‘ଅମ୍ଫାନ୍‌’ ମୁକାବିଲା: ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୧୨ଘଣ୍ଟାରେ ସ୍ୱାଭାବିକ ହେବ ବିଦ୍ୟୁତ୍‍ ସେବା

ଭୁବନେଶ୍ୱର: ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ର ମୁକାବିଲା ପାଇଁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ଆଜି ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରିବାକୁ ଏକ ୨୪ଘଣ୍ଟିଆ ରାଜ୍ୟସ୍ତରୀୟ ମନିଟରିଂ ସେଲ୍‍ ସ୍ଥାପନ କରାଯାଇଛି ଏବଂ ‘ଅମ୍ପନ୍‌’ ମୁକାବିଲା ପାଇଁ ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ୧୨ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସେବା ସ୍ବାଭାବିକ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି।
ବୈଠକ ପ୍ରାରମ୍ଭରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ବାତ୍ୟା ସମ୍ବନ୍ଧରେ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଉପସ୍ଥାପନ କରି ଓଡ଼ିଶା ଉପକୂଳ ଅଞ୍ଚଳ ବିଶେଷତଃ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲାରେ ମଧ୍ୟମରୁ ଅତି ପ୍ରବଳ ବୃଷ୍ଟିପାତ ସହ ପ୍ରବଳ ବେଗରେ ପବନ ବହିବା ସମ୍ଭାବନା ରହିଛି ବୋଲି କହିଥିଲେ। ଗତକାଲି ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶକ୍ତି ବିଭାଗ ଦ୍ୱାରା ଜିଲାପାଳମାନଙ୍କୁ କର୍ମଚାରୀ ତଥା ଯନ୍ତ୍ରପାତିର ସ୍ୱଚ୍ଛନ୍ଦ ପରିବହନ ସୁନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା କରିବା ପାଇଁ ଶକ୍ତିବିଭାଗର ବିଭିନ୍ନ ସଂସ୍ଥାଙ୍କୁ ଏନ୍‍ଡିଆର୍‍ଏଫ୍‍, ଓଡିଆର୍‍ଏଏଫ୍‍, ଓଏଫ୍‍ଡିସି ଏବଂ ଅଗ୍ନିଶମ ବିଭାଗ ଇତ୍ୟାଦି ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ପୂର୍ବ ନିଷ୍ପତ୍ତି ପ୍ରକାରେ ଓପିଟିସିଏଲ୍‍ଠାରେ ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରିବାକୁ ଏକ ୨୪ଘଣ୍ଟିଆ ରାଜ୍ୟସ୍ତରୀୟ ମନିଟରିଂ ସେଲ୍‍ ସ୍ଥାପନ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ସମୀକ୍ଷା ବୈଠକରେ ବାତ୍ୟା କାରଣରୁ କୌଣସି ମୃତ୍ୟୁ ଘଟିବାକୁ ନ ଦେବା ଏବଂ ୧୨ଘଣ୍ଟା ମଧ୍ୟରେ ସ୍ୱାଭାବିକ୍‍ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଦେଇଥିବା ଆଦେଶ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ଏହି ନିଷ୍ପତ୍ତିର ସଫଳ କାର୍ଯ୍ୟକାରିତା ପାଇଁ ନିର୍ଦେଶ ଦେଇଥିଲେ।
