ଶିବ କାନ୍ଦୁଛନ୍ତି ଲୁଚି ଲୁଚି

ଗରମ ତେଲ ବଦଳାଇଛି ଚେହେରା

ଭୁବନେଶ୍ବର : ସମୟ ବଦଳିବା ଭଳି ବଦଳିଯାଇଛି ତାଙ୍କ ଜିଇଁବାର ଶୈଳୀ। ନା ଅଛି ସୁନ୍ଦର ଚେହେରା, ନା ପରିବାର। ଏକ ଦୁର୍ଘଟଣା ଜୀବନର ଗତିପଥକୁ ପୂରା ବଦଳାଇ ଦେଇଛି। ଚେହେରା ବିଗିଡ଼ି ଯିବାରୁ ସ୍ତ୍ରୀ ପର କରିଦେବା ସହ ଘରଦ୍ବାର ମଧ୍ୟ ବନ୍ଦ କରିଦେଇଛି। ଦୀର୍ଘଦିନ ଧରି ଘରକୁ ଯାଇ ପାରୁନାହାନ୍ତି କି ନିଜ ଅଲିଅଳ ଝିଅକୁ ଦେଖିପାରୁନାହାନ୍ତି। ଆଖିର ଲୁହ ଓ ମନର କୋହକୁ ଛାତିରେ ଚାପି ଧରି ଆଶ୍ରୟସ୍ଥଳୀରେ ଜୀବନ ଜୀଉଁଛନ୍ତି। ନିଜର ସଂଘର୍ଷଭରା କାହାଣୀ କହିବାକୁ କଷ୍ଟ ହେଉଥିଲେ ସୁଦ୍ଧା ଝିଅ ଓ ସ୍ତ୍ରୀ ପାଖକୁ ଫେରିବାର ଆଶା ଛାଡିନାହାନ୍ତି ସେ। ଏତେ ବଡ଼ ଦୁର୍ଘଟଣା ପରେ ବି ଆତ୍ମବିଶ୍ବାସ ହରାଇନାହାନ୍ତି। ପୁଣି ଥରେ ନିଜେ ସ୍ବାବଲମ୍ବୀ ହେବାକୁ ରଖିଥିବା ଇଚ୍ଛା‌ ତାଙ୍କୁ କହିବାକୁ ବାଧ୍ୟ କରୁଛି। ଏପରି କୋହଭରା କଣ୍ଠରେ ଦୁର୍ଦିନର କାହାଣୀ ବଖାଣିଛନ୍ତି ଶିବଶଙ୍କର ମିଶ୍ର।

ଗଜପତି ଜିଲା ପାରଳାଖେମୁଣ୍ଡି ଅଞ୍ଚଳର ମୂଳ ବାସିନ୍ଦା ଶିବଶଙ୍କର। ସ୍ତ୍ରୀ ଓ ଝିଅକୁ ନେଇ ତାଙ୍କର ଛୋଟ ପରିବାର। ସେଠାରେ ଏକ ହୋଟେଲରେ କାମ କରି ଖୁସି‌େ‌ର ଜୀବନ ଅତିବାହିତ କରୁଥିଲେ। ହେଲେ ସମୟ ଗତି ବଦଳାଇ ଦେଇଥିଲା। କଳା ପାହାଡ଼ ତଳେ ଚାପି ହୋଇଗଲା ଜୀବନ। ଗରମ ତେଲ କଡ଼େଇ ଜୀବନ ମୋଡ଼ ବଦଳାଇ ଦେଲା। ଦୋକାନରେ କାମ କରୁଥିବା ସମୟରେ ହଠାତ ତାଙ୍କୁ ବାତ ମାରିଥିଲା। ଫଳରେ ଶିବ କିଛି ଜାଣିବା ପୂର୍ବରୁ ତେଲ କଡ଼େଇରେ ପଡ଼ିଯାଇଥିଲେ। ୧୫ ମିନିଟ୍‌ ପରେ ଦୋକାନ ମାଲିକ ତାଙ୍କୁ ଉଠାଇଥିଲା। ତାଙ୍କ ସୁନ୍ଦର ଚେ‌େ‌ହରା ପୂରା ନଷ୍ଟ ହୋଇଯାଇଥିଲା ସତ ହେଲେ ଜୀବନ ବଞ୍ଚି ଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ହେବାକୁ ଆସିଥିଲେ। ଚିକିତ୍ସାର କିଛିଦିନ ପରେ ସ୍ତ୍ରୀ ଛାଡ଼ି ପଳାଇଥିଲା। ତା’ ପରେ ଘରକୁ ଆସିବାକୁ ମନା କରିଥିଲା। ଏମିତିକି ‌ଝିଅ ସହିତ ଫୋନ୍‌ରେ କଥା‌ ହେବାକୁ ମଧ୍ୟ ବିରୋଧ କରିଥିଲା। ୨୯ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଘାଟିକିଆ ଆଶ୍ରମରେ ଦୁଃଖ କଷ୍ଟ‌େ‌ର ଜୀବନ ଜିଉଁଛନ୍ତି ଶିବ। ତାଙ୍କ ମୁହଁ ସହିତ ହାତ ଦୁଇଟି ନଷ୍ଟ ହୋଇଯାଇଛି। ଫଳରେ ସେ କୌଣସି କାର୍ଯ୍ୟ କରିବାକୁ ଅକ୍ଷମ। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ସହାୟତାରେ ଜୀବନ ବିତାଉଛନ୍ତି। ମୁହଁ ଓ ହାତ ପ୍ଲାଷ୍ଟିକ୍‌ ସର୍ଜରୀ ପାଇଁ ୨୦୨୦ରେ ଯୋଜନା ହୋଇଥିଲେ ସୁଦ୍ଧା କରୋନା ମହାମାରୀ ଓ ତାଲାବନ୍ଦ ବାଧକ ସାଜିଛି। ହେଲେ ଚଳିତ ମାସ ୧୯ ତାରିଖରେ ପ୍ଲାଷ୍ଟିକ୍‌ ସର୍ଜରୀ କରି ନୂଆ ଚେହେରା ପାଇପାରିବେ ବୋଲି ସେ ଆଶା ରଖିଛନ୍ତି।
ଗୋଟିଏ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଅନ୍ୟଟି ୫୦ ପ୍ରତିଶତ ଠିକ୍‌ ଅଛି। ସେହି ହାତରେ କିଛି ରୋଜଗାର କରିବା ସହିତ ଘରକୁ ଫେରିବାକୁ ଭାବିଛନ୍ତି। ସୁନ୍ଦର ଚେହେରା ମିଳିବ କି ନାହିଁ ତାହା ଜଣା ନାହିଁ ବରଂ ପରିବାର ଲୋକଙ୍କଠାରୁ ଦୂରେଇ ରହୁଥିବାରୁ ବହୁ କଷ୍ଟ ହେଉଛି। ପରିବାର ଲୋକଙ୍କ ପାଖକୁ ଫେରିବାକୁ ବହୁତ ଇଚ୍ଛା ଅଛି ବୋଲି ଶିବ କହିଛନ୍ତି।

Comments are closed.