ଆସୁଛି ‘ଅମ୍ପନ’: ଦୀଘା ନିକଟରେ ସମୁଦ୍ର ଅଶାନ୍ତ; ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ତଳିଆ ଅଞ୍ଚଳ ଲୋକଙ୍କ ଥଇଥାନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆସୁଛି ସାମୁଦ୍ରିକ ଘୂର୍ଣିଝଡ଼ ’ଅମ୍ପନ’ । ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଏହା ଓଡ଼ିଶା ତଟଦେଶ ଦେଇ ସୁନ୍ଦରବନ ଅଭିମୁଖେ ଯାତ୍ରା କରିବ । ଏହାର ପ୍ରଭାବରେ ଦୀଘା ନିକଟରେ ସମୁଦ୍ର ଅଶାନ୍ତ ହୋଇ ପଡ଼ିଛି ଏବଂ  ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଶ୍ଚିମବଙ୍ଗରେ ବର୍ଷା ଆରମ୍ଭ ହୋଇଛି ।

ଅମ୍ପନର ପ୍ରଭାବ ଓଡ଼ିଶାର ପ୍ରାୟ ୧୦ ଜିଲାରେ ଅନୁଭୂତ ହେବ ଏବଂ ୬ ଜିଲାରେ ବର୍ଷା ପ୍ରବଳ ହେବ ।  ରାଜ୍ୟ ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ  ଆସନ୍ତାକାଲି ସକାଳଠାରୁ ଓଡିଶାରେ ପବନ ହେବ ।ଭୋଗରାଇ ତଳସାରି ଅଞ୍ଚଳରେ ଅଧିକ ପବନ ହେବ ।ଏଠାରେ ଘଣ୍ଟା ପ୍ରତି ପବନର ବେଗ ୧୨୫ କିମି ହୋଇପାରେ । ଏପରିକି ବିଳମ୍ବିତ ରାତ୍ରରେ ମଧ୍ୟ ହଠାତ ପବନ ହୋଇପାରେ । ବୁଧବାର ଦିନ ୩ ଯାଏଁ ପବନର ପ୍ରଭାବ ରହିବ ।

ଏସଆରସି ଆହୁରି କହିଛନ୍ତି ଯେ, ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଜିଲ୍ଲାଗୁଡ଼ିକରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ତଳି ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି । ଚାଳ, ଟାଇଲ ଏବଂ ଆଜବେଷ୍ଟସ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରଣରେ ପ୍ରାଥମିକତା ଦିଆଯାଉଛି । ଜିଲ୍ଲାପାଳମାନେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।  ଆଜି ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆସନ୍ତାକାଲି ସକାଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ୬ ଜିଲ୍ଲା   ଭଦ୍ରକ, ବାଲେଶ୍ଵର, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଯାଜପୁର ଓ ମୟୁରଭଞ୍ଜରେ ଏହାର ପ୍ରଭାବ ଅଧିକ ରହିବା ଆଶଙ୍କା ଅଛି । ଲଗାଣ ବର୍ଷା  ସହ ଜୋରରେ ପବନ ବହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ବି ଜୋରଦାର କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ୧୬ ଓଡ୍ରାଫ, ୧୫ ଏନଡିଆରଏଫ୍, ୨୧୭ ଅଗ୍ନିଶମ ବିଭାଗ, ୭୫ OFDC ଟିମକୁ ନିୟୋଜିତ କରାଯାଇଛି । ଏହାସହ ଭୁବନେଶ୍ବରରେ ୫ଟି ଓଡ୍ରାଫ ଏବଂ ୫ ଏନଡିଆରଏଫ୍  ଟିମକୁ ଜରୁରୀ ପରିସ୍ଥିତି ନିମନ୍ତେ ସଜାଗ ରଖାଯାଇଛି  ।

ସମୁଦ୍ର ମଧ୍ୟରେ ମାଛ ମାରିବା ଉପରେ କଟକଣା ଜାରି କରିଛନ୍ତି । ଏହାସହ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ।

ବାତ୍ୟା ପ୍ରଭାବରେ  ସମ୍ଭାବ୍ୟ କ୍ଷୟକ୍ଷତି ବାବଦରେ ଏସଆରସି ସତର୍କ କରାଇଛନ୍ତି । ଏସଆରସିଙ୍କ କହିବାନୁସାରେ, ଚାଳଛପର ଆଦି କଚା ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପାରେ । ତେବେ ପକ୍କା ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇପାରେ । ଏପରିକି ଇଲେକ୍ଟ୍ରିକ୍ ପୋଲ୍ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ରହିଛି । କଚା ଓ ପକ୍କା ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ସେହିପରି ରେଳ ଲାଇନ୍, ପାଣିଟାଙ୍କି ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । କିଛି ସ୍ଥାନରେ ଚାଷକାର୍ଯ୍ୟ, ନଡିଆ, ଆମ୍ବ ଆଦି କ୍ଷତିଗ୍ରସ୍ତ ହୋଇପାରେ ବୋଲି ସେ କହିଛନ୍ତି ।

Comments are closed.