ପାରାଦୀପରୁ ୨୫୦ କିମି ଦୂରରେ ସାମୁଦ୍ରିକ ଝଡ ‘ଅମ୍ପନ୍‍’

ସମାଜ ପୋର୍ଟାଲ ଡେସ୍କ: ଭୟଙ୍କର ସାମୁଦ୍ରିକ ଝଡ ‘ଅମ୍ପନ୍‍’ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ପାରାଦ୍ୱୀପର ଦକ୍ଷିଣକୁ ୨୫୦ କି.ମି. ଦୂରରେ ରହିଛି। ପରେ ଉତ୍ତର-ଉତ୍ତର ପୂର୍ବକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟଦେଇ ୨୦ ମଇ ଅପରାହ୍ଣରୁ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ସୁନ୍ଦରବନ ନିକଟବର୍ତ୍ତୀ ହାତିଆ ଦ୍ୱୀପ ମଧ୍ୟଦେଇ ଅତିକ୍ରମ କରିବ। ଏହି ସମୟରେ ଏହାର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ। ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୮୫ କିଲୋମିଟର ହୋଇପାରେ।

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସହ ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି ଏବଂ ଯାଜପୁର, ବାଲେଶ୍ୱର, କଟକ, ମୟୁରଭଞ୍ଜ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେଉଛି। ୨୦ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳ ଜଗତସିଂହପୁର, ଭଦ୍ରକ ଓ କେଉଁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ଦକ୍ଷିଣ-ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ରହିବ ଏବଂ ସ୍ଥଳବିଶେଷରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୭୫ କି.ମି. ହୋଇପାରେ ଏବଂ ଉତ୍ତର-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ପବନ ବହିବ। ସ୍ଥଳବିଶେଷରେ ପବନର ତୀବ୍ରତା ଘଣ୍ଟା ପ୍ରତି ୬୦ କି.ମି. ହୋଇପାରେ। ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ପବନ ବହିବ। ସ୍ଥଳବିଶେଷରେ ପବନର ତୀବ୍ରତା ଘଣ୍ଟା ପ୍ରତି ୭୫ କି.ମି. ହୋଇପାରେ। ୨୦ ମଇ ସକାଳ ସୁଦ୍ଧା ପବନର ବେଗ କ୍ରମଶଃ ବୃଦ୍ଧିପାଇ ବତାସ ରୂପ ନେଇ ଉତ୍ତର ଓଡ଼ିଶା ଉପକୂଳର ଜଗତ୍‍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୭୫ରୁ ୮୫ କି.ମି. ରହିବ ଏବଂ ଏହାର କ୍ଷୀପ୍ରତା ଘଣ୍ଟା ପ୍ରତି ୯୫ କି.ମି. ହେବାର ଅନୁମାନ କରାଯାଇଛି। ପରବର୍ତ୍ତୀ ସମୟରେ ପବନର ବେଗ ବୃଦ୍ଧି ପାଇ ଉତ୍ତର ଓଡ଼ିଶା ଉପକୂଳର ଏହି ଜିଲ୍ଲାଗୁଡିକରେ ଘଣ୍ଟାପ୍ରତି ୧୦୦ ରୁ ୧୧୦ କି.ମି. ରହିବା ସହ ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୨୫ କି.ମି. ହୋଇପାରେ। ୨୦ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ହୋଇ ପରେ ଏହାର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୫ କି.ମି. ରହିବ।

ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ସମୁଦ୍ର ଅସ୍ୱାଭାବିକ ରହିବ। ଆଜି ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଭାଗ ଓ ନିକଟବର୍ତ୍ତୀ ଉତ୍ତର ପାର୍ଶ୍ବରେ ଏବଂ ୨୦ ତାରିଖରେ ବଙ୍ଗୋପସାଗରର ଉତ୍ତର ଭାଗରେ ଅସ୍ୱାଭାବିକ ସ୍ଥିତି ଜାରି ରହିବ। ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ଓଡ଼ିଶା ଉପକୂଳ ଅଞ୍ଚଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ସମୀପବର୍ତ୍ତୀ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।

ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଛପର/କଚ୍ଚା ଘର ସଂପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ରହିଛି। ବିୁଦ୍ୟତ ଖୁଣ୍ଟି ଏବଂ ଯୋଗାଯୋଗ ଟାୱାର ବଙ୍କା ହେବା / ଉପୁଡି ଯାଇପାରେ। କଚ୍ଚା ଓ ପକ୍କା ରାସ୍ତା ଅଧିକ କ୍ଷତି ହୋଇପାରେ। ରେଲୱେ ଟ୍ରାକ୍‍, ବିୁଦ୍ୟତ୍‍ ଲାଇନ୍‍ ଏବଂ ସିଗନାଲ୍‍ ବ୍ୟବସ୍ଥା ବ୍ୟାଘାତ ହୋଇପାରେ। ଠିଆ ହୋଇଥିବା ଫସଲ, ବୃକ୍ଷଲତା, ବଗିଚା ନଷ୍ଟହେବା, ଆମ୍ବଗଛ ଉପୁଡିଯିବା, ପଇଡ ଝଡିଯିବା ଏବଂ ତାଳଗଛ ଫାଟିଯିବାର ସମ୍ଭାବନା ରହିଛି। ହୁଲି ଡଙ୍ଗା, ଦେଶୀୟ ନୌକା ଘାଟରୁ ଅଲଗା ହୋଇଯିବା ଯଥେଷ୍ଟ ସମ୍ଭାବନା ଅଛି।

ସଂପୃକ୍ତ ସରକାରୀ ବିଭାଗ ଏବଂ ଉପକୂଳବର୍ତ୍ତୀ ଓ ତତ୍‍ସଂଲଗ୍ନ ୧୨ ଗୋଟି ଜିଲ୍ଲା – ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜକୁ ସତର୍କ କରାଯାଇଅଛି ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ପ୍ରଭାବ ପୂର୍ଣ୍ଣଭାବେ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିପଦସଂକୁଳ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡିକ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ସୁରକ୍ଷିତ ପକ୍କା ଛାତବିଶିଷ୍ଟ ସରକାରୀ କୋଠା ଘରକୁ ନିରାପଦ ଆଶ୍ରୟସ୍ଥଳ ଭାବରେ ବ୍ୟବହାର ପାଇଁ ଚିହ୍ନଟ କରିବାକୁ କୁହାଯାଇଛି। କୋଭିଡ୍‍-୧୯ ମୁକାବିଲା ପାଇଁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ କରାଯାଇଥିବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ବ୍ୟତୀତ ମୋଟ୍‍ ୬୩୪ ଟି ଆଶ୍ରୟସ୍ଥଳୀ ଏବଂ ୭ ହଜାର ୯୨ ଅନ୍ୟ ସ୍ଥାୟୀ କୋଠାକୁ ୧୨ଟି ଜିଲ୍ଲାର ୧୨ ଲକ୍ଷରୁ ଅଧିକ ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ସାମାଜିକ ଦୂରତା ନିୟମ ପାଳନ ପୂର୍ବକ ନିରାପଦ ଆଶ୍ରୟ ଦେବା ପାଇଁ ପ୍ରସ୍ତୁତ ରଖାଯାଇଛି।

ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଉପଲବ୍ଧ କରିବା ନିମନ୍ତେ କୁହାଯାଇଛି। ଯେକୌଣସି ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ଟାୱାର ଲାଇଟ୍‍, ଚେନ୍‍ ସ ଏବଂ ଅନ୍ୟ ଜରୁରୀକାଳୀନ ଉପକରଣକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ୪୮୬ଟି ଜେନେରେଟର ସେଟ୍‍, ୧ ହଜାର ୫୧୩ଟି ଇନ୍‍ଫ୍ଲାଟେବୁଲ୍‍ ଟାୱାର ଲାଇଟ୍‍ ଏବଂ ୧ ହଜାର ୪୯୭ଟି ଚେନ୍‍ ଓ ଆଶ୍ରୟସ୍ଥଳୀ ସ୍ତରରେ ପ୍ରସ୍ତୁତ କରି ରଖାଯାଇଛି। ପୁରୀ, କଟକ ଓ ଗଞ୍ଜାମ ଜିଲ୍ଲାରେ ଥିବା ଇନଫ୍ଲାଟେବୁଲ ଟାୱାର ଲାଇଟ୍‍ଗୁଡିକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାକୁ ନେବାକୁ ବ୍ୟବସ୍ଥା କରାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନଡାଛପର ଘର, ଆଜବେଷ୍ଟସ୍‍ ଘର, ଟାଇଲ୍‍ ଘର ଏବଂ ଅନ୍ୟାନ୍ୟ ନୂଆଣିଆ ଚାଳଘର, କୁଡିଆ କିମ୍ବା ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ନିକଟସ୍ଥ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟାନ୍ୟ ଚିହ୍ନଟ ନିରାପଦ କୋଠାକୁ ସ୍ଥାନାନ୍ତରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପୌରାଞ୍ଚଳରେ ଲଗାଯାଇଥିବା ସମସ୍ତ ହୋଡିଂ ଏବଂ ଗ୍ରାମାଞ୍ଚଳର ରାସ୍ତା ପାର୍ଶ୍ବରେ ଥିବା ସମସ୍ତ ହୋଡିଂକୁ ତୁରନ୍ତ ହଟେଇବା ପାଇଁ ପଦକ୍ଷେପ ନେବାକ଼ୁ ଅନୁରୋଧ କରାଯାଇଛି।

ଓ.ପି.ଟି.ସି.ଏଲ୍‍. ଏବଂ ବିତରଣ ସଂସ୍ଥାଗୁଡିକ ବାତ୍ୟା ପରବର୍ତ୍ତୀ ସମୟରେ ତତ୍‍କ୍ଷଣାତ୍‍ ପୁନଃରୁଦ୍ଧାର କାର୍ଯ୍ୟ କରିବା ପାଇଁ କୁଶଳୀ କର୍ମଚାରୀଙ୍କୁ ସଜାଗ ରଖିବା ସହ ଉପକରଣମାନ ମହଜୁଦ୍‍ ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି। ଦଳଗୁଡିକ ଜେନେରେଟର ସେଟ୍‍, ଗ୍ୟାସ କଟର, ଗାଡି ସହିତ ତତ୍‍କ୍ଷଣାତ୍‍ ମୁତୟନ ନିମନ୍ତେ ପ୍ରସ୍ତୁତ ରଖାଯାଇଛି। ସେସୁ, ନେସକୋ ଓ ସାଉଥକୋ ପକ୍ଷରୁ ୧୦ ଜଣ ବ୍ୟକ୍ତି ବିଶିଷ୍ଟ ୩୪୦ଟି ଦଳ, ୪ ହଜାର ୩୦୫ଟି ଖୁଣ୍ଟ, ୩୬୫ କି.ମି. ତାର ଓ ୧୧୬ କି.ମି. ଏବି କେବୁଲ, ୧୧୫ ଡି.ଟି.ଆର୍‍., ୩ ହଜାର ୮୫୦ ସଂଖ୍ୟକ ଇନ୍‍ସ୍ୟୁଲେଟର ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟା ପୂର୍ବରୁ ବିଦ୍ୟୁତ ଯୋଗାଣ ବ୍ୟାଘାତ ହୋଇଯିବାର ସମ୍ଭାବନା ଥିବାରୁ ସଂପୃକ୍ତ ସଂସ୍ଥା ଓ ସରକାରୀ କାର୍ଯ୍ୟାଳୟ ବିକଳ୍ପ ଶକ୍ତିର ବ୍ୟବସ୍ଥା ସ୍ୱରୂପ ଜେନେରେଟର ସେଟ୍‍ ଓ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ୍‍ ରଖିବାକୁ କୁହାଯାଇଛି। ସୂଚନା ପ୍ରଦାନ ନିମନ୍ତେ ଓପିଟିସିଏଲ୍‍ ଓ ଗ୍ରୀଡକୋ ତରଫରୁ ୨୪x ୭ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଶକ୍ତି ବିଭାଗ ତରଫରୁ ଜିଲ୍ଲାୱାରୀ ନୋଡାଲ୍‍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।

Comments are closed.