ଓଫିଟିସିଏଲ୍‍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଉଭୟ ଓପିଟିସିଏଲ୍‍ ତଥା ବିଦ୍ୟୁତ ବିତରଣ କମ୍ପାନୀଙ୍କ ସ୍ତରରେ ବାତ୍ୟା ନିମନ୍ତେ ନିୟନ୍ତ୍ରଣ କକ୍ଷ ସ୍ଥାପନ ହୋଇଥିବା ବିଷୟ ଅବଗତ କରିବା ସହ ବିଭିନ୍ନ ଜିଲାସ୍ତରରେ ଚିହ୍ନଟ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକ ମାନବସମ୍ବଳ, ଯନ୍ତ୍ରପାତି ପରିବହନ ବ୍ୟବସ୍ଥା, କ୍ରେନ୍‍, ଡିଜି ସେଟ୍‍, ବୈଦ୍ୟୁତିକ କରତ, ପୋଲ୍‍ ମାଷ୍ଟର ଆଦି ପ୍ରେରଣ କରିଥିବା ବିଷୟ ଅବଗତ କରିଥିଲେ। ଏହା ବ୍ୟତିତ ବାତ୍ୟା ପରବର୍ତ୍ତି ବିଦ୍ୟୁତ୍‍ ସରବରାହ ସ୍ୱାଭାବିକ କରିବାକୁ ଆବଶ୍ୟକ ନିରାପତ୍ତା ସମ୍ବନ୍ଧିୟ ନିର୍ଦେଶନାମା ଜାରି କରାଯାଇଥିବା ବିଷୟ ମଧ୍ୟ ଅବଗତ କରାଯାଇଥିଲା। ବାତ୍ୟା ଯୋଗୁଁ କୌଣସି ନଷ୍ଟ ହେବାକୁ ଥିବା ବୈଦ୍ୟୁତିକ ଷ୍ଟ୍ରକ୍‍ଚରଗୁଡ଼ିକର ଯଥାଶୀଘ୍ର ଆକଳନ ରିପୋର୍ଟ ଶକ୍ତି ବିଭାଗକୁ ତୁରନ୍ତ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଇତି ମଧ୍ୟରେ ରାଜ୍ୟର ଉତ୍ତର-ପୂର୍ବ ଉପକୂଳରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଦୃଷ୍ଟିିରୁ ପ୍ରାକ୍‍-ପ୍ରସ୍ତୁତି ନିମନ୍ତେ ଓପିଟିସିଏଲ୍‍ର ସମ୍ପୃକ୍ତ ନିର୍ଦେଶକ ନେସ୍କୋ ଅଞ୍ଚଳକୁ ଗସ୍ତ କରି ଆବଶ୍ୟକ ଆଗୁଆ ପଦକ୍ଷେପ ନେଉଛନ୍ତି। ବାତ୍ୟାରେ ଭୋଗରାଇ ବାଲିଆପାଳ, ଚାନ୍ଦିପୁର, ଧାମରା, ଚାନ୍ଦବାଲି ଅଞ୍ଚଳ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଆକଳନ କରାଯାଇଥିବାରୁ ଏ ସମସ୍ତ ସ୍ଥାନରେ ଆବଶ୍ୟକ ମାନବ ସମ୍ବଳ ନିୟୋଜନ ସହ ଯନ୍ତ୍ରପାତି ତଥା ପରିବହନ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ସୁଦ୍ଧା ବିଦ୍ୟୁତ୍‍ କଣ୍ଟ୍ରାକ୍ଟରମାନେ ବାତ୍ୟା ପରବର୍ତ୍ତି ସମୟରେ ନଷ୍ଟ ହୋଇଥିବା ଷ୍ଟ୍ରକ୍‍ଚର୍‍ଗୁଡ଼ିକର ପୁନଃସ୍ଥାପନ ପାଇଁ ଅଧିକ ଟିମ୍‍ ପ୍ରସ୍ତୁତ ରଖିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଆଜି ଏହି ବୈଠକରେ ଯୋଗ ଦେଇଥିବା କେନ୍ଦ୍ରୀୟ ସଂସ୍ଥା ଯଥା ପିଜିସିଆଇଏଲ୍‍, ଏନ୍‍ଟିପିସିଙ୍କୁ ମନ୍ତ୍ରୀ ଶ୍ରୀ ମିଶ୍ର ସେମାନଙ୍କଠାରେ ଗ୍ରାମ ବିଦ୍ୟୁତ୍‍କରଣ କାର୍ଯ୍ୟରେ ନିୟୋଜିତ ଥିବା ମାନବ ସମ୍ବଳକୁ ବାତ୍ୟା ପରିବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ। ଏହି ସଂସ୍ଥାଦ୍ୱୟ ଆବଶ୍ୟକ ସମସ୍ତ ସହଯୋଗ କରିବାକୁ ସହମତ ହୋଇଥିଲେ। ଏ ସମ୍ବନ୍ଧୀୟ ପରିବର୍ତ୍ତି ସମୀକ୍ଷା ଆସନ୍ତାକାଲି ଅପରାହ୍ଣ ୫ଟା ସମୟରେ କରିବାକୁ ଧାର୍ଯ୍ୟ କରାଯାଇଛି।

Comments are closed.