ଏଏମ୍‍ୟୁରୁ ୩ କାଶ୍ମୀର ଛାତ୍ର ନିଲମ୍ବିତ

0

ଆଲିଗଡ଼ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍‍ୟୁ)ରେ ପଢୁଥିବା ୩ ଜଣ କାଶ୍ମୀର ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯରାଇଛି। ଏହି ୩ ଛାତ୍ର ଗୁରୁବାର ଭାରତୀୟ ସୁରକ୍ଷା ବାହିନୀଙ୍କ ଗୁଳିରେ ମୃତ ହିଜବୁଲ କମାଣ୍ଡର ଆତଙ୍କବାଦୀ ମନନ ୱାନି ନିମନ୍ତେ ଏକ ପ୍ରାର୍ଥନା ସଭା ଆୟୋଜନ କରିବାକୁ ଚେଷ୍ଟା କରିଥିଲେ। ଏପରିକି କାଶ୍ମୀରର କିଛି ଛାତ୍ର ମନନ ୱାନି ମୃତ୍ୟୁରେ ପ୍ରାର୍ଥନା ସଭା କରିବାକୁ ଏଏମ୍‍ୟୁ ପରିସରରେ ଥିବା କେନେଡି ହଲ ନିକଟରେ ଏକାଠି ହୋଇଥିଲେ। ଏହା ଜାଣିବା ପରେ ଛାତ୍ର ସଂସଦର କାର୍ଯ୍ୟକର୍ତ୍ତା ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେଠାକୁ ଯାଇ ସେମାନଙ୍କୁ ଅଟକାଇଥିଲେ। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ନିଲମ୍ବିତ କରାଯାଇଥିବା ଏଏମ୍‍ୟୁ ମୁଖପାତ୍ର ପ୍ରଧ୍ୟାପକ ଶାଫି କିଦୱାଇ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ କେନେଡି ହଲ ନିକଟରେ କାଶ୍ମୀର ଛାତ୍ର ଏବଂ ଛାତ୍ର ସଂସଦ ନେତାଙ୍କ ମଧ୍ୟରେ ତିକ୍ତ ଯୁକ୍ତି ହୋଇଥିଲା। ଶେଷରେ କାଶ୍ମୀର ଛାତ୍ର ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଏହାକୁ ନେଇ ଏଏମ୍‍ୟୁ ଛାତ୍ର ସଂସଦ ସଭାପତି କହିଛନ୍ତି ଯେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକୁ ପ୍ରଶୟ ଓ ଆତଙ୍କବାଦ ନାମରେ ବାକ୍‍ ସ୍ୱାଧୀନତାକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ।

Leave A Reply