ଏଏନ-୩୨ ଦୁର୍ଘଟଣା: ଫେରିନାହାନ୍ତି ଉଦ୍ଧାରକାରୀ ଦଳ, ଜଙ୍ଗଲରେ ଫସିଛନ୍ତି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପରିବହନ ବିମାନ ଏଏନ-୩୨ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାକୁ ୨୭ ଦିନ ବିତିଗଲାଣି। ୯ ଦିନ ତଳେ ଉଦ୍ଧାରକାରୀ ଟିମ୍‌ ଜଙ୍ଗଲ ଭିତରେ ଦୁର୍ଘଟଣା ସ୍ଥଳକୁ ଖୋଜି ବାହାର କରିବା ସହିତ ବିମାନରେ ଥିବା ୧୩ ଯବାନଙ୍କ ମୃତଦେହ ଠାବ କରିଥିଲେ। କିନ୍ତୁ ଏବେ ଉଦ୍ଧାରକାରୀ ଟିମ୍‌ ଅଡୁଆରେ ପଡ଼ିଛନ୍ତି। ଉଦ୍ଧାରକାରୀ ଦଳ ଦୁର୍ଗମ ଜଙ୍ଗଲରେ ଫସିଥିବାବେଳେ ଏଯାଏ ଫେରିପାରି ନାହାନ୍ତି। ପାଣିପାଗ ଭଲ ନ ଥିବାରୁ ସେମାନଙ୍କୁ ବିମାନ ଯୋଗେ ଉଦ୍ଧାର କରିବା ମଧ୍ୟ ସମ୍ଭବ ହେଉନାହିଁ।

ଆସାମର ଶି ୟୋମି ଜିଲାର ମେଚୁକା ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡରୁ ଗତ ଜୁନ ୩ ତାରିଖରେ ଏଏନ-୩୨ ବିମାନ ଉଡ଼ାଣ ଆରମ୍ଭ କରିଥିଲା। କିଛି ସମୟ ପରେ ଏହା ନିଖୋଜ ହୋଇଯାଇଥିଲା। ବିମାନ ସହିତ ରାଡାରର ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ପ୍ରାୟ ୧ ସପ୍ତାହ ପରେ ୧୨ ଜଣିଆ ଉଦ୍ଧାରକାରୀ ଟିମ୍‌ ଅରୁଣାଚଳ ପ୍ରଦେଶର ଘଞ୍ଚ ଜଙ୍ଗଲରେ ଥିବା ଏକ ଘାଟିରେ ବିମାନର ଭଗ୍ନାବଶେଷ ଠାବ କରିଥିଲେ। ପରେ ଗତ ୨୦ ତାରିଖରେ ଲିପୋର ୧୩ କିଲୋମିଟର ଦୂରରୁ ଦୁର୍ଘଟଣାରେ ମୃତ ଯବାନଙ୍କ ମୃତଦେହ ଠାବ କରିଥିଲେ। ସମୁଦ୍ର ପତନରୁ ୧୨ ହଜାର ଫୁଟ ଉଚ୍ଚରେ ମୃତଦେହ ପଡ଼ିଥିଲା। ତେଣୁ ମୃତଦେହ ଉଦ୍ଧାର କରିବା ଲାଗି ପର୍ବତାରୋହୀଙ୍କ ସହାୟତା ନିଆଯାଇଥିଲା। ଏହି ଅଭିଯାନ ସମୟରେ ପାଗ ଖରାପ ରହିବାରୁ ଉଦ୍ଧାରକାରୀ ଦଳଙ୍କୁ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର କରାଯାଇ ପାରିନାହିଁ।

Comments are closed.