଛନ୍ତି ଯେ ଆଗାମୀ ସପ୍ତାହ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩ ହଜାରରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଖୋର୍ଦ୍ଧା, କଟକ, ଗଂଜାମ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ଅଟନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟାଉ ଜିଲ୍ଲାର ସବୁ ସହର ଓ ଗାଁ ସହ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ପୁରୀ, ଭଦ୍ରକ, ଯାଜପୁର ଓ ଯାଜପୁର ଟାଉନରେ ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ ଡାଉନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ ଏହି ଲକ ଡାଉନ ସମୟରେ କେବଳ ବସ, ରେଳ ଓ ବିମାନସେବା ସହିତ ରାସନ ଦୋକାନ, ପରିବା ଦୋକାନ, ମାଛ ମାଂସ ଅଣ୍ଡା ଦୋକାନ ଓ ଔଷଧ ଦୋକାନ ଖୋଲା ରହିବ। ଏହା ବ୍ୟତୀତ ସେହି ସବୁ ଅଂଚଳରେ ଡାକ୍ତରଖାନା, ବ୍ୟାଙ୍କ, ପୌରପାଳିକା ସେବା, ପାଣି, ବିଜୁଳି, ଅଗ୍ନିଶମ, ଏଟିଏମ, ପୁଲିସ, ପେଟ୍ରୋଲ ପମ୍ପ, ବିଦ୍ୟୁତ, ଓଡିଆରଏଫ ଏବଂ ପ୍ରଶାସନିକ ସେବା ଅବ୍ୟାହତ ରହିବ।

ନବୀନ କହିଛନ୍ତି, ସାଢେ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର। ପ୍ରତିଟି ଓଡିଶାବାସୀଙ୍କ ଜୀବନ ମୂଲ୍ୟବାନ।

 

ସେ ଅନୁରୋଧ କରିଛନ୍ତି ଯେ ସମସ୍ତେ ସରକାରଙ୍କ ନିଷ୍ପତ୍ତି ପାଳନ ଦିଗରେ ସହଯୋଗ କରନ୍ତୁ। ସମସ୍ତେ ନିଜର, ନିଜ ପରିବାରର ଓ ବନ୍ଧୁବର୍ଗଙ୍କ ମଙ୍ଗଳ ପାଇଁ ଘରେ ରହନ୍ତୁ।

 

ଏହି ନିଷ୍ପତ୍ତି ପାଳନରେ ଯେ କେହି ଅସୁବିଧା ସୃଷ୍ଟି କରିବାକୁ ଚେଷ୍ଟା କରିବ, ସେ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବୀନ ସତର୍କ କରାଇ ଦେଇଛନ୍ତି। ଆମେ ଘରେ ରହିଲେ ହିଁ ଏ ଯୁଦ୍ଧ ଜିତି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.